ନୂଆଦିଲ୍ଲୀ: ଦେଶର କୃଷି କ୍ଷେତ୍ରରେ ଏକ ନୂଆ ଡିଜିଟାଲ୍ ଯୁଗର ଶୁଭାରମ୍ଭ କରି କେନ୍ଦ୍ର ସରକାର ଧାର୍ଯ୍ୟ ସମୟର ପାଞ୍ଚ ମାସ ପୂର୍ବରୁ ୧୧ କୋଟି ‘ଫାର୍ମର ଆଇଡି’ (କୃଷକଙ୍କ ସ୍ୱତନ୍ତ୍ର ଡିଜିଟାଲ୍ ପରିଚୟ) ପ୍ରସ୍ତୁତ କରିବାର ଐତିହାସିକ ଲକ୍ଷ୍ୟ ହାସଲ କରିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ-ସମୃଦ୍ଧ କୃଷକ’ ଦୃଷ୍ଟିକୋଣର ଏକ ଐତିହାସିକ ବିଜୟ ବୋଲି ଅଭିହିତ କରିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ‘ଡିଜିଟାଲ୍ କୃଷି ମିଶନ’ ଅଧୀନରେ ହାସଲ ହୋଇଥିବା ଏହି ସଫଳତା ଦେଶର ଅନ୍ନଦାତାମାନଙ୍କୁ ସରକାରୀ ଯୋଜନା, ବ୍ୟାଙ୍କ ଋଣ, ଫସଲ ବୀମା ଓ ବିପର୍ଯ୍ୟୟ ସହାୟତା ଆଦି ସ୍ୱଚ୍ଛ ଓ ତ୍ୱରିତ ଢଙ୍ଗରେ ସିଧାସଳଖ ପ୍ରଦାନ କରିବାର ପଥ ପ୍ରଶସ୍ତ କରିଛି। ଏହାଦ୍ୱାରା କାଗଜପତ୍ର ସଂଗ୍ରହ ଓ ଦାଖଲ ପାଇଁ କୃଷକମାନଙ୍କୁ ଆଉ ଅଯଥା ଦୌଡ଼ାଦୌଡ଼ି କରିବାକୁ ପଡ଼ିବ ନାହିଁ।
ଧାର୍ଯ୍ୟ ସମୟର ୫ ମାସ ପୂର୍ବରୁ ଇତିହାସ ସୃଷ୍ଟି
କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ଅକ୍ଟୋବର ୨୩ ତାରିଖ ରାତି ସୁଦ୍ଧା ଦେଶରେ ୧୧ କୋଟି ଫାର୍ମର ଆଇଡି ପ୍ରସ୍ତୁତ କରିବା କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ଏହି କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୭ ମାର୍ଚ୍ଚ ୩୧ ତାରିଖକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରିଥିଲେ। କିନ୍ତୁ କୃଷି ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସମନ୍ୱିତ ଉଦ୍ୟମ ଯୋଗୁଁ ଧାର୍ଯ୍ୟ ସମୟର ପାଞ୍ଚ ମାସ ପୂର୍ବରୁ ଏହି ଲକ୍ଷ୍ୟ ହାସଲ ହୋଇଛି।
ଶ୍ରୀ ଚୌହାନ କହିଛନ୍ତି, “ଆଜି ହେଉଛି ଭାରତୀୟ କୃଷି ଓ କୃଷକଙ୍କ ପାଇଁ ଐତିହାସିକ ଦିନ। ଏକ ସ୍ୱପ୍ନ ସାକାର ହୋଇଛି ଏବଂ ଏକ ସଂକଳ୍ପ ପୂରଣ ହୋଇଛି। ବିକଶିତ ଭାରତ ଗଠନ ପାଇଁ କୃଷିର ବିକାଶ ଓ କୃଷକଙ୍କ ସମୃଦ୍ଧି ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ରହିଛି। ଏଥିପାଇଁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ହେଉଛି ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ।”
କାଗଜପତ୍ର ସମସ୍ୟାରୁ ମୁକ୍ତି, ସ୍ୱଚ୍ଛ ବ୍ୟବସ୍ଥାର ଶୁଭାରମ୍ଭ
କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ସ୍ପଷ୍ଟ କରିଛନ୍ତି ଯେ, ଫାର୍ମର ଆଇଡି ପ୍ରସ୍ତୁତ ହେବା ପରେ କୃଷକମାନଙ୍କୁ ଆଉ ବାରମ୍ବାର ସରକାରୀ କାର୍ଯ୍ୟାଳୟ କିମ୍ବା ବ୍ୟାଙ୍କକୁ ଦୌଡ଼ିବାକୁ ପଡ଼ିବ ନାହିଁ। ପୂର୍ବରୁ ବିଭିନ୍ନ ଛୋଟବଡ଼ ସରକାରୀ ଯୋଜନାର ସୁବିଧା ପାଇବା ପାଇଁ କୃଷକମାନଙ୍କୁ ବାରମ୍ବାର କାଗଜପତ୍ର ଦାଖଲ କରିବାକୁ ପଡ଼ୁଥିଲା। ଫଳରେ ସେମାନଙ୍କର ଉଭୟ ସମୟ ଓ ଅର୍ଥ ନଷ୍ଟ ହେଉଥିଲା।