ସ୍ନେହ ଓ ଭକ୍ତିର ଅନନ୍ୟ ମିଳନ:ଭଣଜାକୁ କାଉଡ଼ିରେ ବସାଇ ବାବା ଗୁପ୍ତେଶ୍ୱରଙ୍କ ପୀଠରେ ମାମୁଁର ଜଳାଭିଷେକ

0

ଜୟପୁର,୧୦/୮ ଏ.ଭେଙ୍କଟ ରାଓ: ଆଜିର ବ୍ୟସ୍ତବହୁଳ ଓ ସ୍ୱାର୍ଥପର ଦୁନିଆରେ, ଯେଉଁଠି ଧୀରେ ଧୀରେ ସମ୍ପର୍କର ମୂଲ୍ୟ କମିବାରେ ଲାଗିଛି ଏବଂ ନିଜ ସ୍ୱାର୍ଥ ଆଗରେ ଆତ୍ମୀୟତା ଫିକା ପଡ଼ିଯାଉଛି, ସେତିକି ବେଳେ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱର ଧାମରେ ଦେଖିବାକୁ ମିଳିଛି ଏକ ଅତ୍ୟନ୍ତ ନିଆରା ଓ ହୃଦୟସ୍ପର୍ଶୀ ଦୃଶ୍ୟ। ଏହି ଅଲୌକିକ ଦୃଶ୍ୟ ଭକ୍ତି, ନିଷ୍ଠା ଏବଂ ମାମୁଁ-ଭଣଜା ସମ୍ପର୍କର ପବିତ୍ରତାକୁ ସମାଜ ଆଗରେ ଆଉ ଥରେ ଜୀବନ୍ତ କରି ତୋଳିଛି।


ପ୍ରାପ୍ତ ସୂଚନା ଅନୁସାରେ,ମାଲକାନଗିରି ଜିଲ୍ଲା କୋରକୁଣ୍ଡା ଅଞ୍ଚଳର ଜଣେ ଶ୍ରଦ୍ଧାଳୁ ମାମୁଁ ନିଜ ଭଗିନୀର ସନ୍ତାନ ପ୍ରାପ୍ତି ପାଇଁ ବାବା ଗୁପ୍ତେଶ୍ୱରଙ୍କ ନିକଟରେ ଏକ ନିଆରା ମାନସିକ ରଖିଥିଲେ। ସେ ମନେ ମନେ ବାବାଙ୍କୁ ପ୍ରାର୍ଥନା କରିଥିଲେ ଯେ, ଯଦି ତାଙ୍କର ଏକ ଭଣଜା ଜନ୍ମ ହୁଏ, ତେବେ ସେ ସେହି ଭଣଜାର ଶରୀର ଓଜନ ସହ ସମାନ ଓଜନର ଜଳ କାଉଡ଼ିରେ ବୋହି ଆଣି ବାବାଙ୍କ ପୀଠରେ ଜଳାଭିଷେକ କରିବେ। ସମୟ କ୍ରମେ, ବାବା ଗୁପ୍ତେଶ୍ୱରଙ୍କ କୃପାରୁ ତାଙ୍କ ମନସ୍କାମନା ପୂର୍ଣ୍ଣ ହେଲା ଏବଂ ପରିବାରକୁ ଆସିଲା ଏକ ଶିଶୁ ପୁତ୍ର। ନିଜ ମାନସିକ ପୂରଣ କରିବା ପାଇଁ ଏହି ଶ୍ରାବଣ ମାସରେ ମାମୁଁ ନିଜ ପ୍ରତିଶ୍ରୁତି ପାଳନ କଲେ। ତେବେ ତାଙ୍କ ଜଳାଭିଷେକର ଶୈଳୀ ସମସ୍ତଙ୍କୁ ଚକିତ ଓ ଭାବବିହ୍ୱଳ କରିଦେଇଥିଲା। ସେ ଏକ ସୁସଜ୍ଜିତ କାଉଡ଼ିର ଗୋଟିଏ ପାର୍ଶ୍ୱରେ ନିଜ ଭଣଜାକୁ ସୁରକ୍ଷିତ ଭାବେ ବସାଇଥିଲେ ଏବଂ ଅନ୍ୟ ପାର୍ଶ୍ୱରେ ସେତିକି ଓଜନର ପବିତ୍ର ଜଳ ରଖି ସମତୁଲ କରିଥିଲେ।

ଖାଲି ପାଦରେ, ବୋଲବମ୍ ଧ୍ୱନି ଏବଂ “ହର ହର ମହାଦେବ” ଜୟକାର ଭିତରେ ମାମୁଁ ନିଜ କାନ୍ଧରେ ସେହି କାଉଡ଼ି ବୋହି ବାବା ଗୁପ୍ତେଶ୍ୱରଙ୍କ ଗୁଫା ଅଭିମୁଖେ ପାହାଡ଼ ଚଢ଼ି ଚାଲିଥିଲେ। କାଉଡ଼ିର ଗୋଟିଏ ପାଖରେ ମାମୁଁର ସ୍ନେହ-ଭାବରେ ହସୁଥିବା ଭଣଜା ଏବଂ ଅନ୍ୟ ପାଖରେ ବାବାଙ୍କ ଭକ୍ତିରେ ସମର୍ପିତ ଜଳ,ଏହି ଦୃଶ୍ୟ ଯିଏ ବି ଦେଖିଲା, ସିଏ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲା। ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକେ ଏହି ନିଆରା କାଉଡ଼ିଆଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ଅନେକ ଲୋକ ଏହି ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରି ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକମାନେ ମାମୁଁଙ୍କ ନିଶ୍ଚଳ ଭକ୍ତି ଓ ଭଣଜା ପ୍ରତି ଥିବା ଅପାର ସ୍ନେହକୁ ଭୂୟସୀ ପ୍ରଶଂସା କରୁଛନ୍ତି। ଆଜିର ଯୁଗରେ ଯେଉଁଠି ପରିବାର ଓ ଆତ୍ମୀୟତା ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି, ସେତିକି ବେଳେ ବାବା ଗୁପ୍ତେଶ୍ୱର ଧାମର ଏହି ଘଟଣା ସମାଜକୁ ସ୍ନେହ, ପବିତ୍ର ସମ୍ପର୍କ ଏବଂ ଦୃଢ଼ ବିଶ୍ୱାସର ଏକ ଅପୂର୍ବ ବାର୍ତ୍ତା ଦେଉଛି।

Leave A Reply

Your email address will not be published.