ଦେବର୍ଷି ନାରଦଙ୍କ ଗଣିତ

ଅର୍ଜୁନୀ ଚରଣ ବେହେରା

ଦେବର୍ଷି ନାରଦଙ୍କ ଗଣିତ
==============
ଶ୍ରୀମଦ୍ ଭାଗବତ ମହାପୁରାଣର ଦଶମସ୍କନ୍ଧ ଗୋପ ଲୀଳାରୁ ଏକ ରୋଚକ କାହାଣୀ l ଦେବୀ ଦେବକୀ ବସୁଦେବଙ୍କ ବିବାହପରେ, ନାନା ମଙ୍ଗଳ ବେଭାର ସହ ଦେବକୀଙ୍କ ବିଦାୟୀ ଉତ୍ସବ ଅନୁଷ୍ଠିତ ହେଲା l ବସୁଦେବ ବିଦାୟପାଇଁ ରଥରେ ବସିଲେ l ଏଥିରେ କଂସ ଅତି ଆନନ୍ଦ ହୋଇ ଭଉଣୀ ଭିଣୋଇଙ୍କ ରଥ ନିଜେ ବାହିନେବ ବୋଲି ଆଗେଇଆସିଲା l ଅତୀବ ହର୍ଷ ହୋଇ କିଛିବାଟ ରଥକୁ ବାହି ନେଇଛି ଶୂନ୍ୟରୁ ବାଣୀ ଶୁଭିଲା ରେ କଂସ ! ତୁ ତୋର ନିଜର ମରଣ ଜାଣି ନାହୁଁ l ଯାହାଙ୍କ ରଥ ତୁ ବାହି ନେଉଛୁ ତାଙ୍କରି ଅଷ୍ଟମଗର୍ଭ ପୁତ୍ର ତୋତେ ମାରିବ l
ଶୂନ୍ୟବାଣୀ ଶୁଣି କଂସ ଚମକିପଡ଼ିଲା l ବ୍ୟତିବ୍ୟସ୍ତ ହୋଇ ହସ୍ତରେ ତୀକ୍ଷ୍ଣକରବାଳ ଧରି ସେ ଦେବକୀକୁ ମାରିବାକୁ ଉଦ୍ୟତ ହୋଇ, ତାର କେଶକୁ ଧରିଲା l ମନରେ ବିଚାର କଲା, ଏହାକୁ ଶେଷ କରି ଦେବି l ଇଏ ଥିଲେ ସିନା ଅଷ୍ଟମଗର୍ଭ ପୁତ୍ର ମୋତେ ମାରିବ l ଏହାକୁ ମୂଳରୁ ଶେଷ କରିଦେଲେ କାମ ଶେଷ :-
ମୁଳୁ ମାଇଲେ ଯିବ ସରି l
ଦେବଙ୍କ ସଙ୍ଗେ କିମ୍ପା କଳି ll
କଂସର ଏ ଉଗ୍ରମୂର୍ତ୍ତି ଦେଖି ଦେବୀ ଦେବକୀ ସ୍ବାମୀ ବସୁଦେବଙ୍କୁ ଭୟରେ କୁଣ୍ଢାଇ ଧରିଥାନ୍ତି l ବସୁଦେବ କଂସକୁ କହିଲେ, ହେ ଭାଇ କଂସ ! ଏ ସଂସାରରେ ବୀର ବୋଲି ତୋର କେତେ ଖ୍ୟାତି ରହିଛି l ବିବାହ କାଳରେ ଭଉଣୀକୁ ବଧ କରି, କାହିଁକି ତୁ ଅପଯଶ ଅର୍ଜିବାକୁ ଯାଉଛୁ l ଜନ୍ମ ସହିତ ମୃତ୍ୟୁ ରହିଛି ଏହା ଚିରନ୍ତନ ସତ୍ୟ l ତୋ ନିଜ ମରଣଭୟରେ ଅନ୍ୟକୁ ବଧ କରି, କାହିଁକି ପାପ ଅର୍ଜନ କରିବାକୁ ଯାଉଛୁ l ତୋ ପ୍ରାୟେ ମହତ ପୁରୁଷ କଅଣ ଜାଣିନାହିଁ ଆତ୍ମା ଅବିନାଶୀ ବୋଲି l ଏଣୁ ସଦୟ ହୁଅ l ତୋର ନିଜ ଭଉଣୀକୁ ବଧକରିବା ଅପକର୍ମରୁ ବିରତ ହୁଅ l
ଅସୁର କଂସ, ଏ ଧର୍ମ ବଚନ ଘେନା କରିବ କିଆଁ l ପୁନଃ ଦୃଢ଼ମୁଷ୍ଟି ଖଡ୍ଗ ଉତ୍ତୋଳନକରି ମାରିବାପାଇଁ ଉଦ୍ୟତ ହେଲା l ବସୁଦେବ ଆଉ ଅନ୍ୟ ଉପାୟ ନ ଦେଖି ଭଗବାନଙ୍କୁ ସ୍ମରଣକରିବାକୁ ଲାଗିଲେ l ସେ କଂସକୁ କହିଲେ,” ଠିକ ଅଛି ଭାଇ ! ଦେଵକୀର ପୁଅ ତୋତେ ମାରିବ l ତା’ର ପୁଅହିଁ ତୋର ଶତ୍ରୁ l ଦେବକୀ ତୋର ଶତ୍ରୁ ନୁହଁ l ଏଣୁ ଦେଵକୀକୁ ଛାଡ଼ି ଦେ ମୁଁ ତ୍ରିବାର ସତ୍ୟ କରି କହୁଛି, ଏହାର ଯେତେ ସନ୍ତାନ ଜନ୍ମହେବେ ମୁଁ ସମସ୍ତଙ୍କୁ ତୋ ହାତକୁ ଆଣି ଗୋଟି ଗୋଟିକରି ଟେକି ଦେବି l ‘ଏକଥା ମୋହର ପ୍ରମାଣ l ଏଥକୁ ସାକ୍ଷୀ ନାରାୟଣ’ l
ବସୁଦେବଙ୍କ ଏପରି ଦୃଢ଼ ସତ୍ୟବାକ୍ୟ କଂସ ମନକୁ ପାଇଲା l ବିଶ୍ୱାସ କରି ସେ ଦେବକୀର କେଶ ଛାଡି ଦେଲା l ସମସ୍ତେ ଯେ ଯାହା ବାଟରେ ଚାଲି ଗଲେ l କିଛିଦିନ ଉତ୍ତାରେ ଦେବକୀଙ୍କ ଗର୍ଭରୁ ପ୍ରଥମସନ୍ତାନ ଭାବେ ପୁଅଟିଏ ଜନ୍ମହେଲା l ଚୁକ୍ତି ଅନୁସାରେ ତାକୁ ବସୁଦେବ ନେଇ କଂସକୁ ସମର୍ପଣ କଲେ l ତାଙ୍କର ସତ୍ୟଆଚରଣ ଦେଖି କଂସ ବହୁ ଆନନ୍ଦିତ ହେଲା l ଦୟା ପରବଶ ହୋଇ ସେ ଭାବିଲା,ଏହାର ଅଷ୍ଟମ ଗର୍ଭ ପୁତ୍ର ହାତରେ ମୁଁ ନିଧନ ହେବି l ଏ ସନ୍ତାନକୁ କାହିଁକି ମାରିବି l ଏଭଳି ବିଚାର କରି ବସୁଦେବଙ୍କୁ ସେ ନିଜ ପୁତ୍ରକୁ ଫେରାଇ ନେବାପାଇଁ କହିଲା l
ତୋହରେ ମଣିଲି ମୁଁ ସତ୍ୟ l
ନିଅ ତୋହର ନିଜ ସୂତ ll
ପରଦିନ କଂସ ନିଜ ପୁରରେ ନିତ୍ୟକର୍ମ ଶେଷକରି ବିଶ୍ରାମ କରୁଛି ଏତିକିବେଳେ ଦେବର୍ଷି ବୀଣା ଧ୍ୱନୀ କରି ବଡ଼ ବିମର୍ଷ ଚିତ୍ତରେ ଆସି ପହଞ୍ଚି ଗଲେ l କଂସ ମହର୍ଷିଙ୍କର ଯଥା ରୀତି ସତ୍କାର କଲା l ପାଦ୍ୟ ଅର୍ଘ୍ୟ ଦେଇ ଆସନରେ ବସାଇଲା l ନାରଦ ଟିକିଏ ପ୍ରକୃତିସ୍ଥ ହୋଇ କଂସକୁ କହିଲେ, ବାବୁ କଂସ ! ମୁଁ ଦେବଲୋକରେ ତୋ ମରଣକଥା ଶୁଣି ମନଟା ବଡ଼ ବିକଳ ହେଉଛି l ସମସ୍ତ ଦେବତା ମାନେ ମିଳି ବଡ଼ କୁଟ ରଟନାକରିଛନ୍ତି l ଦେଖ ସେ ଦୁଃଖରେ ମୋର ଚକ୍ଷୁ କେମିତି ଲୋତକାପ୍ଳୁତ ହୋଇ ଯାଇଛି l “ତୋ ଦୁଃଖ ଦେଖି ମୁଁ ବିକଳ, ଦେଖ ନୟନେ ଅଶ୍ରୁଜଳ”l
ମୁଁ ଦେବତା ମାନଙ୍କ ଏହି କୁଟ ମନ୍ତ୍ରଣା ଶୁଣିଆସିଛି l ଦେବତା ମାନେ ସ୍ଥିର କରିଛନ୍ତି ଓ ସ୍ୱୟଂ ନାରାୟଣ କହିଛନ୍ତି ସେ ଦେଵକୀ ଅଷ୍ଟମଗର୍ଭରେ ଜନ୍ମନେବେ ଓ ତୋତେ ନିଧନ କରିବେ l
ଏକଥା ଶୁଣି କଂସ କହିଲା, ” ହଁ ମହର୍ଷି ! ମୁଁ ଏହା ଜାଣେ l ଏହା ସତ୍ୟ l କିନ୍ତୁ, ବସୁଦେବ ବଚନବଦ୍ଧ ହୋଇଛନ୍ତି, ଦେଵକୀର ସମସ୍ତ ସନ୍ତାନକୁ ମୋତେ ସମର୍ପି ଦେବା ପାଇଁ l ପ୍ରତିଶ୍ରୁତି ଅନୁଯାୟୀ, ପ୍ରଥମ ପୁତ୍ରକୁ ଆଣି ବାସୁଦେବ ସମର୍ପଣ କରିଥିଲେ l ସେ ପୁତ୍ରକୁ ସହର୍ଷେ ବସୁଦେବକୁ ମୁଁ ଫେରାଇଦେଇଛି l ଅଷ୍ଟମ ପୁତ୍ରହିଁ ମୋର ଶତ୍ରୁ,ଏଣୁ ଅଷ୍ଟମ ପୁତ୍ରକୁ ସେ ସମର୍ପଣ କଲାକ୍ଷଣି ମୁଁ ତାକୁ ମାରି ପକାଇବି l
ଦେବର୍ଷି କଂସର ଏକଥା ଶୁଣି ହସି ଦେଇ କହିଲେ, ଆରେ ପାଗଳା ! ତୁ ଏପର୍ଯ୍ୟନ୍ତ ଦେବତାଙ୍କ ମାୟାକୁ ବୁଝି ପାରିଲୁନାହିଁ l ସେ ପ୍ରଥମ ସନ୍ତାନଟିକୁ ଛାଡ଼ି ତୁ ମସ୍ତବଡ ଭୁଲ କରିଛୁ l ତୁ ଜାଣିନୁ, ଦେଵତା ମାନେ ଏଠି ଗୋପାଳ ଓ ଯଦୁ ବଂଶରେ ମନୁଷ୍ୟ ଶରୀର ଧରି ଜନ୍ମ ହୋଇ ସାରିଲେଣି l ତୋର ମୋ କଥାକୁ ବିଶ୍ୱାସ ହେଉଛି ତ ଶୁଣୁ l ନହେଲେ ମୁଁ ଚାଲିଲି l
କଂସକୁ ବୁଝାଇବାକୁ ଯାଇ ଦେବର୍ଷି ଭୂମିରେ ଆଠଟି ଗାର ଟାଣିଦେଇ କଂସକୁ ଥରେ ଏକରୁ ଆଠ, ଆଉ ଥରେ ବିପରୀତ ଆଡୁ ଗଣିବାକୁ କହିଲେ l ସେପରି କରି କଂସ ଦେଖିଲା ଆଠ ତ ଆଠ ଆଉ ଏକ ମଧ୍ୟ ଆଠ l ନାରଦ ବିସ୍ଫାରିତନେତ୍ରରେ କହିଲେ, ଏଥର କହ l ଯାହାକୁ ତୁ ଅଷ୍ଟମ କହୁଛୁ, ତାହା କେଉଁଟା l ମୋତେ ବୁଝା ! ଏଥରେ ଅଷ୍ଟମ କିଏ?
କଂସ ବୁଝିଗଲା, ଠିକ କଥା, ଏକ ମଧ୍ୟ ଆଠ ହୋଇ ପାରେ l କ୍ରୋଧିତହୋଇ ସେ ପୁନଃ ଦେଵକୀର ସବୁ ସନ୍ତାନକୁ ହତ୍ୟା କରିବା ପାଇଁ ପ୍ରତିଜ୍ଞା କଲା l ନାରାୟଣ ! ନାରାୟଣ ! ନାରଦ ବୀଣାବାଦନ କରି ସ୍ୱର୍ଲୋକକୁ ପ୍ରସ୍ଥାନକଲେ l ଅତିବଡ଼ି ଜଗନ୍ନାଥ ଦାସ ଶ୍ରୀମଦ୍ଭାଗବତରେ ଲେଖିଲେ :-
କଂସକୁ କରାଇ ଉଚ୍ଚାଟ l
ନାରଦ ଗଲେ ଶୂନ୍ୟବାଟ ll
! ଓଁ ନମୋ ଭଗବତେ ବାସୁଦେବାୟଃ !
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.