ଭଜନ ସମ୍ରାଟ ଭିକାରୀ ବଳଙ୍କ ଶ୍ରାଦ୍ଧୋତ୍ସବ ପାଳିତ
ଭଜନ ସମ୍ରାଟଙ୍କ ଭାବୋଦ୍ଦୀପକ ଭଜନରେ ସଭିଏଁ ବିଭୋର
କେନ୍ଦ୍ରାପଡ଼ା ୨/୧୧ : ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ତଥା ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଵାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୁଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଓଡ଼ିଆ ଭକ୍ତି ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଭିକାରୀ ବଳଙ୍କ ଷୋଡ଼ଶ ଶ୍ରାଦ୍ଧୋତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ଭାବଗ୍ରାହୀ କଳା ନିକେତନ ଓ ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଠଶିଳ୍ପୀ ମାଗୁଣି ଚରଣ ସାହୁ, ସମ୍ମାନୀତ ଅତିଥି ଭାବେ ଗାୟିକା ନିରୁପମା ଜେନା, ସୁରେନ୍ଦ୍ର ରାଉତ୍, ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଶ୍ରୀମତୀ ଧୀରାମଣି ପରିଡ଼ା ଏବଂ ନୃସିଂହ ଚରଣ ନନ୍ଦ ପ୍ରମୁଖ ଯୋଗ ଦେଇ ଭଜନ ସମ୍ରାଟଙ୍କ ଅମ୍ଳାନ ସ୍ମୃତି ସମ୍ପର୍କରେ ଆଲୋଚନା କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗୀତିକାର ବିମଳ ପରିଡ଼ା ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ମୃତି ଚାରଣ କରିଥିଲେ ଏବଂ ସ୍ଵାଗତ ଭାଷଣ ପ୍ରଦାନ କରି ଭିକାରୀ ବଳଙ୍କ କାଳଜୟୀ ଭଜନ ଏବଂ ମନ୍ଦ୍ର ଗମ୍ଭୀର ଯାଦୁକରୀ କଣ୍ଠ ସ୍ବର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ାର ସୋବଳାରେ ଜନ୍ମିତ ଭିକାରୀ ବଳ ନିଜସ୍ଵ ସାଧନା ବଳରେ ଭଜନ ଗାୟକରୁ ଭଜନ ସମ୍ରାଟ ହେବା ପଛରେ ତାଙ୍କର ନିଷ୍ଠାପର ସାଧନା ଏବଂ ନିରବଚ୍ଛିନ୍ନ ଉଦ୍ୟମର ପଟ୍ଟାନ୍ତର ନାହିଁ। ଏହି ଅବସରରେ ଭାବଗ୍ରାହୀ କଳା ନିକେତନ ପରିସରରେ ଏକ କଳାକାର ସମାବେଶ ହୋଇଥିଲା। ସଙ୍ଗୀତଜ୍ଞ ସର୍ଵଶ୍ରୀ ବିଷ୍ଣୁ ଚରଣ ବାରିକ, ଗୟାଧର ଜେନା, ରବୀନ୍ଦ୍ର ସାହୁ, ରାଜକିଶୋର ଜେନା, ରଞ୍ଜନ ପରିଡ଼ା, ନିର୍ମଳା ପରିଡ଼ା, ବିଶ୍ଵ କଲ୍ୟାଣୀ ନନ୍ଦ, ନନ୍ଦିନୀ ଜେନା, ପର୍ଶୁରାମ ପ୍ରଧାନ, ପାୟଲ ଦାସ, ସନ୍ତୋଷ ଦାସ, ଅନ୍ନପୂର୍ଣ୍ଣା ପଣ୍ଡା,
ଆଶିଷ ପଣ୍ଡା, ଆଶିଷ ଦାସ, ଉମେଶ ଆଚାର୍ଯ୍ୟ, ସନ୍ତୋଷ ନାୟକ, ବିଶ୍ଵଜିତ ଦାସ, ଅର୍ଚ୍ଚନା ପରିଡ଼ା, ଅଜୟ ଜେନା, କୈଳାସ ପରିଡ଼ା, ରେଡିଓ ଭାବଗ୍ରାହୀ ଟ୍ରଷ୍ଟ ସଭାପତି ସୁଶ୍ରୀ ସଙ୍ଗୀତା ଜେନା, କେନ୍ଦ୍ର ନିର୍ଦ୍ଦେଶକ ଇଂଜିନିୟର ବିଶ୍ଵଜିତ ପରିଡ଼ା, ଅଙ୍କିତା ପରିଡ଼ା, ଅର୍ଚ୍ଚନା ପରିଡ଼ା ପ୍ରମୁଖ କଳାକାରମାନେ ଉପସ୍ଥିତ ରହି ଭଜନ ସମ୍ରାଟଙ୍କ ଭଜନ, ପଲ୍ଲୀ ଏବଂ ଆଧୁନିକ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଆରମ୍ଭରେ କଳା ନିକେତନ ପରିସରରେ ଥିବା ଅକ୍ଷୟ ମହାନ୍ତି, ଭିକାରୀ ବଳ, ଲୋକକବି ଭାବଗ୍ରାହୀ ପରିଡ଼ା ଏବଂ କବି ପତ୍ନୀ ସରୋଜିନୀ ପରିଡ଼ାଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ପରେ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସ୍ମୃତି ଚାରଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଶେଷରେ ପ୍ରଵଚକ ଵିକ୍ରମ କେଶରୀ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କେବଳ ସଙ୍ଗୀତ, ବାଦ୍ୟ ଏବଂ ନୃତ୍ୟ କଳାକାରଙ୍କ ସମାବେଶରେ ସଙ୍ଗୀତ ମାଧ୍ୟମରେ ଏକ ଭିନ୍ନ ଶୈଳୀରେ ଭିକାରୀ ବଳଙ୍କ ଶ୍ରାଦ୍ଧୋତ୍ସବ ପାଳନକୁ ଉପସ୍ଥିତ ସମସ୍ତେ ଭୁରି ଭୁରି ପ୍ରଶଂସା କରିଥିଲେ।