ଡକାୟତି ଉଦ୍ୟମ, ୫ ଗିରଫ

ଖୋର୍ଦ୍ଧା: ଆଜି ଭୋର ପ୍ରାୟ ୨ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଓ ଜଟଣୀ ସଂଲଗ୍ନ ଗୋଶାଳା ପଡ଼ିଆ ନିକଟରୁ ୫ଜଣ ଯୁବକଙ୍କୁ ଗିରଫ କରାଯାଇଛି।   ଗିରଫ ହୋଇଥିବା ଯୁବକମାନେ ହେଲେ ଢେଙ୍କାନାଳ ଜିଲ୍ଲା କାରିଆଁର ବିଶ୍ୱନାଥ ମଲ୍ଲିକ ଓରଫ ବିଶୁ (୩୧) ଓ ରାଜୁ ମଲ୍ଲିକ (୪୦), ଖୋର୍ଦ୍ଧା ଗୁଡ଼ୁମ ନରସିଂହପୁରରର ବାବୁ ନାୟକ ଓରଫ ବାବୁଲୁ (୨୨), ଗୁରୁଜଙ୍ଗ ଟାଙ୍ଗୀସାହିର ଅଜୟ ସୁନ୍ଦରାୟ ଓରଫ ବାବୁନି (୩୬) ଓ ଗଂଜାମ ଜିଲ୍ଲା ବୁଗୁଡ଼ା ଟିକରପଡ଼ା ନୂଆସାହିର ସନ୍ତୋଷ ନାୟକ (୨୬) । ଯୁବକମାନେ ସଂଘବଦ୍ଧ ଭାବେ ଜାତୀୟ ରାଜପଥରେ ଟ୍ରକ୍ ଲୁଟିବାକୁ ଯୋଜନା କରୁଥିଲେ ବୋଲି ପୁଲିସ କହିଛି ।

ସୂଚନାନୁସାରେ, ଭୋର ପ୍ରାୟ ୨ଟା ବେଳେ ଇନସପେକ୍ଟର କାହ୍ନୁ ଚରଣ ସ୍ୱାଇଁ, ଏଏସ୍ଆଇ ପିକେ ପ୍ରଧାନ, କନେଷ୍ଟବଳ ଏଏମ୍ ଖାଁ ଓ ୩ଜଣ ସଶସ୍ତ୍ର ପୁଲିସ ରାତ୍ରୀ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଗୋଶାଳା ପଡ଼ିଆ ନିକଟରେ କେତେକ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ନେଇ ସୂଚନା ମିଳିଥିଲା । ଏନେଇ ଏସ୍ପି ସିଦ୍ଧାର୍ଦ୍ଧ କଟାରିଆଙ୍କୁ ଜଣାଇବା ପରେ ତାଙ୍କରି ନିଦେ୍ର୍ଦଶରେ ଏସ୍ଡିପିଓ ଦିଲିପ କୁମାର ଦାସ ଓ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦଙ୍କ ନେତୃତ୍ୱରେ ଏକ ଟିମ୍ ସନ୍ଦିଗ୍ଧୁଙ୍କୁ ଘେରିବାକୁ ଯୋଜନା ହୋଇଥିଲା । ରାତି ପ୍ରାୟ ୩ଟା ବେଳେ ଚଢ଼ଉ କରି ୫ଜଣ ଯୁବକ, ଦୁଇଟି ମୋଟର ସାଇକଲ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଥିଲା ।

ସେମାନଙ୍କ ନିକଟରୁ ଦୁଇଟି ଶାବଳ, ୩ଟି ଠେଙ୍ଗା, ଗୋଟିଏ ପଲସର ମୋଟରସାଇକଲ (ଓଡି୦୨ଏଭି ୪୫୪୬) ଓ ଗୋଟିଏ ନମ୍ବର ବିହୀନ ହିରୋ ପାସିଅନ୍ ପ୍ରୋ ମୋଟର ସାଇକଲ ଜବତ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧ ଦଫା ୩୯୯/୪୦୨ରେ ୫୬୪/୨୦୨୨ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।

Comments are closed.