ବାଣପୁର: ଦୁଇ ମାସ ଧରି ଖୋରଧା ଜିଲ୍ଲାର ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ନାଚୁଣୀ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ସିରିଜ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ସୁନା ଓ ରୂପା ଅଳଙ୍କାର ଲୁଟ ଘଟଣାରେ ୧୨ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଅଳଙ୍କାର ଜବତ କରାଯାଇଛି । ଖୋରଧା ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ନିର୍ଦ୍ଦେଶରେ ବାଲୁଗାଁ ଏସଡିପିଓ ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିସର ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଦୀର୍ଘ ଦୁଇ ମାସ ଧରି ଚାଲିଥିବା ଲୁଟ ଘଟଣାର ତଦନ୍ତ ପରେ ଏହି ସଫଳତା ମିଳିଥିବା ଏସପି ସୂଚନା ଦେଇଛନ୍ତି । ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୫୦୦ ଗ୍ରାମ ସୁନା ଅଳଙ୍କାର ଓ ୧୧ କେଜି ରୂପା ଅଳଙ୍କାର ଜବତ କରିଛି । ଜବତ ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟରେ ହାର, ଚେନ, କାନଫୁଲ, ଚୁଡ଼ି ଓ ମୁଦି ରହିଛି । ସେହିପରି ରୂପା ଅଳଙ୍କାର ମଧ୍ୟରେ ଗୋଡ଼ ପାଉଁଜି, ଝୁଣ୍ଟିଆ, ରୂପା ଥାଳିଆ ଓ ଗ୍ଲାସ ଆଦି ରହିଛି ।

ଗିରଫ ୧୨ ଅଭିଯୁକ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ ଜଣ, ଖୋରଧା ଜିଲ୍ଲାର ୮ ଜଣ ଓ ପୁରୀ ଜିଲ୍ଲାର ଜଣେ ରହିଛନ୍ତି । ଏହି ଲୁଟ ଘଟଣାରେ ଅଭିଯୁକ୍ତମାନଙ୍କର ପୂର୍ବରୁ ଅପରାଧିକ ମାମଲା ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ବିଭିନ୍ନ ଥାନା ଅଞ୍ଚଳରେ ଲଗାତାର ଲୁଟ ଘଟଣା ପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଅପରାଧୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିଛି । ଜବତ ଅଳଙ୍କାର ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଅଧିକ ଘଟଣାର ସମ୍ପୃକ୍ତି ଖୋଜୁଛି ପୋଲିସ । ଘଟଣା ସମ୍ପର୍କରେ ଖୋରଧା ଏସପି କହିଛନ୍ତି ଜିଲ୍ଲାକୁ ଅପରାଧ ମୁକ୍ତ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ । ଜିଲ୍ଲା ବାସୀଙ୍କ ସୁରକ୍ଷା ପାଇଁ ପୋଲିସ ସଜାଗ ଅଛି । ଆମେ ବିଭିନ୍ନ ଲୁଟ ମାମଲାରେ ୧୨ ଜଣକୁ ଗିରଫ କରିଛୁ ସେମାନଙ୍କ ମଧ୍ୟରେ ୧୧ ଜଣ ଲୁଟେରା ଏବଂ ଜଣେ ଚୋରି ଅଳଙ୍କାରକୁ କିଣିଥିବା ବ୍ୟକ୍ତି ଅଛନ୍ତି । ସେମାନଙ୍କ ଠାରୁ ୫୦୦ ଗ୍ରାମ ସୁନା ଅଳଙ୍କାର ଏବଂ ୧୧ କିଲୋ ରୁପା ଅଳଙ୍କାର ଜବତ କରିଛୁ । ଏମାନଙ୍କର ୧୫ ଟି ମାମଲାରେ ସମ୍ପୃକ୍ତି ରହିଥିବା ଜଣାପଡିଛି । ଏମାନଙ୍କୁ ରିମଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରାଯିବ ।