ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେବା ମାମଲା: ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଅଜୟ ଗଡନାୟକ ଗିରଫ

0

ସମ୍ବଲପୁର: ସମ୍ବଲପୁର – ତାଳଚେର ରେଳପଥ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ ଅଜୟ କୁମାର ଗଡନାୟକ ଙ୍କୁ ସୋମବାର ଜମି ଅଧିଗ୍ରହଣ ସମ୍ପର୍କିତ କ୍ଷତିପୁରଣ ରାଶି ମଞ୍ଜୁର ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେବା ଘଟଣାରେ ଭିଜିଲାନ୍ସ ବିଭାଗ ଧରିଥିଲା । ଏହି ଘଟଣାକୁ ନେଇ ଏକ ମାମଲା ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ରୁଜୁ କରାଯାଇ ଅଭିଯୁକ୍ତ ସ୍ୱତନ୍ତ୍ର ଭୂ – ଅର୍ଜନ ଅଧିକାରୀ ଶ୍ରୀ ଗଡନାୟକଙ୍କୁ ମଙ୍ଗଳବାର ଗିରଫ କରି ଅଦାତଲକୁ ଚାଲାଣ କରାଯାଇଛି । ଏହି ମର୍ମରେ ସମ୍ବଲପୁର ଭିଜିଲାନ୍ସ ଏସପି ପ୍ରଦୁ୍ୟମ୍ନ ଦ୍ୱିବେଦୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇ କହିଛନ୍ତି ଯେ, ଅଭିଯୁକ୍ତ କ୍ଷତିପୁରଣ ରାଶି (୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା) ମଞ୍ଜୁରୀ ଦେବା ନିମନ୍ତେ ପିଡିତଙ୍କ ଠାରୁ ୫ ଲକ୍ଷ ୧୦ ହଜାର ଟଙ୍କା ଦାବି କରିଥିଲେ । କଥାବାର୍ତ୍ତା ହେବା ପରେ ୨ଟି କିସ୍ତିରେ ଟଙ୍କା ଦେବାକୁ କହିବା ସହିତ ଗତ ୨୭ ତାରିଖରେ ୨ ଲକ୍ଷ ଟଙ୍କା ପ୍ରଥମ କିସ୍ତି ଟଙ୍କା ନେଇଥିଲେ । ଏହା ପରେ ବାକି ୩.୧୦ ଲକ୍ଷ ଟଙ୍କା ଶିଘ୍ର ପଇଠ ନ କଲେ, ଆଗାମୀ ଦିନରେ ୩ୟ ରେଳପଥ ପାଇଁ ଜମି ଅଧିଗ୍ରହଣ ସମୟରେ କ୍ଷତିପୂରଣ ରାଶି ପ୍ରଦାନ ସମୟରେ ଅସୁବିଧା ସୃଷ୍ଟି ହେବ ବୋଲି ଅଭିଯୁକ୍ତ ଧମକ ପିଡିତଙ୍କୁ ଦେଇଥିଲେ । ଏଣୁ ପିଡିତ ବାଧ୍ୟ ହୋଇ ଅଭିଯୋଗ କରିବାରୁ ଭିଜିଲାନ୍ସ ତରଫରୁ ମାମଲା ସଂଖ୍ୟା ୨୦ ରୁଜୁ କରାଯାଇଥିଲା । ଏହା ପରେ ଏକ ଦଳ ଗଠନ କରାଯାଇ ବାକି ଟଙ୍କା ଦେବା ପାଇଁ ଟ୍ରାପ କରାଯାଇଥିଲା । ଅଭିଯୁକ୍ତ ଟଙ୍କା ନେବା ପୁର୍ବରୁ କିଛି ସ୍ଥାନ ଶେଷ ମୁହୁର୍ତ୍ତରେ ପରିବର୍ତ୍ତନ କରିବା ପରେ ଟଙ୍କା ନେବା ସମୟରେ ଅନୁଗୁଳ ଠାରେ ଭିଜିଲାନ୍ସ ଦଳ ତାଙ୍କୁ ମାଡି ବସିଥିଲା । ଏହା ପରେ ଅଭିଯୁକ୍ତଙ୍କ ସରକାରୀ ବାସଭବନ, ଢେଙ୍କାନାଳ ରାସୋଳ ଥାନା ଅନ୍ତର୍ଗତ ଜନ୍ମମାଟି ‘ଗିରିଧର ପ୍ରସାଦ’ ଗ୍ରାମର ଘର ଏବଂ ତାଙ୍କ କାର୍ଯ୍ୟାଳୟ ଚାମ୍ୱରରେ ଏକକାଳୀନ ଚଢ଼ଉ କରାଯାଇଛି । ଚଢ଼ଉ ସମୟରେ ବିଭିନ୍ନ କାଗଜପତ୍ର ଜବତ କରାଯାଇଛି ଏବଂ ତଦନ୍ତ ଜାରି ରହିଛି । ଏ ପର୍ଯ୍ୟନ୍ତ ତାହା ତଦନ୍ତ ଜାରି ରହିଥିବା ବେଳେ ଆୟ ବର୍ହିଭୂତ ସମ୍ପତ୍ତି ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ଅଭିଯୁକ୍ତଙ୍କ ବାପା ୧୯୯୯ ମସିହାରେ ସ୍ୱେଚ୍ଛାକୃତ ଭାବରେ ଅବସର ନେଇଥିବା ବେଳେ ସେ ସମୟରେ ସରକାରୀ ଯୋଜନା ଅନୁଯାୟୀ ସେ ସରକାରୀ ଚାକିରୀ ପାଇଥିଲେ । ୨୦୨୨ ମସିହାରେ ଓଆରଏସ ପଦବୀକୁ ପଦୋନ୍ନତି ହୋଇଥିବା ବେଳେ ୨୦୨୩ ମସିହାରୁ ସେ ଏହି ପଦବୀରେ କାର୍ଯ୍ୟରତ ରହିଛନ୍ତି । ଏହି ଘଟଣାର ତଦନ୍ତ ଆଗକୁ ମଧ୍ୟ ଜାରି ରହିବ ବୋଲି ଭିଜିଲାନ୍ସ ଏସପି ଶ୍ରୀ ଦ୍ୱିବେଦୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Leave A Reply

Your email address will not be published.