ଦଧୀଚିଙ୍କ ମହାଦାନ

ଅର୍ଜୁନୀ ଚରଣ ବେହେରା

ପାଣ୍ଡବମାନଙ୍କ ବନବାସ କାଳରେ ଦିନେ ମହାମୁନି ମାର୍କଣ୍ଡେୟ ତାଙ୍କ ଆଶ୍ରମରେ ପହଁଚିଲେ l ଯୁଧିଷ୍ଠିର ମୁନିଙ୍କୁ ଦେଖି, ଅତି ଆନନ୍ଦରେ ଆଶ୍ରମକୁ ପାଛୋଟି ନେଲେ l ତାଙ୍କ ପଦ ସେବାକରି, ଯୁଧିଷ୍ଟିର କହିଲେ, ଆପଣ ଆସିଲେ ଖୁବ୍ ଭଲ ହେଲା l ଏଠାରେ ଆଉ ଆମକୁ ଭଲ ଲାଗୁ ନାହିଁ l ଚାଲନ୍ତୁ ଆପଣଙ୍କ ସହିତ ଆମେ ତୀର୍ଥ ଭ୍ରମଣ କରି, କାଳ କଟାଇବୁ l ଆପଣ କଳ୍ପଜୀବି l ବହୁକଥା ଆପଣ ଜାଣନ୍ତି,ଆମ ମାନଙ୍କୁ ଆପଣ ବିଭିନ୍ନ ତୀର୍ଥ ଦେଖାଇ ସେମାନଙ୍କ ମହାତ୍ମ୍ୟ ଆମକୁ କହିବେ l
ପାଣ୍ଡବମାନେ ମୁନି ମାର୍କଣ୍ଡେୟଙ୍କ ସହିତ ଯାଇ ଏକ ସ୍ଥାନରେ ପହଞ୍ଚିଲେ l ସେଠାରେ ଏକ ସରୋବରକୁ ଦେଖାଇ ମହାମୁନି ମାର୍କଣ୍ଡେୟ କହିଲେ,ତୁମେ ଏହି ପବିତ୍ର ଦଧୀଚି ତୀର୍ଥକୁ ପ୍ରଣାମ କର l ଋଷି ଦଧୀଚି ଏଠାରେ ରହି ତପସ୍ୟାକରୁଥିଲେ l ଲୋକକଲ୍ୟାଣ ପାଇଁ ଦିନେ ଦୟାଳୁୠଷି ଦଧୀଚି ତାଙ୍କ ଅସ୍ଥିକୁ ଦାନ କରି ଦେଇଥିଲେ l ଏହାକହି ପାଣ୍ତବମାନଙ୍କୁ ମହର୍ଷି ମାର୍କଣ୍ଡେୟ ଦଧୀଚିଙ୍କ କଥା ଶୁଣାଇଲେ l
ଦିନେ ସ୍ବର୍ଗରେ ସୁଧର୍ମା ସଭା ଚାଲିଥାଏ l ଉର୍ବଶୀ, ରମ୍ଭା, ମେନକା ଆଦି ଦେବନର୍ତ୍ତକୀ ମାନଙ୍କ ନୃତ୍ୟ ଗୀତର ଆସର ଜମି ଯାଇଥାଏ l ଦେବରାଜ ଇନ୍ଦ୍ର ସଚୀ ଦେବୀଙ୍କ ସହ ସିଂହାସନର ବିଜେକରିଥାନ୍ତି l କ’ଣ କେଉଁଏକ କଥାପାଇଁ କିନ୍ତୁ ଇନ୍ଦ୍ର ଖୁବ୍ ବିରସ ଦେଖାଯାଉଥାନ୍ତି l ଏହି ସମୟରେ ଦେବର୍ଷି ନାରଦ ଆସି, ସେଠାରେ ପହଁଚିଲେ l ଦେବରାଜଙ୍କୁ ଏପରି ବିରସ ଦେଖି ସେ କାରଣ ପଚାରିବାରୁ, ଦେବରାଜ କହିଲେ,ହେ ମହାମୁନି ! ଆପଣଙ୍କୁ କେଉଁ କଥା ବା ଅଜଣା ଅଛି l ସର୍ବ ସମ୍ପଦ ଥାଇ, ମୋ ବିରସତାର ଗୋଟିଏ କାରଣ ହେଉଛି ମଧୁବିଦ୍ୟା l ଏହି ବିଦ୍ୟା ମୋ ପାଖରେ ନଥିବାରୁ ମୁଁ ଅଭାବବୋଧରେ ଘାରି ହେଉଛି l ନାରଦ କହିଲେ, ଓ ଏହି କଥା l ଆପଣ ଗୋଟିଏ କାମ କରନ୍ତୁ, ମୁଁ ଶୁଣିଛି ଭଗବାନ ବିଷ୍ଣୁଙ୍କ ଠାରୁ ମହର୍ଷି ଦଧୀଚି, ମଧୁବିଦ୍ୟା ପ୍ରାପ୍ତ ହୋଇଛନ୍ତି l ଆପଣ ତାଙ୍କଠାରୁ ଯାଇ ଏହା ଶିକ୍ଷା କରନ୍ତୁ l
ଇନ୍ଦ୍ର ସଙ୍ଗେ ସଙ୍ଗେ ଦଧୀଚି ମୁନିଙ୍କ ଆଶ୍ରମକୁ ଯାତ୍ରା କଲେ l ଇନ୍ଦ୍ରଙ୍କୁ ଦେଖି ଦଧୀଚି ଆପଣ କିଏ ବୋଲି ପଚାରିବାରୁ ଇନ୍ଦ୍ର ନିଜର ପରିଚୟ ଦେଇ କହିଲେ, ମୁଁ ଶୁଣିଛି ଆପଣଙ୍କ ନିକଟରେ ଏକ ଅଦ୍ଭୂତ ବିଦ୍ୟା ମଧୁବିଦ୍ୟା ଅଛି l ଶୁଣିଛି ସେହି ଅଦ୍ଭୁତ ବିଦ୍ୟାଦ୍ୱାରା ଅସମ୍ଭବକୁ ସମ୍ଭବ କରିହେବ l ମୁଁ ଆପଣଙ୍କ ଶିଷ୍ୟ ହେଉଛି l ଆପଣ ମୋତେ ମଧୁବିଦ୍ୟା ଶିକ୍ଷାଦିଅନ୍ତୁ l
ଦଧୀଚି କହିଲେ, ତୁମେ ଯାହା କହିଲ ତାହା ଠିକ୍ l କିନ୍ତୁ ମୁଁ ଏହି ବିଦ୍ୟା ଅଶ୍ୱିନୀ କୁମାର ଦ୍ୱୟଙ୍କୁ ଦେବି ବୋଲି ଅଙ୍ଗୀକାର କରିସାରିଛି l ଏହା ଆଉ ତୁମକୁ ପ୍ରଦାନ କରିବା ସମ୍ଭବ ନୁହେଁ l
ଇନ୍ଦ୍ର ଚିନ୍ତାକଲେ, ଅଶ୍ଵିନୀକୁମାର ସାମାନ୍ୟ ବୈଦ୍ୟ ହୋଇ ଯଦି ଏ ବିଦ୍ୟା ହାସଲ କରିନେବେ ତେବେ ମୋର ତ ଇନ୍ଦ୍ରପଦ ଆଉ ରହିବନାହିଁ l କ୍ରୁଦ୍ଧହୋଇ ସେ ଦଧୀଚିଙ୍କୁ କହିଲେ, ତୁମେ ଯଦି ଏ ମଧୁ ବିଦ୍ୟା ଅଶ୍ୱିନୀ କୁମାରଙ୍କୁ ଦେଇ ଦେବ ତା’ହେଲେ ନିଶ୍ଚୟ ମୁଁ ତୁମ ଶିରଚ୍ଛେଦ କରିବି l ଦଧୀଚି ଖୁବ୍ ଡରିଯାଇ ଇନ୍ଦ୍ରଙ୍କୁ ମଧୁବିଦ୍ୟା ଦାନ କରିବା ପାଇଁ ରାଜି ହୋଇ ଗଲେ l ଅଶ୍ୱିନୀକୁମାର ଦ୍ୱୟ ଆସି ପହଞ୍ଚିବାରୁ ସେ ତାଙ୍କୁ ସମସ୍ତ ଘଟଣା ଶୁଣାଇ କହିଲେ, ତୁମମାନଙ୍କୁ ମଧୁବିଦ୍ୟା ଦାନ ଏବେ ଆଉ ସମ୍ଭବ ନୁହଁ l ଅଶ୍ୱିନୀ କୁମାର କହିଲେ, ଆପଣ ଇନ୍ଦ୍ରଙ୍କୁ ଜମା ଭୟ କରନ୍ତୁ ନାହିଁ l ସେ ଆପଣଙ୍କ ଯଦି ଶିରଚ୍ଛେଦ କରନ୍ତି, ଆମ ପାଖରେ ବିଦ୍ୟା ଅଛି ତାହାକୁ ଯୋଡ଼ିଦେବୁ l
ଦଧୀଚି ଏକଥାରେ ରାଜି ହୋଇ ଯିବାରୁ ତାଙ୍କ ମୁଣ୍ଡ କାଟି ଦେଇ ଅଶ୍ୱିନୀ କୁମାର ତା ସ୍ଥାନରେ ଗୋଟିଏ ଅଶ୍ଵମୁଣ୍ଡ ଯୋଡ଼ିଦେଲେ ଓ ଦଧୀଚି ତାଙ୍କୁ ମଧୁବିଦ୍ୟା ଶିଖାଇ ଦେଲେ l ଇନ୍ଦ୍ର ଏକଥା ଜାଣିପାରି ଦଧୀଚିଙ୍କ ଅଶ୍ଵ ମୁଣ୍ଡକୁ କାଟି ଦେଲେ l ଅଶ୍ଵିନୀ କୁମାର ଲୁଚାଇ ରଖିଥିବା, ଅସଲ ମୁଣ୍ଡକୁ ଆଣି ଦଧୀଚିଙ୍କ ଦେହରେ ପୁଣି ଯୋଡ଼ି ଦେଲେ l ଦଧୀଚି ଖୁବ୍ ପ୍ରସନ୍ନ ହେଲେ l ଅଶ୍ଵିନୀ କୁମାର ଦ୍ବୟ ଦଧୀଚିଙ୍କ ଆଶିଷ ଲାଭ କରି ସ୍ବର୍ଗକୁ ପ୍ରତ୍ୟାବର୍ତ୍ତନ କଲେ l
ବ୍ରହ୍ମାଙ୍କ ପୁତ୍ର ଥିଲେ ତ୍ଵଷ୍ଟା l ତ୍ଵଷ୍ଟାଙ୍କ ଅସୁରୀ ପତ୍ନୀଙ୍କ ଗର୍ଭରୁ ତିନୋଟି ମୁଣ୍ଡ ଥିବା ତ୍ରିଶିରା ନାମକ ରାକ୍ଷସ ପୁତ୍ରଟିଏ ଜନ୍ମହେଲା l ସେ ଗୋଟିଏ ମୁଖରେ ବେଦ ପାଠକରେ l ଅନ୍ୟ ମୁଖରେ ରାମନାମ ଜପ କରେ l ତୃତୀୟ ମୁଖରେ ସେ ସୁରାପାନ କରେ l ସେ କ୍ରମେ ଅନେକ ଜାଗ ଯଜ୍ଞ କରି, ବହୁ ପୂଣ୍ୟ ଅର୍ଜନ କଲା l କିନ୍ତୁ, ଦେବତାମାନେ ଏହାକୁ ସହି ପାରିଲେ ନାହିଁ l ଦେବତାମାନେ ଦେବରାଜଙ୍କୁ ଏ କଥା ଜଣାଇବାରୁ ସେ ତ୍ରିଶିରର ମସ୍ତକ ଚ୍ଛେଦନକଲେ l ଏଥିରେ କ୍ଷୁବ୍ଧ ହୋଇ, ତ୍ଵଷ୍ଟା ମୁନି ଏକ ଯଜ୍ଞ କଲେ l ସେହି ଯଜ୍ଞରୁ ଜନ୍ମହେଲା ବୁତ୍ରାସୁର l ପୁତ୍ର ବୁତ୍ରାସୁର ତ୍ଵଷ୍ଟା ମୁନିଙ୍କ ଉପଦେଶରେ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରି ସିଦ୍ଧି ଲାଭ କଲା l ବିଷ୍ଣୁଙ୍କ ବରରେ ସେ ଅମିତ ପରାକ୍ରମ ଶାଳୀ ହୋଇଉଠିଲା ଓ ଦିନେ ସ୍ବର୍ଗ ଆକ୍ରମଣ କରି ଇନ୍ଦ୍ରଙ୍କୁ ପରାଜିତ କଲା l ବିତାଡ଼ିତ ଦେବତା ମାନେ ଯାଇ ବ୍ରହ୍ମାଙ୍କ ଶରଣ ପଶିଲେ l
ବ୍ରହ୍ମାଙ୍କ ଉପଦେଶରେ ସମସ୍ତ ଦେବତାମାନେ ଯାଇ ଭଗବାନ ବିଷ୍ଣୁଙ୍କୁ ବୁତ୍ରାସୁର କବଳରୁ ରକ୍ଷା ନିମନ୍ତେ ପ୍ରାର୍ଥନା କଲେ l ବିଷ୍ଣୁ କହିଲେ, ସିଏ ମୋର ପରମ ଭକ୍ତ l ମୁଁ ତାକୁ ମାରି ପାରିବି ନାହିଁ l କିନ୍ତୁ ଗୋଟିଏ ଉପାୟ ଅଛି ତୁମେମାନେ ଯଦି କରିପାରିବ ତେବେ ଶାନ୍ତିରେ ରହିବ l ସେହି ଉପାୟଟି ହେଲା, ଇନ୍ଦ୍ରଙ୍କ ସହିତ ତୁମେମାନେ ଯାଇ ମହର୍ଷି ଦଧୀଚିଙ୍କୁ ପ୍ରାର୍ଥନା କର l ସେ ଜୀବନ୍ତ ସମାଧି ନେଇ, ତାଙ୍କ ଅସ୍ଥି ଦାନ କରିବେ l ସେହି ଅସ୍ଥିରେ ବଜ୍ର ନିର୍ମାଣ ହେବ ଏବଂ ତହିଁରେ ବୁତ୍ରାସୁରର ନିଧନ ହେବ l
ଇନ୍ଦ୍ରଙ୍କୁ ଆଗରେ ରଖି ସବୁ ଦେବତା ମାନେ ଦଧୀଚି ଋଷିଙ୍କ ଆଶ୍ରମରେ ପହଁଚି ସମସ୍ତକଥା କହି ତାଙ୍କର ଅସ୍ଥିଦାନ ପାଇଁ ପ୍ରାର୍ଥନାକଲେ l ପରମଦୟାଳୁ ମୁନି କହିଲେ,ଯଦି ମୋ ମୃତ୍ୟୁରେ ଦେବତାଙ୍କ ଉପକାର ହୁଏ ତେବେ ଏହାହେବ ମୋର ପରମ ସୌଭାଗ୍ୟ l ଏହା କହି ଦଧୀଚି ଯୋଗାରୁଢ ହୋଇ ଦେହ ତ୍ୟାଗ କଲେ l ଦେବତାମାନେ ତାଙ୍କ ଅସ୍ଥିକୁ ନେଇ ଇନ୍ଦ୍ରଙ୍କୁ ଦେଲେ l ସେହି ଅସ୍ଥିରୁ ନିର୍ମିତ ହେଲା ଇନ୍ଦ୍ରଙ୍କ ମହା ଶକ୍ତିଶାଳୀ ଅସ୍ତ୍ର ବଜ୍ର l ସେହି ବଜ୍ର ପ୍ରହାରରେ ଇନ୍ଦ୍ର ବୁତ୍ରାସୁରକୁ ନିଧନକରି ଇନ୍ଦ୍ରପଦ ଫେରି ପାଇଲେ l ସ୍ବର୍ଗରାଜ୍ୟ ପୁଣି ଦେବତାଙ୍କ କର୍ତୁତ୍ତ୍ଵକୁ ଆସିଲା l
ଉପାଖ୍ୟାନ ଶେଷକରି ମହର୍ଷି ମାର୍କଣ୍ଡେୟ କହିଲେ, ୠଷି ଦଧୀଚିଙ୍କ ତ୍ୟାଗ କଥା ବହୁ ପୁରାଣରେ ବର୍ଣ୍ଣିତ ହୋଇଛି l ଋଗ୍‌ ବେଦରେ ଦଧୀଚି, ଅଥର୍ବଣ ୠଷିଙ୍କ ପୁତ୍ରବୋଲି କୁହାଯାଇଛି l କେତେକ ସ୍ଥାନରେ ତାଙ୍କୁ ଦଧୢାଞ୍ଚ ଏବଂ ଦଧୢାଙ୍ଗ ଭାବେ ବର୍ଣ୍ଣନା କରାଯାଇଛି l କଳ୍ପଜୀବି ମୁନି ମାର୍କଣ୍ଡେୟଙ୍କଠାରୁ ଦଧୀଚି ତୀର୍ଥର ମାହାତ୍ମ୍ୟ ଶୁଣି ପାଣ୍ତବମାନେ ସେହି ତୀର୍ଥକୁ ପ୍ରଣାମ କରି ଆଗକୁ ଅଗ୍ରସର ହେଲେ l
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.