ବାଲେଶ୍ୱର, ୨୮/୧୧ (କୃଷ୍ଣ କୁମାର ମହାନ୍ତି): ଜନଜୀବନ ସହ ଜଡ଼ିତ ମୌଳିକ ସମସ୍ୟାର ସମାଧାନ ଓ ୧୦ ଦଫା ଦାବି ପୂରଣ ନିମନ୍ତେ ଶୁକ୍ରବାର ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ରେମୁଣା ଆଞ୍ଚଳିକ କମିଟି ପକ୍ଷରୁ ରେମୁଣା ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ବନ୍ୟା ବିପନ୍ନଙ୍କୁ ରିଲିଫ୍, ଚାଷୀଙ୍କ ଋଣ ଛାଡ଼, ଭୂମିହୀନଙ୍କୁ ଘରଡିହ ପଟ୍ଟା, ଆବାସ ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ଓ ତୁରନ୍ତ ପଲିଥିନ ବଣ୍ଟନ ଭଳି ଦାବି ନେଇ ଶତାଧିକ ଲୋକ ଆନ୍ଦୋଳନରେ ସାମିଲ ହୋଇଥିଲେ।
ସିପିଆଇ(ଏମ୍) ରେମୁଣା ଆଞ୍ଚଳିକ କମିଟି ସମ୍ପାଦକ ହରପ୍ରିୟା ଜେନାଙ୍କ ନେତୃତ୍ୱରେ ହାତୀଆଗଣ୍ଡ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ରେମୁଣା ବଜାର ପରିକ୍ରମା କରି ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ଦଳୀୟ କର୍ମୀ ଓ ସାଧାରଣ ଲୋକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅତିରିକ୍ତ ବିଡିଓ ଓ ତହସିଲଦାରଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ କରିଥିଲେ।
ତେବେ ପଲିଥିନ ବଣ୍ଟନକୁ ନେଇ ତହସିଲ କାର୍ଯ୍ୟାଳୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ବନ୍ୟା ଓ ଲଗାଣ ବର୍ଷାରେ ଘର ଭାଙ୍ଗିଯାଇଥିବା ଅନେକ ପରିବାର ଏଯାଏଁ ପଲିଥିନ ପାଇନଥିବା ଅଭିଯୋଗ କରି ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହି ସମୟରେ ଅତିରିକ୍ତ ତହସିଲଦାର ମନୋଜ ସାହୁ ପଲିଥିନ ମହଜୁଦ ନଥିବା କହି ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ। ଆଠ ଦିନ ମଧ୍ୟରେ ପଲିଥିନ ଆସିଲେ ବଣ୍ଟନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାରଙ୍କୁ ରିଲିଫ୍ ସହାୟତା ପାଇଁ ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ, ତାହାକୁ ନେଇ ଆନ୍ଦୋଳନକାରୀମାନେ ପ୍ରଶ୍ନ ଉଠାଇଥିଲେ।
ବିକ୍ଷୋଭରେ ଜିଲ୍ଲା ସମ୍ପାଦକ ଶିଶିର ହୁଇ ଯୋଗଦେଇ ଦାବିଗୁଡ଼ିକ ଉପରେ ବିସ୍ତୃତ ମତ ରଖିଥିଲେ। ଜଳ ନିଷ୍କାସନ ବ୍ୟବସ୍ଥାର ସ୍ଥାୟୀ ସମାଧାନ, ବନ୍ୟା ନିୟନ୍ତ୍ରଣ, ବନ୍ୟାଞ୍ଚଳର ଚାଷୀଙ୍କୁ କ୍ଷତିପୂରଣ, ସମସ୍ତ ଚାଷୀଙ୍କ ଋଣ ଛାଡ଼, ବାତ୍ୟା ଓ ଲଗାଣ ବର୍ଷାରେ ଘର ଭାଙ୍ଗିଥିବା ପରିବାରଙ୍କୁ ଆର୍ଥିକ ସହାୟତା ଏବଂ ତୁରନ୍ତ ପଲିଥିନ ଯୋଗାଣ ଦାବି କରାଯାଇଥିଲା।
ଏଥିସହ ଭୂମିହୀନଙ୍କୁ ଘରଡିହ ପଟ୍ଟା, ଭାଗଚାଷୀଙ୍କୁ ଚାଷୀ ଭାବେ ସ୍ୱୀକୃତି ଦେଇ ସରକାରୀ ସୁବିଧା ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ପ୍ଲସ୍ ସର୍ଭେରେ ଚିହ୍ନଟ ହୋଇଥିଲେ ମଧ୍ୟ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ନାମ ପୁନଃ ସାମିଲ କରି ଆବାସ ଯୋଗାଇବା ଏବଂ ସମସ୍ତ ବୟସ୍କ ଓ ଅସହାୟଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ପ୍ରଦାନ ଦାବି ଉଠିଥିଲା।
ଅନ୍ୟାନ୍ୟ ଦାବି ମଧ୍ୟରେ ଏମ୍.ଏମ୍.ଡି.ଆର୍. ସଂଶୋଧିତ ଆଇନ ବାତିଲ କରି ରାଜ୍ୟକୁ ଖଣିଜ ସମ୍ପଦ ଉପରେ ଅଧିକାର ପ୍ରଦାନ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ନିୟନ୍ତ୍ରଣ, ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଣ, ଏସ୍.ଆଇ.ଆର୍. ବାତିଲ ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ଦାବି ମଧ୍ୟ ରହିଥିଲା।
ଆନ୍ଦୋଳନରେ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରେମ ରଞ୍ଜନ ପାତ୍ର, ରେମୁଣାର ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ଷଡ଼ଙ୍ଗୀ, ଅକ୍ଷୟ ରଣା, ସୁଦର୍ଶନ ବେହେରା, କ୍ଷେତମଜଦୁର ୟୁନିଅନ୍ର ଜିଲ୍ଲା ସଭାପତି ଦେବବ୍ରତ ମାଝୀ, କୃଷକ ସଭା ବ୍ଲକ୍ ସଭାପତି ପ୍ରଭାକର ବେହେରା, ରାମଚନ୍ଦ୍ର ପ୍ରଧାନ, ସିକନ୍ଦର ଖାଁ, ସୁଦର୍ଶନ ଆଚାର୍ଯ୍ୟ, ସୁଜିତ ପଣ୍ଡିତ, ମଣ୍ଟୁ ନାୟକ, ସେକ୍ ଆଲ୍ଲାବୁଦ୍ଧିନ, ସେକ୍ ଆଜମତ, ବୀରେନ୍ଦ୍ର ସିଂ, କିଶୋର ସିଂ ଓ ନମିତା ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ଆୟୋଜକଙ୍କ ସୂଚନା ଅନୁଯାୟୀ, ପ୍ରାୟ ପାଞ୍ଚଶହରୁ ଊର୍ଦ୍ଧ୍ୱ ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ପଲିଥିନ ବଣ୍ଟନ ପାଇଁ ପ୍ରଶାସନ ଆଠ ଦିନର ସମୟସୀମା ଦେଇଥିବାବେଳେ ଅନ୍ୟ ଦାବିଗୁଡ଼ିକର ସମାଧାନ କେବେ ହେବ, ତାହା ଉପରେ ଏବେ ଅଞ୍ଚଳବାସୀଙ୍କ ନଜର ରହିଛି।