ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ବାଲେଶ୍ୱରରେ ଆୟୋଜିତ ହେଲା ଜିଲ୍ଲାସ୍ତରୀୟ ଶପଥ ଗ୍ରହଣ ସମାରୋହ

•ଅଭିଯାନକୁ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ

0
ବାଲେଶ୍ୱର, ୨୮/୧୧ (କୃଷ୍ଣ କୁମାର ମହାନ୍ତି): ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲାସ୍ତରୀୟ ଶପଥଗ୍ରହଣ ସମାରୋହ ଜିଲ୍ଲାପାଳଙ୍କ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ନିରାକରଣ ପାଇଁ ସାମୂହିକ ସଂକଳ୍ପ ଗ୍ରହଣ କରାଯାଇଥିଲା।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜ୍ୟୋସ୍ନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହକୁ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଉପସଚିବ ଶ୍ରୀ ପଙ୍କଜ କୁମାର ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଅଭିଯାନର ଉଦ୍ଦେଶ୍ୟ ଓ ଏହାର ସାମାଜିକ ଗୁରୁତ୍ୱ ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଉଦ୍‌ବୋଧନ ଦେଇଥିଲେ।
ଶିଶୁମାନେ ସମାଜର ସ୍ୱର୍ଣ୍ଣିମ ଭବିଷ୍ୟତ। ସେମାନଙ୍କର ସ୍ୱାଭାବିକ ବିକାଶ ପୂର୍ବରୁ ବାଲ୍ୟ ବିବାହ ଭଳି କୁପ୍ରଥା ସେମାନଙ୍କ ଜୀବନକୁ ବିପର୍ଯ୍ୟସ୍ତ କରିଦେଉଛି। ଏହା କେବଳ ଏକ ଆଇନଗତ ଅପରାଧ ନୁହେଁ, ବରଂ ଝିଅମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ସ୍ୱାଧୀନ ଜୀବନ ଗଠନରେ ଗୁରୁତର ବାଧା ସୃଷ୍ଟି କରୁଛି। ତେଣୁ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନକୁ କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମରେ ସୀମିତ ନ ରଖି ଏକ ବ୍ୟାପକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା।
ଅଭିଯାନକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ପଞ୍ଚାୟତରେ ମଧ୍ୟ ଏହା ପାଳନ କରାଯାଇଥିଲା।
ସମାରୋହରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଚିକିତ୍ସା ଅଧିକାରୀ ଶ୍ରୀ ସୂର୍ଯ୍ୟ କୁମାର ରାଉତରାୟ, ପ୍ରୋଟେକ୍ସନ ଅଧିକାରିଣୀ ଶ୍ରୀମତୀ ଯୁଥିକାରାଣୀ ରାୟ, ପ୍ରୋଗ୍ରାମ ଅଧିକାରିଣୀ ଶ୍ରୀମତୀ ଗିରିବାଲା ମହାନ୍ତ, ପ୍ରୋଗ୍ରାମ ଅଧିକାରିଣୀ ଶ୍ରୀମତୀ ଜୟନ୍ତୀ ମିଶ୍ର, ଡିପିସି ମିଶନ ଶକ୍ତି ଶ୍ରୀ କାର୍ତ୍ତିକ ଚନ୍ଦ୍ର ନାୟକ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଖୁସିରାମ ଗହିରଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ।
ଅଭିଯାନର ସଫଳ ରୂପାୟଣ ପାଇଁ ଜିଲ୍ଲାର ଶିଶୁ ପ୍ରକଳ୍ପ ଅଧିକାରିଣୀ, ସୁପରଭାଇଜର, ଅଙ୍ଗନବାଡ଼ି ଓ ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, କିଶୋରୀ ବାଳିକା, ପୁରୋହିତ, ମୌଲବୀ, ବିବାହ ଆୟୋଜକ, ଟେଣ୍ଟ ହାଉସ ଓ ଗାଡ଼ି ମାଲିକ, ଫୁଲ ଦୋକାନୀ, ଏକକ ସହାୟତା କେନ୍ଦ୍ର ଏବଂ ଜିଲ୍ଲା ସମାଜ ମଙ୍ଗଳ ଓ ମହିଳା ସଶକ୍ତିକରଣ କାର୍ଯ୍ୟାଳୟର କର୍ମକର୍ତ୍ତାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ଜିଲ୍ଲା ପ୍ରକଳ୍ପ ସଂଯୋଜକ (ମମତା) ଶ୍ରୀ ବାମଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ମହିଳା ସଶକ୍ତିକରଣ କାର୍ଯ୍ୟାଳୟର ଜିଲ୍ଲା ସଂଯୋଜକ ଶ୍ରୀ ପ୍ରଦୀପ କୁମାର ପାଲ ଧନ୍ୟବାଦ ଅର୍ପଣ କରି ସମାରୋହର ସମାପନ କରିଥିଲେ।
Leave A Reply

Your email address will not be published.