ବାଲେଶ୍ଵର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବଡ଼ ପଦକ୍ଷେପ : ବିଧାନସଭାରେ ବିଧାୟକ ମାନସ ଦତ୍ତଙ୍କ ଉଦ୍ୟମ

•ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ଦାୟିତ୍ୱ ଆଇଆଇଟି ରୁର୍‌କୀକୁ

0
ବାଲେଶ୍ୱର, ୨୮/୧୧ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ଦୀର୍ଘଦିନର ଜଳବନ୍ଦୀ ଓ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଆଇଆଇଟି ରୁର୍‌କୀକୁ ନିର୍ଦ୍ଦେଶ ଦିଆଯାଇଥିବା କଥା ବିଧାନସଭାରେ ସ୍ପଷ୍ଟ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ବାଲେଶ୍ୱରର ଜଳବନ୍ଦୀ ସମସ୍ୟାକୁ ବିଧାନସଭାରେ ଉଠାଇ ସଦର ବିଧାୟକ ମାନସ କୁମାର ଦତ୍ତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସହର ସମେତ ସଦର ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ବର୍ଷା ଋତୁରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେଉଥିବାରୁ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଆଇଆଇଟି ରୁର୍‌କୀକୁ ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି କି ନାହିଁ, ସେନେଇ ବିଧାୟକ ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗୃହକୁ ଅବଗତ କରାଇଥିଲେ ଯେ, ବାଲେଶ୍ୱରର ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଟି ରୁର୍‌କୀକୁ ଏହି ଦାୟିତ୍ୱ ଦିଆଯାଇଛି।
ବିଧାୟକ ମାନସ ଦତ୍ତ ଦୀର୍ଘଦିନ ଧରି ଏହି ସମସ୍ୟାକୁ ପ୍ରାଥମିକତା ଦେଇ ବିଭିନ୍ନ ସ୍ତରରେ ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି। ଆଇଆଇଟି ରୁର୍‌କୀର ବିଶେଷଜ୍ଞଙ୍କ ସହଯୋଗରେ ବୈଜ୍ଞାନିକ ଆଧାରିତ ଯୋଜନା ପ୍ରସ୍ତୁତ ହେଲେ ବାଲେଶ୍ୱରର ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାର ସୁଯୋଗ ସୃଷ୍ଟି ହେବ।
କେବଳ ତାତ୍କାଳିକ ରିଲିଫ୍ କିମ୍ବା ଅସ୍ଥାୟୀ ପଦକ୍ଷେପ ନୁହେଁ, ଆଗାମୀ ପିଢ଼ିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ଦୀର୍ଘମିଆଦୀ ଓ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା ଗଢ଼ିତୋଳିବା ହେଉଛି ଏହି ପ୍ରୟାସର ମୂଳ ଲକ୍ଷ୍ୟ। ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ଜଳବନ୍ଦୀମୁକ୍ତ ବାଲେଶ୍ୱର ଗଠନ ଦିଗରେ ଏକ ଆଶାଜନକ ଅଗ୍ରଗତି ବୋଲି ମନେ କରାଯାଉଛି।
Leave A Reply

Your email address will not be published.