ଏନ୍‌ଜିଓଙ୍କୁ ବିଦେଶୀ ଅନୁଦାନ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ : ବେସରକାରୀ ସଂଗଠନ (ଏନ୍‌ଜିଓ)ଗୁଡ଼ିକ ଦ୍ବାରା ବିଦେଶୀ ଅନୁଦାନ ଗ୍ରହଣ ଓ ତାହାର ବିନିଯୋଗ ନେଇ ଥିବା​‌ ନିୟମରେ ସଂଶୋଧନ ଆଣିଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ଏହା ଏନ୍‌ଜିଓ ଭାବେ ପଞ୍ଜୀକୃତ ହୋଇଥିବା ଧାର୍ମିକ ସଂସ୍ଥାକୁ ଅଧିକ ବିଦେଶୀ ଅନୁଦାନ ମିଳିବାରେ ସହାୟକ ହେବ ଏବଂ ଧର୍ମାନ୍ତରୀକରଣରେ ବାଧକ ସାଜିବ ବୋଲି ଆଶା କରାଯାଉଛି। ନୂତନ ନିୟମ ଅନୁଯାୟୀ କୌଣସି ଏନ୍‌ଜିଓର ପଦାଧିକାରୀ ଯଦି ବିଦେଶୀ ନାଗରିକ ହୋଇଥାନ୍ତି ତେବେ ସେହି ଏନ୍‌ଜିଓକୁ ସାଧାରଣ ଭାବେ ପଞ୍ଜୀକୃତ କରାଯିବ ନାହିଁ। ସେହିପରି ଏଭଳି ଏନ୍‌ଜିଓକୁ ବିଦେଶୀ ଅନୁଦାନ ସଂଗ୍ରହ କରିବାକୁ ସ୍ବତଃସ୍ଫୂର୍ତ୍ତ ଭାବେ ଅନୁମତି ମିଳିବ ନାହିଁ।
ଏନ୍‌ଜିଓ କେଉଁ ଅଞ୍ଚଳରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହାର ସଂପୂର୍ଣ୍ଣ ବିବରଣୀ ସହ ସେମାନଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟର ବିବରଣୀ ପ୍ରଦାନ ନୂତନ ନିୟମରେ ବାଧ୍ୟତାମୂଳକ କରଯାଇଛି। ବିଦେଶୀ ଅନୁଦାନ ବିନିୟମ ଆଇନ (ଏଫ୍‌ସିଆରଏ)ରେ ସଂଶୋଧନ ଚିଠା ଗତ ମାର୍ଚ୍ଚରେ କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ବେଳେ ଏହାକୁ ଆଗାମୀ ସଂସଦ ଅଧିବେଶନରେ ଉପସ୍ଥାପନ କରି ଆଇନରେ ପ୍ରଣୟନ କରିବାକୁ ପ୍ରୟାସ କରାଯିବ ବୋଲି ଜଣାପଡ଼ିଛି। ଏଫ୍‌ସିଆରଏ ସଂଶୋଧନ ଚିଠା ଅନୁଯାୟୀ କୌଣସି ବିଦେଶୀ ନାଗରିକ ଏନ୍‌ଜିଓର ପଦାଧିକାରୀ ହେବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ଆଣିବାକୁ ପଡ଼ିବ। ସୂଚାନଥାଉ କି ଏଫ୍‌ସିଆରଏ ନିୟମ, ୨୦୧୧ ଅନୁଯାୟୀ ବିଗତ ବର୍ଷଗୁଡ଼ିକରେ ଏନ୍‌ଜିଓ ଗୁଡ଼ିକ ବିଦେଶୀ ଅନୁଦାନ ହାସଲ ଓ ସେଗୁଡ଼ିକର ବିନିଯୋଗ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏକାଧିକ ସଂଶୋଧନ କରାଯାଇଛି। ନୂତନ ସଂଶୋଧନ ଚିଠା ଅନୁଯାୟୀ ବିଦେଶୀ ଅନୁଦାନ ହାସଲ କରିବା କ୍ଷେତ୍ରରେ ଏନ୍‌ଜିଓ ମାନଙ୍କୁ ଏହା ପଛରେ ଥିବା ପ୍ରକୃତ ଉଦ୍ଦେଶ୍ୟ ଏବଂ କେଉଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଅନୁଦାନ ବିନିଯୋଗ ହେବ ସେ ସଂପର୍କରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବାକୁ ହେବ। ସେହିପରି ଏନ୍‌ଜିଓ ପଞ୍ଜୀକରଣ ନିମନ୍ତେ ଆବେଦନ କରିବା ସମୟରେ କେଉଁ ଉଦ୍ଦେଶ୍ୟ ରଖି ଏନଜିଓ ଗଠନ ହୋଇଛି ଏବଂ ଏନ୍‌ଜିଓଟି କେଉଁ ଅଞ୍ଚଳରେ କାର୍ଯ୍ୟ କରିବ ତାହା ସ୍ପଷ୍ଟ ଭା​‌େ​‌ବ ଦର୍ଶାଇବାକୁ ହେବ। ଧାର୍ମିକ, ସାଂସ୍କୃତିକ, ଅର୍ଥନୈତିକ, ଶିକ୍ଷା ଓ ସାମାଜିକ କ୍ଷେତ୍ର ମଧ୍ୟରୁ ଏନ୍‌ଜିଓଟି କେଉଁ କ୍ଷେତ୍ରରେ କାର୍ଯ୍ୟ କରିବ ତାହା ଆବେଦନପତ୍ରରେ ସ୍ପଷ୍ଟ କରିବାକୁ ହେବ। ଏନ୍‌ଜିଓମାନେ ଧର୍ମାନ୍ତରୀକରଣ କାର୍ଯ୍ୟରେ ଯେପରି ଲିପ୍ତ ନ ହୁଅନ୍ତି ସେଥିପ୍ରତି ସଂଶୋଧନ ଚିଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୦୨୬ ପୂର୍ବରୁ ଯେଉଁ ଏନ୍‌ଜିଓମାନେ ପଞ୍ଜୀକୃତ ହୋଇଛନ୍ତି ସେମାନେ ସରକାରଙ୍କୁ ଏନ୍‌ଜିଓ ଗଠନର ଉଦ୍ଦେଶ୍ୟ ଓ ନିଜ କାର୍ଯ୍ୟକ୍ଷେତ୍ରରେ ବିବରଣୀ ପ୍ରଦାନ କରିବେ।
ଯେଉଁ ଏନ୍‌ଜିଓମାନେ ବିଦେଶୀ ଅନୁଦାନ ପାଉଛନ୍ତି ସେମାନେ ପଞ୍ଜୀକରଣ କିମ୍ବା ପୂର୍ବରୁ ହୋଇଥିବା ପଞ୍ଜୀକରଣର ନବୀକରଣ ପାଇଁ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ବିଦେଶରୁ ପାଉଥିବା ଅନୁଦାନ ସମ୍ପର୍କରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ଏନ୍‌ଜିଓ ମଧ୍ୟସ୍ଥଙ୍କ ଜରିଆରେ ବିଦେଶୀ ଅନୁଦାନ ପାଉଛି ତେବେ ସେ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ପଡ଼ିବ। ସେହିପରି ଏନ୍‌ଜିଓମାନଙ୍କୁ ନିଜର ବାର୍ଷିକ ରିଟର୍ଣ୍ଣ ଦାଖଲ କରିବା ସମୟରେ ସେମାନେ କେଉଁ କ୍ଷେତ୍ରରେ କେତେ କାମ କରିଛନ୍ତି ତାହାର ସଂପୂର୍ଣ୍ଣ ଆର୍ଥିକ ବିବରଣୀ ପ୍ରଦାନ କରିବାକୁ ହେବ। ଏଥିସହ ଏନ୍‌ଜିଓ ତରଫରୁ କୌଣସିିି ପୁସ୍ତକ ପ୍ରକାଶ କରାଯାଉଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ସୂଚନା ଦେବାକୁ ହେବ। ୨୦୧୧ ଏଫ୍‌ସିଆରଏ ଆଇନରେ ଏନ୍‌ଜିଓକୁ ମିଳୁଥିବା ବିଦେଶୀ ଅନୁଦାନ ଯେପରି ଦେଶର ସ୍ବାର୍ଥ ଓ ସୁରକ୍ଷା ଉପରେ କୁପ୍ରଭାବ ନ ପକାଇବ ସେଥିପ୍ରତି ଗୁରୁତ୍ବ ପ୍ରଦାନ କରାଯାଇଛି।

Comments are closed.