ସ୍ୱାସ୍ଥ୍ୟ ମିତ୍ରଙ୍କ ଚାକିରି ଛଡ଼ାଇବା ନିଷ୍ପତ୍ତି ପ୍ରତ୍ୟାହାର ଦାବୀ:

ଭୁବନେଶ୍ୱର ଆନ୍ଦୋଳନକୁ IFTU ର ପୂର୍ଣ୍ଣ ସମର୍ଥନ

ଭୁବନେଶ୍ୱର,:-୨୩/୦୬:-ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାୟ ୯୯୩ ଜଣ ସ୍ୱାସ୍ଥ୍ୟ ମିତ୍ରଙ୍କୁ ଚାକିରିରୁ ବାଦ (Disengagement) କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ବିରୋଧରେ ଗତକାଲି ଠାରୁ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଇଣ୍ଡିଆନ ଫେଡେରେସନ ଅଫ ଟ୍ରେଡ ୟୁନିଅନ୍ସ (IFTU), ଓଡ଼ିଶା ରାଜ୍ୟ କମିଟି ଦୃଢ଼ ସମର୍ଥନ ଜଣାଉଛି।
ଦୀର୍ଘ ବର୍ଷ ଧରି ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ନିଷ୍ଠାର ସହିତ କାର୍ଯ୍ୟ କରିଆସୁଥିବା ସ୍ୱାସ୍ଥ୍ୟ ମିତ୍ରମାନଙ୍କୁ ହଠାତ୍ ଚାକିରିରୁ ବାଦ ଦେବା ଏକ ନିଷ୍ଠୁର, ଅମାନବିକ ଏବଂ ଶ୍ରମିକ ବିରୋଧୀ ପଦକ୍ଷେପ। ଯେଉଁ କର୍ମଚାରୀମାନେ କୋଭିଡ୍ ମହାମାରୀ ସମୟରେ ନିଜ ଜୀବନକୁ ବିପଦରେ ପକାଇ ଜନସାଧାରଣଙ୍କ ସେବା କରିଥିଲେ, ଆଜି ସେହି କର୍ମଚାରୀଙ୍କୁ ରାସ୍ତାକୁ ଠେଲି ଦେବା ସରକାରଙ୍କ କୃତଘ୍ନତାର ପରିଚୟ।
ନିର୍ବାଚନ ପୂର୍ବରୁ ବିଜେପି ଓଡ଼ିଶାର ଯୁବକ ଓ ଶ୍ରମଜୀବୀ ଲୋକଙ୍କୁ ନିଯୁକ୍ତି, ରୋଜଗାର ଏବଂ ଦାଦନ ସମସ୍ୟାର ସମାଧାନର ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ସରକାରକୁ ଆସିବା ପରେ ସେହି ପ୍ରତିଶ୍ରୁତି ପାଳନ କରିବା ପରିବର୍ତ୍ତେ ଚାକିରି ଛଡ଼ାଇର ଅଭିଯାନ ଆରମ୍ଭ କରିଛି। ରାଜ୍ୟରେ ଦାଦନ ସମସ୍ୟା କମିବା ତ ଦୂରର କଥା, ବରଂ ବେକାରି ଓ ଅନିଶ୍ଚିତ ନିଯୁକ୍ତି ବଢ଼ି ଚାଲିଛି।
ସମ୍ପ୍ରତି ଶ୍ରମ ଓ ଇଏସଆଇ ବିଭାଗର ୧୧୧ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କୁ ଚାକିରିରୁ ବାଦ ଦିଆଯାଇଛି। ବର୍ତ୍ତମାନ ସ୍ୱାସ୍ଥ୍ୟ ମିତ୍ରଙ୍କ ଉପରେ ସେହି ଆକ୍ରମଣ ହୋଇଛି। ଏହା ପ୍ରମାଣ କରୁଛି ଯେ ଡବଲ୍ ଇଞ୍ଜିନ୍ ସରକାର ନିଯୁକ୍ତି ସୃଷ୍ଟି କରିବାରେ ବିଫଳ ହୋଇ ଆଉଟସୋର୍ସିଂ କର୍ମଚାରୀଙ୍କୁ ବଳି ପକାଉଛି।
ସରକାର ବିଭିନ୍ନ ଯୋଜନା ପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଶ୍ରମିକ ଓ କର୍ମଚାରୀଙ୍କ ଜୀବିକା ସୁରକ୍ଷା ପ୍ରତି ଉଦାସୀନ ରହିଛନ୍ତି। ଆର୍ଥିକ ଭାରର ଦୋହାଇ ଦେଇ ଦୀର୍ଘ ବର୍ଷ ଧରି କାମ କରୁଥିବା କର୍ମଚାରୀଙ୍କୁ ଚାକିରିରୁ ବାଦ ଦେବା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ।
IFTU ଓଡ଼ିଶା ରାଜ୍ୟ କମିଟି ଦାବି କରୁଛି:

  • ସ୍ୱାସ୍ଥ୍ୟ ମିତ୍ରଙ୍କ Disengagement ଆଦେଶ ତୁରନ୍ତ ପ୍ରତ୍ୟାହାର କରାଯାଉ।
  • ସମସ୍ତ Disengaged କର୍ମଚାରୀଙ୍କୁ ତୁରନ୍ତ Re-engage କରାଯାଉ।
  • ଶ୍ରମ ଓ ଇଏସଆଇ ବିଭାଗରୁ ବାଦ ଦିଆଯାଇଥିବା ୧୧୧ ଜଣ କର୍ମଚାରୀଙ୍କୁ ମଧ୍ୟ ପୁନଃ ନିଯୁକ୍ତି ଦିଆଯାଉ।
  • ଆଉଟସୋର୍ସିଂ ପ୍ରଥା ବନ୍ଦ କରି ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା କରାଯାଉ।
  • ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିକ ଓ ଆଉଟସୋର୍ସିଂ କର୍ମଚାରୀଙ୍କ ଚାକିରି ସୁରକ୍ଷା ନିଶ୍ଚିତ କରାଯାଉ।
    IFTU ଓଡ଼ିଶା ରାଜ୍ୟ କମିଟି ସତର୍କ କରି ଦେଉଛି ଯେ, ସରକାର ଯଦି ତୁରନ୍ତ ଏହି ଶ୍ରମିକ ବିରୋଧୀ ନିଷ୍ପତ୍ତି ପ୍ରତ୍ୟାହାର ନ କରନ୍ତି, ତେବେ ରାଜ୍ୟର ସମସ୍ତ ଆଉଟସୋର୍ସିଂ, ଚୁକ୍ତିଭିତ୍ତିକ ଓ ଅସ୍ଥାୟୀ କର୍ମଚାରୀଙ୍କୁ ନେଇ ବ୍ୟାପକ ଗଣଆନ୍ଦୋଳନ ଗଢ଼ି ତୋଳାଯିବ।
    କର୍ମଚାରୀ ଏକତା ଜିନ୍ଦାବାଦ।
    ସ୍ୱାସ୍ଥ୍ୟ ମିତ୍ରଙ୍କ ସଂଗ୍ରାମ ଜିନ୍ଦାବାଦ। ଚାକିରି ଛଡ଼ାଇବା ନୀତି ଚଳିବ ନାହିଁ ।
    ଇଣ୍ଡିଆନ ଫେଡ଼ରସନ ଅଫ ଟ୍ରେଡ଼ ୟୁନିଅନ (IFTU) ପକ୍ଷରୁ

Comments are closed.