ବିର୍ସା ମୁଣ୍ଡାଙ୍କ ସଂଘର୍ଷ ଓ ବଳିଦାନରୁ ପ୍ରେରଣା ନେବାକୁ ଆହ୍ୱାନ

•ଶିକ୍ଷା ଓ ଆତ୍ମବିଶ୍ୱାସ ହିଁ ଜନଜାତି ସମାଜର ପ୍ରଗତିର ମୂଳମନ୍ତ୍ର: ପିଞ୍ଛାବଣିଆରେ ଜିଲ୍ଲାସ୍ତରୀୟ ଜନଜାତି ଗୌରବ ଦିବସ ପାଳିତ

0
ବାଲେଶ୍ୱର, ୧୫/୧୧ (କୃଷ୍ଣ କୁମାର ମହାନ୍ତି): ମହାନ ଜନଜାତି ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ପିଞ୍ଛାବଣିଆ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଜନଜାତି ଗୌରବ ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି। ଜନଜାତି ସମାଜର ସ୍ୱାଭିମାନ, ଅଧିକାର, ସଂଘର୍ଷ ଓ ଦେଶ ପ୍ରତି ଐତିହାସିକ ଅବଦାନକୁ ସ୍ମରଣ କରିବା ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ଆତ୍ମବିଶ୍ୱାସ ବଳରେ ଆଗକୁ ବଢ଼ିବାକୁ ଆହ୍ୱାନ ଦିଆଯାଇଥିଲା।
ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ଏବଂ ଜନଜାତି ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିପିନ ମାରାଣ୍ଡି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଦେବାଶିଷ ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ମାଳତୀ ପ୍ରଧାନ ସମ୍ମାନିତ ଅତିଥି ଥିଲେ। ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ନାଏକ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ଖୁଣ୍ଟିଆ ବିର୍ସା ମୁଣ୍ଡାଙ୍କ ସଂଘର୍ଷମୟ ଜୀବନ, ସାହସ, ନେତୃତ୍ୱ ଓ ଜନଜାତି ସମାଜ ପାଇଁ ତାଙ୍କର ଅବଦାନ ଓ ତ୍ୟାଗକୁ ସ୍ମରଣ କରିଥିଲେ। ଜନଜାତି ସମାଜର ଗୌରବମୟ ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ସହ ନୂତନ ପିଢ଼ି ନିଜ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଜନଜାତି ଛାତ୍ରଛାତ୍ରୀମାନେ ଶିକ୍ଷାକୁ ଜୀବନର ମୁଖ୍ୟ ଅସ୍ତ୍ର କରି ଦୃଢ଼ ମନୋବଳ, ଆତ୍ମବିଶ୍ୱାସ ଓ ପରିଶ୍ରମ ବଳରେ ନିଜ ଭବିଷ୍ୟତ ଗଢ଼ିବା ସହ ସମାଜର ବିକାଶରେ ଭାଗୀଦାର ହେବାକୁ ସେ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ଜନଜାତି ସମାଜର ଐତିହ୍ୟ, ସଂଘର୍ଷ ଓ ସାମାଜିକ ପରିଚୟର ସୁରକ୍ଷା ସହ ଶିକ୍ଷା, ସଚେତନତା ଓ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ମଙ୍ଗଳ ସାମ୍ପ୍ରସାରଣ ଅଧିକାରିଣୀ ମଧୁଛନ୍ଦା ଗିରି ସଭା ପରିଚାଳନା କରିଥିବା ବେଳେ ଜ୍ଞାନ ରଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ନାଏକଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆୟୋଜନରେ ସହଯୋଗ କରିଥିଲେ।
ବିର୍ସା ମୁଣ୍ଡାଙ୍କ ବୀରତ୍ୱ, ସ୍ୱାଭିମାନ ଓ ବଳିଦାନକୁ ସ୍ମରଣ କରି ଶିକ୍ଷା ଓ ସଚେତନତା ମାଧ୍ୟମରେ ଏକ ସଶକ୍ତ ଜନଜାତି ସମାଜ ଗଠନ କରିବାର ସଂକଳ୍ପ ଏହି ଦିବସ ପାଳନର ମୁଖ୍ୟ ବାର୍ତ୍ତା ଥିଲା।
Leave A Reply

Your email address will not be published.