ଭୀମପୁତ୍ର ବେଲାଳସେନ

ଅର୍ଜୁନୀ ଚରଣ ବେହେରା

ଭୀମପୁତ୍ର ବେଲାଳସେନ
===============
ଶାରଳା ମହାଭାରତରୁ ଏହି ମୌଳିକ ଉପାଖ୍ୟାନ l
ହସ୍ତୀନାପ୍ରାସାଦରେ ଯୌବନରେ ଉପନୀତ ପାଣ୍ତବ ପାଞ୍ଚଭାଇ ତଥା ଧୃତରାଷ୍ଟ୍ରଙ୍କ ଶହେ ପୁତ୍ର ମିଶି ନାନା କ୍ରୀଡ଼ାକୌତୁକ କରି ପ୍ରାସାଦକୁ ମୁଖରିତ କରୁଥାନ୍ତି l ଭୀମ ଥିଲେ ସେମାନଙ୍କ ମଧ୍ୟରେ ସବୁଠୁଁ ବଳଶାଳୀ ଓ ଅତ୍ୟନ୍ତ ଚପଳମତି l ଖେଳ ଓ ଭୋଜନରେ ସେ ସମସ୍ତଙ୍କୁ ବଳି ଯାଉ ଥିଲେ l ଭୀମ, କେତେବେଳେ ଦୁର୍ଯ୍ୟୋଧନ ଓ ତାଙ୍କ ଭାଇମାନଙ୍କ ବାଳ ଧରି ଟାଣି ଦିଅନ୍ତି ତ ପୁଣି କେତେବେଳେ ଘୋଷାଡ଼ି ଘୋଷାଡ଼ି ନେଇ କହାକୁ ଅନ୍ୟ କାହା ଉପରେ କଚାଡ଼ିଦିଅନ୍ତି l ସେ ଗାଧୋଇବା ବେଳେ ଏକା ସଙ୍ଗେ ପାଞ୍ଚ ଜଣଙ୍କୁ ଧରି ଜଳରେ ବୁଡ଼ାଇଦେଉଥିଲେ l ଗଛପରେ ଚଢ଼ି ଅନ୍ୟ ମାନେ ଫଳ ତୋଳୁଥିବା ବେଳେ ସେ ଗଛକୁ ଏତେ ଯୋରରେ ହଲାଇ ଦିଅନ୍ତି ଯେ ଫଳ ସହିତ ସମସ୍ତେ ତଳକୁ ଖସିପଡ଼ନ୍ତି l ବୃକୋଦରଙ୍କ ଏଭଳି ଦୁଷ୍ଟାମୀ ଓ ପରାକ୍ରମକୁ ଦୁର୍ଯ୍ୟୋଧନ ଓ ତାଙ୍କ ଭାଇ ମାନେ ଆଦୌ ସହ୍ୟକରି ପାରୁ ନଥିଲେ l କୁଳଗୁରୁ କୃପାଚାର୍ଯ୍ୟ ରାଜକୁମାରମାନଙ୍କୁ ଧନୁ ଓ ଅସ୍ତ୍ରବିଦ୍ୟା ଶିକ୍ଷା ଦେଉଥିଲେ l ସେଥିରେ ମଧ୍ୟ ଭୀମ ସମସ୍ତଙ୍କୁ ବଳି ଯାଆନ୍ତି l ଭୀମଙ୍କ ପ୍ରତି କ୍ରମେ ଦୁର୍ଯ୍ୟୋଧନଙ୍କ ଅସୂୟା ଭାବ ବଳବତୀ ହେବାକୁ ଲାଗିଲା l କିପରି ଭୀମଙ୍କୁ ମୂଳରୁ ଶେଷ କରିଦେବେ, ସେହି ଉପାୟ ସେ ଚିନ୍ତା କରିବାକୁ ଲାଗିଲେ l
ଭୀମ ତ ଥିଲେ ଖୁବ ଭୋଜନ ପ୍ରୀୟ l ତେଣୁ ଗଙ୍ଗା ତୀରରେ ଦୁର୍ଯ୍ୟୋଧନ ଦିନେ ଗୋଟିଏ ଘର ତିଆରି କରି ତହିଁରେ ଅନେକ ସୁମିଷ୍ଟଭୋଜନ ରଖି ପାଣ୍ଡଵ ପାଞ୍ଚଭାଇଙ୍କୁ ଭୋଜନ ଓ ଜଳକ୍ରୀଡ଼ ପାଇଁ ନିମନ୍ତ୍ରଣ କଲେ l ଭୋଜନ ବେଳେ ଭୀମଙ୍କ ଖାଦ୍ୟରେ ତୀବ୍ର କାଳକୁଟ ବିଷ ମିଶାଇ ଦୁର୍ଯ୍ୟୋଧନ ତାଙ୍କୁ ଖାଇବା ପାଇଁ ଦେଲେ l ପେଟୁ ଭୀମ ବିନା ଦ୍ବିଧାରେ ସୁମିଷ୍ଟ ଭୋଜନ ସବୁ ଖାଇ ଦେଲେ ଓ ଅନ୍ୟ ମାନଙ୍କ ସହ ଯାଇ ଜଳ କ୍ରୀଡ଼ାରେ ମାତିଗଲେ l କେତେ ସମୟ ଖେଳିସାରି ସମସ୍ତେ ଅତି କ୍ଲାନ୍ତହୋଇ ଯାଇ ବିଶ୍ରାମ ନେଉଥିଲା ବେଳେ ଭୀମ ବିଷର ପ୍ରଭାବରେ ଗଙ୍ଗା କୂଳରେ ମୂର୍ଛିତ ହୋଇପଡ଼ିଲେ l ଦୁର୍ଯ୍ୟୋଧନଙ୍କର ଆନନ୍ଦ କହିଲେ ନସରେ l ଅତ୍ୟନ୍ତ ଖୁସିହୋଇ ସେ ଭାବୁଥାଏ ଯାହାହେଉ ଏଥରକ କଣ୍ଟାଗଲା l
ଦୁର୍ଯ୍ୟୋଧନ, ସମସ୍ତଙ୍କ ଅଲକ୍ଷ୍ୟରେ, ଭୀମଙ୍କୁ ବାନ୍ଧି ନେଇ ଗଙ୍ଗାରେ ନିକ୍ଷେପ କଲେ l ଭୀମଙ୍କ ବିରାଟ ଶରୀରଟି ଅଚେତ ଅବସ୍ଥାରେ ଭାସୁ ଥାଏ l ଏପରି ଏକ ବିଶାଳ ଵପୁଶାଳୀ ସୁନ୍ଦର ଯୁବକକୁ ନଦୀରେ ଭାସୁଥିବା ସେ ସମୟରେ ସେ ବାଟରେ ଯାଉଥିବା ନାଗ ରାଜଙ୍କ କନ୍ୟା, ରୋହିତାକ୍ଷ ଦେଖିଲା l ନାଗ ରାଜ ବାସୁକୀଙ୍କ କନ୍ୟା ବେଲାବଳୀ ଓ ଅନ୍ୟ ନାଗ କନ୍ୟା ମାନଙ୍କ ସାହାଯ୍ୟରେ ଭୀମଙ୍କୁ ଉଦ୍ଧାର କରି ସେ ନାଗଲୋକକୁ ଘେନି ଗଲେ l
ସେବା ଶୁଶ୍ରୁଷା କରି, ବେଲାବଳୀ ସେଠାରେ ତାଙ୍କୁ ସୁସ୍ଥ କରାଇଲେ l ବିଷ ଛଡ଼ାଇବାପାଇଁ ନାଗକନ୍ୟା ବେଲାବଳୀ ତାଙ୍କୁ ସାତଭାଣ୍ଡ ଅମୃତ ତଥା ଅନ୍ୟାନ୍ୟ ରସାୟନ, ପାନ କରେଇଲେ l ଅଚେତ ଭୀମ ସୁସ୍ଥ ହୋଇ ଉଠି ଦେଖିଲେ,ତାଙ୍କ ସେବାରେ ଲାଗିଥିବା କନ୍ୟାଟି ଅସାମାନ୍ୟ ସୁନ୍ଦରୀ l ତାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧହୋଇ ଭୀମସେନ ତାଙ୍କୁ ନାଗରାଜ ବାସୁକୀଙ୍କ ସ୍ୱୀକୃତିରେ ବିବାହକଲେ l ନାଗରାଜ ବାସୁକୀ ମଧ୍ୟ ଭୀମଙ୍କ ପରିଚୟ ପାଇଲେ, ସେ ହେଉଛନ୍ତି, ତାଙ୍କ ଅଣନାତୁଣୀ କନ୍ୟାର ପୁତ୍ର l
କିଛିକାଳ ନାଗ ଲୋକରେ ବାସକଲା ପରେ ଦିନେ ଭୀମଙ୍କ ମାଆ କୁନ୍ତୀ ତଥା ଭାଇମାନଙ୍କ କଥା ମନେ ପଡ଼ିବାରୁ ସେ ବେଲାବଳୀଙ୍କଠାରୁ ବିଦାୟନେବାକୁ ଚାହିଁଲେ l ସେତେବେଳକୁ ଭୀମ ଓ ବେଲାବଳୀଙ୍କ ଔରସରୁ ଏକ ବଳବାନ ପୁତ୍ର ଜନ୍ମଲାଭ କରି ସାରି ଥାଏ l ପୁଅଟି ନାମ, ଭୀମସେନ ଓ ବେଲାବଳୀଙ୍କ ନାମମିଶାଇ ରଖାଯାଇଥିଲା ବେଲାଳସେନ l ଭୀମ ବେଲାବଳୀଙ୍କ ଠାରୁ ବିଦାୟ ଘେନି, କୁରୁ ରାଜ୍ୟକୁ ଫେରି ଆସିଲେ l
ବେଲାଳ ସେନ କ୍ରମେ ଯୁଦ୍ଧ ବିଦ୍ୟା ଶିକ୍ଷା କରି ଏକ ମହା ଯୋଦ୍ଧାରେ ପରିଣତ ହେଲେ l ଘଟଣା କ୍ରମେ ମହାଭାରତ ଯୁଦ୍ଧ ଆରମ୍ଭ ହେବାକୁ ଗଲା l ପାତାଳ ପୁରରେ ବେଲାଳସେନ ଶୁଣିଲା ଏହିପରି ମହାଯୁଦ୍ଧ ଗୋଟିଏ ଅଠରଦିନଧରି ଚାଲିବ l ସେ ମନେ ମନେ ଭାବିଲା, ଆରେ ଇଏ କି ଯୁଦ୍ଧ ହେବ କି, ଅଠରଦିନ ଯାଏ ଚାଲିବ l ତାହା ପୁଣି ଆଗରୁ ଘୋଷଣା ହୋଇ ସାରିଲାଣି l ମୁଁ ତ ଏଭଳି ଯୁଦ୍ଧକୁ ଗୋଟିଏ ଦିନରେ ଶେଷ କରିଦେବି l ପୁଣି ମାଆଙ୍କ ଠାରୁ ସେ ଯେତେ ବେଳେ ଶୁଣିଲାଯେ ତା ପିତା ମଧ୍ୟ ଏ ଯୁଦ୍ଧରେ ଭାଗ ନେଉଛନ୍ତି ସେ ଆଉ ନିଜକୁ ସମ୍ଭାଳି ପାରିଲାନାହିଁ l ମାଆଙ୍କଠାରୁ ଅନୁମତି ଓ ଶୁଭାଶିଷ ନେଇ ବାହାରି ପଡ଼ିଲା କୁରୁକ୍ଷେତ୍ର ଅଭିମୁଖେ l
ଭଗବାନ୍ ଶ୍ରୀକୃଷ୍ଣ ଜାଣି ଗଲେ ବେଲାଳ କୁରୁକ୍ଷେତ୍ର ଆସୁଛି ବୋଲି l ସେ ଭାବିଲେ,ଆରେ ! ଇଏତ ମୋ ଅଠରଦିନ ଯୋଜନା ମାତ୍ର ଅଠର ଦଣ୍ଡରେ ସମାପ୍ତ କରିଦେବ l ପ୍ରଭୁ ଏକ ବ୍ରାହ୍ମଣ ବେଶ ଧରି ବେଲାଳ ନିକଟରେ ପହଁଚିଗଲେ l ଜଣେ ବ୍ରାହ୍ମଣଙ୍କୁ ଆଗରେ ଦେଖି ବେଲାଳ ରଥରୁ ଓହ୍ଲାଇ ତାଙ୍କୁ ପ୍ରଣାମକଲା l ବ୍ରାହ୍ମଣ ତାକୁ କୁଆଡ଼େ ଯାଉଛ ବୋଲି ପ୍ରଶ୍ନ କଲାରୁ ବେଲାଳ କହିଲା,’ ମୁଁ ଯାଉଛି ମହାଭାରତ ଯୁଦ୍ଧରେ ଭାଗନେବାକୁ’l ଭଗବାନ୍ କହିଲେ,ଆରେ ତୁତ ଏକ ସାମାନ୍ୟ ବାଳକ l ସେ ଯୁଦ୍ଧରେ ରଥୀ ମହାରଥୀଙ୍କ ସାମ୍ନାରେ ତୁ କି ଯୁଦ୍ଧ କରିବୁ l ବେଲାଳ ବାହୁସ୍ଫୋଟ ମାରି କହିଲା, ମୁଁ ସାମାନ୍ୟ ବାଳକ ନୁହେଁ l ମୋତେ ପଥ ଛାଡ଼ନ୍ତୁ l ପ୍ରଭୁ ହସିହସି କହିଲେ, ଆଚ୍ଛା ଏମନ୍ତ କଥା l ମାତ୍ର ମୋତେ କାହିଁକି ବିଶ୍ୱାସ ହେଉ ନାହିଁ l ଆଚ୍ଛା ବାଳକ ! ତୁମେ କେଉଁ ପରି ଯୋଦ୍ଧା, ତାହାର ପ୍ରମାଣ ମୋତେ ଦେଇପାରିବ l ଏପରିକହି ଶ୍ରୀକୃଷ୍ଣ କହିଲେ,ଏବେ ଯୁଦ୍ଧ ଭୂମିରେ ସମସ୍ତ ଯୋଦ୍ଧାମାନେ ଉଭାହେଲେଣି l ତୁମେ ଶର ନିକ୍ଷେପକରି ସମସ୍ତଙ୍କ କପାଳରେ ଚନ୍ଦନ ଟୀକା ଲଗାଇ ଦିଅ ତ, ଦେଖିବା ତୁମେ କେତେ ବଡ଼ ଯୋଦ୍ଧା l ବେଲାଳ କାଳବିଳମ୍ବ ନକରି ଏକ ଅଭିମନ୍ତ୍ରିତ ଶର ଛାଡ଼ି ଦେଲେ ଓ କିଛି ମଧ୍ୟରେ ତାହା ସମସ୍ତଙ୍କ ଲଲାଟରେ ଟୀକା ଲଗାଇ ଫେରିଆସି କୃଷ୍ଣଙ୍କ ହାତ ପାଖରେ ଘୁରିଲା l ଏଥର ଶ୍ରୀକୃଷ୍ଣ ବେଲାଳ ବୀରତ୍ଵର ପରିଚୟ ପାଇଗଲେ l ବେଲାଳ ମଧ୍ୟ ବୁଝିଗଲା ଏ କେହି ସାମାନ୍ୟ ବ୍ରାହ୍ମଣ ନୁହଁନ୍ତି l ସେ ତାଙ୍କ ପାଦଛୁଇଁ ଆଶୀର୍ବାଦ ମାଗିଲା l ଭଗବାନ୍ କହିଲେ,ହେ ବୀର ବାଳକ ! ଏ ବ୍ରାହ୍ମଣକୁ କିଛି ଦାନ ଦେଇପାରିବ l ବେଲାଳ କହିଲା, କୁହନ୍ତୁ କି ଦାନ ଦେବି ଆପଣଙ୍କୁ l ମୁଁ ଅକୁଣ୍ଠ ଚିତ୍ତରେ ତାହା ଦେବା ପାଇଁ ପ୍ରସ୍ତୁତ ଅଛି l
ଶ୍ରୀକୃଷ୍ଣ କହିଲେ, ମୁଁ ତୁମର ମସ୍ତକ ଚାହେଁ l ତୁମେ ପ୍ରତିଜ୍ଞାବଦ୍ଧ, ମୋତେ ତାହା ପ୍ରଦାନକର l ବେଲାଳ ପ୍ରାର୍ଥନାରେ ଶ୍ରୀକୃଷ୍ଣ ନିଜ ସ୍ଵରୁପରେ ପ୍ରକଟହେଲେ l ବେଲାଳ କହିଲେ,ମୁଁ ନିଶ୍ଚୟ ମୋର ଶିର ଆପଣଙ୍କୁ ଅର୍ପଣ କରିବି l କିନ୍ତୁ ମୋ’ର ଆପଣଙ୍କୁ ଅନୁରୋଧ, ମୁଁ କେତେ ଆଶାଧରି ଆସିଥିଲି ଯୁଦ୍ଧକରିବି ବୋଲି l ତାହା ତ ଆଉ ସମ୍ଭବ ହେବନାହିଁ l ଅନୁଗ୍ରହ କରନ୍ତୁ ମୁଁ ଯେପରି ଏ ଯୁଦ୍ଧ ଦେଖି ପାରିବି l ଶ୍ରୀକୃଷ୍ଣ ସମ୍ମତ ହେଲେ l ବେଲାଳସେନ ସଙ୍ଗେ ସଙ୍ଗେ ମସ୍ତକ କାଟି ଶ୍ରୀକୃଷ୍ଣଙ୍କୁ ଅର୍ପଣ କଲା l ଯୁଦ୍ଧ ଶେଷ ପର୍ଯ୍ୟନ୍ତ ସେ ବଞ୍ଚି ରହିବ ଏବଂ ସମସ୍ତ ମହାଭାରତ ଯୁଦ୍ଧଦେଖିବ ବୋଲି ଆଶୀର୍ବାଦ କରି ଭଗବାନ୍ ବେଲାଳସେନର ମସ୍ତକକୁ ବିଜୟସ୍ତମ୍ଭ ଉପରେ ସ୍ଥାପନ କଲେ l
ଯୁଦ୍ଧ ସରିଗଲା l ଦିନେ ଯୁଦ୍ଧଜୟୀ ପାଣ୍ତବ ମାନେ ନିଜ ଶିବିରରେ ବସି, ନିଜ ନିଜର ବୀରତ୍ୱର ଗାଥା ବଖାଣୁଥାନ୍ତି, ମୁଁ ବଡ଼ ମୁଁ ବଡ଼ ବୋଲି ସମସ୍ତେ ଦାବି କରୁଥାନ୍ତି l ଏହି ସମୟରେ ଭୀମ ଠିଆ ହୋଇପଡ଼ି କହିଲେ, ମୁଁ ଯୁଦ୍ଧ ଭୂମିରେ ସବୁଠାରୁ ବେଶି ଯୋଦ୍ଧା ସଂହାର କରିଛି, ଏଣୁ ମୁଁ ଶ୍ରେଷ୍ଟ ଯୋଦ୍ଧା l ଭଗବାନ୍ ତ କାହାର ମୁଁ କାର ରଖି ନାହାଁନ୍ତି l ସର୍ବ ଶେଷରେ ସେ ହସି ହସି କହିଲେ, ଚାଲ ଏହାର ସାକ୍ଷୀ ଦେବ ଜୟସ୍ତମ୍ଭ ଉପରେ ରହିଥିବା ଏକ ମୁଣ୍ଡ ଯିଏ ସମସ୍ତ ଯୁଦ୍ଧକୁ ଆମୂଳଚୁଳ ଦେଖିଛି l
ସମସ୍ତେ ଜୟସ୍ତମ୍ଭ ନିକଟକୁ ଗଲେ l ସ୍ତମ୍ଭ ଉପରେ ଥିବା ବେଲାଳର ଶିରକୁ ପଚାରିବାରୁ ସେ କହିଲା, ମୁଁ କେବଳ ଦେଖିଛି ଖାଲି ଗୋଟିଏ ଚକ୍ର ଘୁରିଘୁରି ସମସ୍ତଙ୍କୁ ସଂହାର କରୁ ଥିଲା l ଏଭଳି ଉତ୍ତର ଶୁଣି ଭୀମ ଅତ୍ୟନ୍ତ କ୍ରୂଦ୍ଧ ହୋଇ, ଗଦା ପ୍ରହାରରେ ସେହି ମସ୍ତକକୁ ଚୁର୍ଣ୍ଣ କରିଦେଲେ l କୃଷ୍ଣ ହସି ହସି ସମସ୍ତ ଇତିକଥା କହି କହିଲେ,ଏ ଥିଲା ତୁମ ନିଜର ବୀର ପୁତ୍ର ବେଲାଳ ସେନ l ସମସ୍ତେ ଶୋକାକୁଳ ହୋଇ ଅନାଇଁ ରହିଲେ l ଭୀମଙ୍କର ମନେ ପଡ଼ି ଯାଉଥିଲା ନାଗ ଲୋକରେ ବେଲାବଳୀଙ୍କ କଥା l
!!! ଓଁ କୃଷ୍ଣାୟ ଗୋବିନ୍ଦାୟ ନମଃ !!!
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧

Comments are closed.