ଭକ୍ତିର ଶକ୍ତି

ସ୍ୱାମୀ ବିବେକାନନ୍ଦଙ୍କ ବାଲ୍ୟ ଜୀବନର ଗୋଟିଏ ଘଟଣା l ବାଲ୍ୟକାଳରେ ସ୍ୱାମୀଜୀଙ୍କ ନାମ ଥିଲା ନରେନ୍ଦ୍ର l ଶ୍ରଦ୍ଧାରେ ସଭିଏଁ ଡାକୁଥିଲେ ନରେନ l ନରେନ ଛାତ୍ର ଥିବା ବେଳେ ତାଙ୍କୁ ଜଣେ ସଂସ୍କୃତ ପଣ୍ଡିତ ସଂସ୍କୃତ ଶିକ୍ଷାଦେଉଥିଲେ l ନାମ ତାଙ୍କର ପଣ୍ଡିତ ଶିବରାମ l ସେ ଥିଲେ ଜଣେ ଶିବଭକ୍ତ ଓ ଧୂରୀଣ ପଣ୍ଡିତ l ପଣ୍ଡିତ ଶିବରାମ ଘୋର ଅଭାବ ଅନାଟନ ମଧ୍ୟରେ ଗତି କରୁଥିଲେ ହେଁ ସେ ଏହା କେବେ କାହା ଆଗରେ ପ୍ରକାଶ କରୁନଥିଲେ l
ଏକଦା ବେଶ କିଛିଦିନ ଧରି ପଣ୍ଡିତ ଶିବରାମଙ୍କ ପରିବାର ଅଭୁକ୍ତ ରହିଥାନ୍ତି,ମାତ୍ର ସେ କିଛି ଚିନ୍ତା ନକରି ସ୍ୱାଭାବିକ ଭାବେ ନରେନଙ୍କୁ ଶିକ୍ଷା ଦାନ କରି ଚାଲିଥାନ୍ତି l ସେଦିନ ସେ ପାଠ ପଢ଼ାଉଥାନ୍ତି ନରେନଙ୍କୁ, ଡାକବାଲା ଜଣେ ଆସି ପଣ୍ଡିତଜୀଙ୍କୁ ଦଶ ଟଙ୍କାର ମନି ଅର୍ଡରଟିଏ ଦେଇ ଚାଲିଗଲା l ଡାକଵାଲା ଦେଇଯାଇଥିବା ମନିଅର୍ଡର ରସିଦକୁ ପଢ଼ି, ଶିବରାମଙ୍କ ଆଖି ଛଳ ଛଳ ହୋଇଗଲା l ନରେନ ଏହା ଲକ୍ଷ୍ୟ କରି ପଚାରିଲେ, ଗୁରୁଜୀ ! ସେ ରସିଦଟିରେ କଅଣ ଲେଖାଅଛି ଯେ ଆପଣ ତାକୁ ପଢ଼ି ଏତେ ଭାଵ ପ୍ରବଣ ହୋଇ ପଡ଼ିଛନ୍ତି l କଅଣ କିଛି ଦୁଃଖଦ ଖବର ଅଛି କି?
ଗୁରୁଜୀ କହିଲେ,ପ୍ରିୟ ନରେନ,ନାଁ ସେମିତି କିଛି ନାହିଁ l ଈଶ୍ୱର କେଡ଼େ ଦୟାଵନ୍ତ ଏହିକଥା ଭାବି ମୁଁ କୃତଜ୍ଞତାରେ, ଲୋତକାପ୍ଳୁତ ହୋଇ ଯାଇଛି l ଏତକ କହି ସାରି, କୌତୁହଳୀ ଛାତ୍ର ନରେନଙ୍କୁ ଗୁରୁଜୀ ରସିଦଟି ବଢ଼ାଇ ଦେଲେ ପଢ଼ିବା ପାଇଁ l ରସିଦଟିକୁ ପଢ଼ି ନରେନ ମଧ୍ୟ କାନ୍ଦି ପକାଇଲେ l
ସେ ରସିଦରେ ଲେଖା ଥିଲା,” କାଲି ରାତିରେ ମୁଁ ନିଦ୍ରାମଗ୍ନ ଥିଲାବେଳେ ସ୍ବପ୍ନ ଦେଖିଲି, ଭଗବାନ ଭୋଳା ଶଙ୍କର ମୋତେ କହୁଛନ୍ତି, ମୋର ଜଣେ ଭକ୍ତ, ପଣ୍ଡିତ ଶିବଶଙ୍କର, କଲିକତାରେ ରହୁଛି l ସେ ଓ ତାଙ୍କ ପରିବାର ଗତ ତିନିଦିନଧରି ଅଭୁକ୍ତ ରହିଛନ୍ତି l ମୋର ସେ ଦରିଦ୍ର ଭକ୍ତକୁ ତୁମେ କିଛି ସାହାଯ୍ୟ କରନା ! ଭଗବାନ ଶଙ୍କରଙ୍କ ଆଜ୍ଞାରେ ଏହି ଅର୍ଥ ପଠାଇଲି l ସାଦରେ ଗ୍ରହଣ କରିବେ l ମୁଁ ବାରାଣାସୀରେ ବାସ କରେ l ବାବା ବିଶ୍ୱନାଥ ମୋତେ ସ୍ୱପ୍ନରେ ଆପଣଙ୍କ ନାମ ଓ ଠିକଣା କହି ଦେଇଛନ୍ତି “l ପ୍ରକାଶ ଥାଉ, ସେ ସମୟରେ ଦଶ ଟଙ୍କାର ମୂଲ୍ୟ ଅନେକ କିଛି ଥିଲା l
ନରେନ ରସିଦଟିକୁ ପଢ଼ିସାରି କହିଲେ, ଗୁରୁଜୀ ଆପଣ ଏତେ ଅନାଟନ ମଧ୍ୟରେ ଗତି କରୁଛନ୍ତି, କିନ୍ତୁ ମୋତେ ଜଣାଇ ନାହାଁନ୍ତି କାହିଁକି ? ଗୁରୁଜୀ କହିଲେ, ନରେନ ! ମୋର ଯତ୍ନ ଯେତେବେଳେ ପିତା ପରମାତ୍ମା ନେଉଛନ୍ତି ସେତେବେଳେ ଆଉ କାହାକୁ କହିବାର କି ଆବଶ୍ୟକତା ଅଛି l
ସ୍ୱାମୀ ବିବେକାନନ୍ଦ ସେଦିନ ଗୁରୁଜୀଙ୍କ କଥାଶୁଣି ସ୍ତମ୍ଭିଭୂତ ହୋଇଯାଇଥିଲେ l ଗୁରୁ ଭକ୍ତିରେ ତାଙ୍କ ମଥା ନଇଁ ଯାଇ ଥିଲା l ସେ ଅନୁଭବ କରିଥିଲେ ଭକ୍ତିର ଶକ୍ତି l ଈଶ୍ୱରାନୁରାଗର ସ୍ଫୁଲିଙ୍ଗଟିଏ ତାଙ୍କ ହୃଦୟ ମଧ୍ୟରେ ଅଙ୍କୁରିତ ହୋଇଥିଲା l ପରବର୍ତ୍ତୀ କାଳରେ ସେ ଈଶ୍ୱରୋପଲବ୍ଧି ଲାଭ କରି ମନୁଷ୍ୟ ସମାଜକୁ ବାର୍ତ୍ତା ଦେଇଥିଲେ :-
“Arise ! Awake ! And stop not till
the goal is reached.”
ଆସନ୍ତୁ ଆଜି ସ୍ବାମୀଜୀଙ୍କ ଜନ୍ମ ଜୟନ୍ତୀରେ ତାଙ୍କ ବାଣୀରେ ଉଦବୁଦ୍ଧ ହେବା l

 

ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.