ବରୀ ଆଶ୍ରମ

ବୈକୁଣ୍ଠନାଥ ଖଟୁଆ

୧୯୩୪ ମସିହାରେ ମହାତ୍ମା ଗାନ୍ଧୀ ହରିଜନ ପଦଯାତ୍ରାର ଓଡ଼ିଶା ଆସିଥିଲେ । ମହାତ୍ମା ଗାନ୍ଧୀ ଜାମସେଦପୁରରୁ ରେଳରେ ଝାରସୁଗୁଡା ଆସିଲେ । ଝାରସୁଗୁଡ଼ାରେ ଗୋଟିଏ ସଭା କଲେ । ସେଠାରୁ ମଟର ଯୋଗେ ସମ୍ବଲପୁର ଆସିଲେ । ଝାରସୁଗୁଡ଼ାରୁ ବାମୁର ଅନୁଗୁଳ ଦେଇ ପୁରୀ । ପୁରୀରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ । ସେଠାରୁ ହରିଜନ ପଦ ଯାତ୍ରାରେ ହରେକୃଷ୍ଣପୁର-ଗୋପୀନାଥପୁର- ଚନ୍ଦନପୁର—ବୀରପୁରୁଷୋତ୍ତମପୁର -ଦାଣ୍ଡମୁକୁନ୍ଦପୁର- ମେ ୧୨ ରେ ପିପିଲି –ଶିଉଳି – ବାଳକାଟି – ବାଲିଅନ୍ତା- -ତେଲେଙ୍ଗାପେଣ୍ଠ – କାଜି ପାଟଣା, କାଜି ପାଟଣାରୁ ରେଳରେ ୨୦ ମେ ବଇରୀ –ଚମ୍ପାପୁର- ଭେଡ଼ା ଲକ୍ଷ୍ମଣପୁର – ଗୋପୀନାଥପୁର – ବହୁକୁଦ – ଲକ୍ଷ୍ମୀନାରାୟଣପୁର – ଶିଶୁଆ – ପାଟପୁର – କେନ୍ଦୁପାଟଣା-ନିଶ୍ଚିନ୍ତକୋଇଲି – କାକତିଆ – ସଲାରରୁ – ଭଗବତୀପୁର – କେନ୍ଦ୍ରାପଡ଼ା – ବାରିମୂଳ – ଇନ୍ଦୁପୁର – ଅଙ୍ଗେଇସପୁର – କଲ୍ୟାଣପୁର – କଳାମାଟିଆ – କାଇପଡା – ୩୧ ମେ’ରେ ଅଙ୍ଗେଇସପୁର ବରି ୪ ମାଇଲି । ବରିରେ ସଭା କଲେ ମାନ ପତ୍ର ଦେଲେ । ସେଠାରେ ୧୪୦ ଟଙ୍କା ତେର ଅଣା ୯ ପଇସା ସଂଗ୍ରହ ହୋଇଥିଲା । ସେ ବରିରୁ ସାହସପୁର ନେଉଳା ପୁରୁଷୋତ୍ତମପୁର ରୁ ବୁଢାଘାଟ କଲ୍ୟାଣପୁର ଯାଜପୁର ଦେଇ ଭଦ୍ରକରୁ ରେଳ ଯୋଗେ ଖଡ଼ଗପୁର ଗଲେ ।
୧୯୨୦ ମସିହାରେ ବରୀରେ ବଡ ଧରଣର ବନ୍ୟା ହେଲା । ଗୋପବାବୁ ଯାଜପୁର ସବ-ଡିଭିଜନାଲ ଅଫିସର ଥିଲେ । ବନ୍ୟା କାମ ରିପୋର୍ଟ ଉପରେ ସେ ଚାକିରିରୁ ଇସ୍ତଫା ଦେଲେ । ଏହା ପରେ ସେ ଅଳକା ଆଶ୍ରମ ପ୍ରତିଷ୍ଠା କରିଥିଲେ । ସେ ଆଶ୍ରମ ବେଶୀ ଦିନ ଚାଲିଲା ନାହିଁ ।
ମହାତ୍ମା ଗାନ୍ଧୀ ଗୋଲଟେବୁଲ ବୈଠକରୁ ବିଫଳ ହୋଇ ଫେରିଲା ପରେ ଅଇନ୍ ଅମାନ୍ୟ ଆନ୍ଦୋଳନର ଦିତୀୟ ପର୍ଯ୍ୟାୟ ଆରମ୍ଭ ହେଲା । ଏହି ସମୟରେ ସରକାର ଅଳକାଆଶ୍ରମକୁ ଦଖଲ କରିବା ପାଇଁ ସ୍ଥିର କଲେ । ୧୯୩୨ ମସିହା ଫେବୃଆରି ମାସ ୧୪ ତାରିଖ ଦିନ ପୋଲିସ ଅଳକାଶ୍ରମ ଓ ଖାଦ୍ୟ ଭଣ୍ଡାରକୁ ଖାନତଲାସ କଲା । ବିହାର-ଓଡିଶାର ରାଜ୍ୟପାଳ ମାର୍ଚ ୧୭ ତାରିଖର ହୁକୁମନାମା ଅନୁସାରେ କଟକର ଜିଲ୍ଲାପାଳ ଅଳକା ଆଶ୍ରମକୁ ଦଖଲ କଲେ ଏବଂ ଏହାର ସମସ୍ତ ଜିନିଷ ପତ୍ର (ପୁସ୍ତକ ଓ ଆସବାବ ପତ୍ର) ଧ୍ଵଂସ କଲେ । ସରକାରୀ ଫାଇଲି ଅନୁସାରେ ୧୯୩୨ରେ ଅଳକା ଆଶ୍ରମରେ ୨୬୭ଟି ଆମ୍ବ ଗଛ, ୨୨ଟି ପଣସ ଗଛ ଓ ୫ଟି ନଡ଼ିଆ ଗଛ ଥିଲା। ଗୋପବନ୍ଧୁ ଚୌଧୁରୀଙ୍କଦ୍ଵାରା ସ୍ଥାପିତ ବାଲିକୁଦା ଆଶ୍ରମକୁ ୧୯୩୨ ମସିହା ଜୁନ୍ ମାସ ୧୮ ତାରିଖ ଦିନ ବେଆଇନ୍ ଘୋଷଣା କରାଗଲା ।
ଗାନ୍ଧୀଜୀଙ୍କ ଗସ୍ତ ପରେ, ଅଳକା ଆଶ୍ରମ ସରକାରଙ୍କ ଦଖଲ, ଏ ସବୁକୁ ବିଚାର କରି, ଗୋପବନ୍ଧୁ ଚୌଧୁରୀ ବରୀ-ରାମଚନ୍ଦ୍ରପୁର ଅଞ୍ଚଳକୁ ନିଜର କର୍ମ କ୍ଷେତ୍ର ଭାବରେ ବାଛି ନେଇଥିଲେ । ଏହା ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳ । ରାସ୍ତା କହିଲେ – ଧର୍ମଶାଳା ରୁ ଇନ୍ଦୁପୁର : ବ୍ରାହ୍ମଣୀ ନଦୀ ଆରପାରି – ଧୋଇଆ ଅଞ୍ଚଳ । ଏହାରି ଭିତରେ ଦୁଧେୟ କେନାଲ ଯାଇଛି । ପ୍ରତିବର୍ଷ ବନ୍ୟାରେ ଲୋକଙ୍କ ଧନ-ଜୀବନ ନଷ୍ଟ ହୁଏ । ପ୍ରଥମେ ସେ ବରୀ ଗ୍ରାମର ସ୍ଵର୍ଗତ ବମନ ଚରଣ ଦାସଙ୍କ ଚୌପାଢିରେ ସପରିବାରେ ଆସି ରହିଲେ । ତାଙ୍କ ବାପାଙ୍କ ଜମିଦାରୀରେ ଯେଉଁ ସବୁ ସମ୍ପତ୍ତିବାଡ଼ି ଥିଲା, ସେ ସବୁକୁ ବିକ୍ରି କରି, ସେ ମନମୋହନ ଚୌଧୁରୀ ଓ ସୁମିତ୍ରା ଚୌଧୁରୀଙ୍କ ନାମରେ ୫ ଏକର ଜମି କିଣି ସପରିବାରେ ସେହି ଆଶ୍ରମରେ ବସବାସ କଲେ । ୧୯୩୪ ମସିହା ଅଗଷ୍ଟ ୧୩ ତାରିଖରେ ସେ ବରି ଆଶ୍ରମ ପ୍ରତିଷ୍ଠା କଲେ ।
କୃଷି କାର୍ଯ୍ୟର ଉନ୍ନତି ପାଇଁ ସେ ସେଠାରେ ଫଳ ଚାଷ , ପନି ପରିବାଚାଷ ଓ ବଗିଚା ଆଦି କରିଥିଲେ । ସେତେବେଳେ ଜଳସେଚନର ସୁବିଧ ପାଇଁ ପୋଖରୀରୁ ପର୍ସିଆନ ହୁଇଲର ସାହାଯ୍ୟରେ ଜଳସେଚନ ବ୍ୟବସ୍ଥା କରିଥିଲେ । ବହୁ ସଂଖ୍ୟକ ମହୁ ବାକ୍ସ ରଖି ମହୁ ଚାଷ କରିଥିଲେ । ୧୯୩୫ ମସିହାରେ ଅରଙ୍ଗାବାଦଠାରେ ସେବା ଘର ସ୍ଥାପନ କରି ହରିଜନ ସେବା, ମହୁଚାଷ ,ଟ୍ରେଞ୍ଚ ପାଇଖାନା ମୌଳିକ ଶିକ୍ଷା ସୂତାକଟା, କୁଟୀର ଶିଳ୍ପ, ଲୁଗା ବୁଣା ଇତ୍ୟାଦି ରଚନାତ୍ମକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ୧୯୪୨ ମସିହା ଅଗଷ୍ଟ ୨୬ ତାରିଖରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଚଳାଇବା ବେଳେ କଳାମାଟିଆଠାରେ ସାଉଣ୍ଟି ମଳିକ, ସାନନ୍ଦ ସ୍ଵାଇଁ, ମାୟାଧର ଭୂୟାଁ ଓ ହାଡ଼ିବନ୍ଧୁ ପଣ୍ଡା ପୁଲିସ ଗୁଳିରେ ସହିଦ ହେଲେ ।
ବର୍ତ୍ତମାନ ବରୀର ସେହି ଆଶ୍ରମରେ ଜଣେ ସହକର୍ମୀ ଶ୍ରୀ ଗଣେଶ ଚନ୍ଦ୍ର ମହାନ୍ତି ସପରିବରେ ବସବାସ କରୁଛନ୍ତି । ସେଠାରେ ମୌଳିକ ଶିକ୍ଷା କେନ୍ଦ୍ର ଥିଲା । ବରୀଠାରୁ ୫ କିଲୋମିଟର ଦୂର ରାମଚନ୍ଦ୍ରପୁରଠାରେ ୧୦ ଏକର ପରିମିତ ଜମିରେ ମୌଳିକ ଶିକ୍ଷା କେନ୍ଦ୍ର ସ୍ଥାପନ ହୋଇଥିଲା । ସେଠାରେ କନ୍ୟାଶ୍ରମ ସ୍ଥାପନ ହୋଇଥିଲା । ଗୋପବନ୍ଧୁ ଚୌଧୁରୀଙ୍କ ଦେହାନ୍ତ ପରେ ଏହା ସତ୍ୟଭାମାପୁରକୁ ଉଠି ଆସିଲା । ଏବେ ସେହି ଜାଗାରେ ଗୋପବନ୍ଧୁ ଚଉଧୁରୀ ମହାବିଦ୍ୟାଳୟ ସ୍ଥାପନ ହୋଇଛି ।
ଗୋପବନ୍ଧୁ ଚୌଧୁରୀଙ୍କ କର୍ମ କ୍ଷେତ୍ର ସାଧନାର ପୀଠ ବରୀ-ରାମଚନ୍ଦ୍ରପୁରରେ ଗଢି ଉଠିଥିବା ବହୁ ଅନୁଷ୍ଠାନ ମଧ୍ୟରୁ କେତକ ସଂପୂର୍ଣ୍ଣ ଲୁପ୍ତ ଆଉ କେତେକ ସେମାନଙ୍କର ଅସ୍ଥିତ୍ଵ ଓ ଆଭିମୁଖ୍ୟାରେ ପରିବର୍ତ୍ତନ ହୋଇଯାଇଛି । ତାଙ୍କର ହାତଗଢା ଅନୁଷ୍ଠାନଗୁଡ଼ିକ ବିଦ୍ୟାଳୟ ଓ ମହାବିଦ୍ୟାଳରେ ପରିଣତ ହୋଇଯାଇଛି । କେବଳ ଅରଙ୍ଗାବାଦ କସ୍ତୁରବା ମାତୃମଙ୍ଗଳ କେନ୍ଦ୍ର (ସେବା ଘର) ଛାଡ଼ି ଦେଲେ ତାଙ୍କର ହାତଗଢା କୌଣସି ଅନୁଷ୍ଠାନ ତାଙ୍କ ଆଦର୍ଶକୁ ରୂପ ଦେଉ ନାହିଁ ।
ଗୋପବନ୍ଧୁ ଚୌଧୁରୀଙ୍କ ଦେହାନ୍ତ ୧୯୫୮ ମସିହା ଏପ୍ରିଲ ୨୯ ତାରିଖରେ ହୋଇଗଲା, ହେଲେ ମଧ୍ୟ ତାଙ୍କ ଆଦର୍ଶ ଆଜି ବି ସେ ମାଟି ତାଙ୍କର ଗୁଣଗାନ କରୁଛି । ଆଜି ବରୀ ଆଶ୍ରମର ପ୍ରତିଷ୍ଠା ଦିବସ । କର୍ପୁର ଉଡ଼ି ଯାଇଛି କେବଳ ମାତ୍ର ,କନା ପଡ଼ି ରହିଛି । ସେ କନାର ଅସ୍ଥିତ୍ଵ ……… ?

Comments are closed.