ଆଶ୍ରମ ନାମେ ବଦରିକା

ଭାରତର ଦେବ ଭୂମି ଉତ୍ତରାଖଣ୍ଡ l ଉତ୍ତୁଙ୍ଗ ଗିରି ମନୋରମ ହିମାଳୟ ଶୈଳ ଶ୍ରେଣୀର କୋଳରେ ଅବସ୍ଥିତ ଏହି ରାଜ୍ୟରେ ରହିଛି, ଅସଂଖ୍ୟ ଦେବ ପୀଠ l ଆକାଶ ଛୁଆଁ ପର୍ବତ, ଗିରି ଶୃଙ୍ଗ, ଗହନ ବନାନୀ, ମନୋରମ ଉପତ୍ୟକା, ଶତ ଶତ ନଦୀ ଓ ଝରଣାକୁ ନେଇ ଗଠିତ ଏହି ଦେବଭୂମି l ଏହି ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ପ୍ରାୟ ସାଢେ ଦଶ ହଜାରଫୁଟ ଉଚ୍ଚତାରେ ଅବସ୍ଥିତ ବଦ୍ରୀନାଥ ଧାମ ମାନବର ମୁକ୍ତି କ୍ଷେତ୍ର ତଥା ମର୍ତ୍ତ୍ୟ ବୈକୁଣ୍ଠ ଭାବେ ପରିଚିତ l ଭାରତବର୍ଷର ଚତୁର୍ଦ୍ଦିଗରେ ଚତୁର୍ଯୁଗକୁ ପ୍ରତିନିଧିତ୍ୱ କରୁଥିବା ଚତୁର୍ଦ୍ଧାମମଧ୍ୟରେ ବଦ୍ରୀନାଥ ଅନ୍ୟତମ l କୁହା ଯାଏ, ସତ୍ୟ ଯୁଗର ବଦ୍ରୀନାଥ, ତ୍ରେତୟାର ଶ୍ରୀରାମେଶ୍ୱର,ଦ୍ୱାପରର ଦ୍ଵାରକାଧାମ ଠାରେ ପ୍ରଭୁ ଶ୍ରୀବିଷ୍ଣୁ ଯଥା କ୍ରମେ ତପସ୍ୟା, ସ୍ନାନ ଓ ଶୟନ କରିଥାନ୍ତି l କଳିଯୁଗକୁ ପ୍ରତିନିଧିତ୍ବ କରୁ ଥିବା ପୁର୍ବାମ୍ବୁଧି ତୀରରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ଧାମ ପ୍ରଭୁଙ୍କ ଭୋଜନ କ୍ଷେତ୍ର l
ପରମ ପାବନ ମୁକ୍ତିଧାମ ବଦ୍ରୀନାଥ ଠାରେ ପ୍ରଭୁ ଭଗବାନ ବିଷ୍ଣୁ ବଦ୍ରୀ ନାରାୟଣ ବା ବଦ୍ରୀ ବିଶାଳ ରୂପରେ ପୂଜା ପାଉଛନ୍ତି l ପୌରାଣିକ କିମ୍ବଦନ୍ତୀ ଅନୁସାରେ ସତ୍ୟ ଯୁଗରେ, ଏହା ବଦ୍ରିକା ଆଶ୍ରମ ନାମରେ ବହୁ ମୁନୀ, ଋଷି, ସାଧୁ,ତପସ୍ୱୀଙ୍କ ତପ ସାଧନାସ୍ଥଳୀ ଥିଲା l
ଏଠାରେ ପ୍ରଥମେ ଶିବପାର୍ବତୀ ବାସ କରୁଥିଲେ l ବ୍ରହ୍ମାଙ୍କୁ ହତ୍ୟା କଲା ପରେ, ବ୍ରହ୍ମାଙ୍କ ଶିର ଶିବଙ୍କ ହାତରେ ଲାଗିରହିଲା l ଭଗବାନ ଶଙ୍କର ଯେତେ ଚେଷ୍ଟା କଲେ ସୁଦ୍ଧା, ଆଉ ତାହା ଛାଡ଼ିଲା ନାହିଁ l ବ୍ରହ୍ମହତ୍ୟା ଦୋଷରେ ଦୋଷୀ, ଶିବ ମୋକ୍ଷ ପାଇଁ ସାରା ବ୍ରହ୍ମାଣ୍ଡ ବୁଲି ଆସିଲେ l ଚାରି ଆଡ଼ୁ ନିଷ୍ଫଳ ହୋଇ, ଶିବ ଶେଷରେ ଆସି ବଦ୍ରୀକା ଆଶ୍ରମରେ ପହଞ୍ଚିଲା ପରେ, ବ୍ରହ୍ମାଙ୍କ ମୁଣ୍ଡଟି ଆଶ୍ଚର୍ଯ୍ୟ ଜନକ ଭାବେ ତାଙ୍କ ହାତରୁ ଖସି ପଡ଼ିଲା l ସେ ସ୍ଥାନଟି ଏବେ ବ୍ରହ୍ମକପାଳ ନାମରେ ପରିଚିତ l ଭକ୍ତଗଣ ଏହିଠାରେ ପିତୃପୀଣ୍ଡ ଦାନ କରିଥାନ୍ତି l
ଦିନେ ଦେବର୍ଷି ନାରଦ ନାରାୟଣଙ୍କ ଦର୍ଶନ ପାଇଁ ବୈକୁଣ୍ଠରେ ପହଞ୍ଚି ଦେଖିଲେ ପ୍ରଭୁ କ୍ଷୀର ସାଗର ବକ୍ଷରେ ଅନନ୍ତ ଶଯ୍ୟାରେ ଶୟନ କରିଛନ୍ତି ଏବଂ ମାଆ ଲକ୍ଷ୍ମୀ ତାଙ୍କର ପାଦ ମଞ୍ଚାଳୁଛନ୍ତି l ଦେବର୍ଷି ନାରାୟଣଙ୍କୁ କହିଲେ,ପ୍ରଭୋ ! ଆପଣ ଏ ସମଗ୍ର ସଂସାରର ପାଳନକର୍ତ୍ତା,ସଦାସର୍ବଦା ଶୟନ କରି ବିଳାସ କରିବା,ଆପଣଙ୍କୁ ଶୋଭାପାଏନା l ପ୍ରଭୁ ନାରଦଙ୍କ କଥା ଶୁଣି ବୈକୁଣ୍ଠ ତ୍ୟାଗକରି ବଦ୍ରିକା ଆଶ୍ରମରେ ଆସି ପହଞ୍ଚିଲେ l ଜଗତର କଲ୍ୟାଣ ନିମନ୍ତେ,ସେଠାରେ ପ୍ରଭୁ ତପସ୍ୟା କରିବା ବୋଲି ସ୍ଥିର କଲେ l ମାତ୍ର ସେ ଦେଖିଲେ, ସେ ସ୍ଥାନରେ ମହାଦେବ ଓ ମା’ପାର୍ବତୀ ବାସ କରୁଛନ୍ତି l ସେହି ସମୟରେ ଶଙ୍କର ପାର୍ବତୀ ସ୍ନାନ କରିବା ନିମନ୍ତେ ତପ୍ତକୁଣ୍ଡକୁ ଯାଉଥାନ୍ତି l ବିଷ୍ଣୁ ନିଜ ମାୟା ବିସ୍ତାର କରି,ସେଠାରେ ସାନ ପିଲାଟିଏ ହୋଇ,ରୋଦନ କରିବାକୁ ଲାଗିଲେ l ନିର୍ଜନସ୍ଥାନରେ ସୁନ୍ଦର ଶିଶୁ ପୁତ୍ରଟିଏ ଦେଖି, ହର ପାର୍ବତୀ ଆଶ୍ଚର୍ଯ୍ୟ ହେଲେ l
ମାଆ ପାର୍ବତୀ ସ୍ନେହ ବଶରେ ଶିଶୁଟିକୁ କୋଳକୁ ଉଠାଇ ନେଲେ l ଶିବଙ୍କ ବାରଣ ସତ୍ତ୍ୱେ ପାର୍ବତୀ ସେ ଶିଶୁକୁ ନେଇ ଖୋଇ ପେଇ ଶୟନ କକ୍ଷରେ ଶୁଆଇ ଦେଇ ସ୍ନାନପାଇଁ ଚାଲିଗଲେ l ସ୍ନାନସାରି ଶଙ୍କରପାର୍ବତୀ ଆସି ଦେଖନ୍ତି ତ ତାଙ୍କ କୋଠରୀ ଭିତରୁ ବନ୍ଦ ଅଛି l ବହୁ ଚେଷ୍ଟା ସତ୍ୱେ ମଧ୍ୟ ତାହା ଖୋଲିଲା ନାହିଁ l ମହାଦେବ ଯୋଗବଳରେ ଜାଣି ପାରିଲେ, ଏହା ଶ୍ରୀହରିଙ୍କ ମାୟା l ତାଙ୍କୁ ଏ ସ୍ଥାନ ଛାଡ଼ିବାକୁ ପଡ଼ିବ l ଶିବ ପାର୍ବତୀଙ୍କ ଆଡ଼କୁ ଚାହିଁ ହସି ହସି କହିଲେ, ସେ ବାଳକ ସାମାନ୍ୟ ବାଳକ ନୁହେଁ l ଚାଲ ଏଠାରୁ ଆମେ ଚାଲିଯିବା l ଉଭୟ ହରଗୌରୀ ସେଠାରୁ ଯାଇ ଦଶ ମାଇଲ ଦୂରରେ ଅବସ୍ଥିତ କେଦାର ନାଥ ଠାରେ ଆଶ୍ରୟ ନେଲେ l ହର ଗୌରୀଙ୍କ ସେହି ସ୍ମୃତି ବହନକରେ ଏବେକା ଶ୍ରୀ ବଦ୍ରୀନାଥ ଧାମରେ ଥିବା ଆଦି କେଦାରନାଥ ମନ୍ଦିର l
ନାରାୟଣ ସେହିଠାରେ ଘୋର ତପସ୍ୟାରେ ମଗ୍ନ ଥାନ୍ତି l ବୈକୁଣ୍ଠରେ ମାଆ ଲକ୍ଷ୍ମୀ ପ୍ରଭୁଙ୍କୁ ନ ପାଇ ଖୋଜି ଖୋଜି ଆସି ସେଠାରେ ପହଞ୍ଚି ଦେଖିଲେ ପ୍ରଭୁ ମୁକ୍ତାକାଶ ତଳେ ଗ୍ରୀଷ୍ମ ବର୍ଷାରେ ଥାଇ ତପ ଆଚରଣ କରୁଛନ୍ତି l ମାଆ ଲକ୍ଷ୍ମୀ ପ୍ରଭୁଙ୍କୁ ବଦରୀ ବୃକ୍ଷ (ବରକୋଳି) ଗୋଟିଏ ହୋଇ ଛାୟା ପ୍ରଦାନ କଲେ l ବିଷ୍ଣୁଙ୍କ ତପସ୍ୟାକ୍ଷେତ୍ର ଭାବେ କ୍ରମେ ଏହି ସ୍ଥାନ ମହିମା ଚତୁର୍ଦ୍ଦିଗରେ ବ୍ୟାପିଗଲା l ଦେବର୍ଷି ନାରଦ ଓ ସପ୍ତର୍ଷୀମାନେ ମିଳିତ ହୋଇ ଏଠାରେ ଶ୍ରୀ ନାରାୟଣଙ୍କ ଆରାଧନା କରିବାକୁ ଲାଗିଲେ l ଧର୍ମଦେବତାଙ୍କର ଦୁଇପୁତ୍ର ନର ଏବଂ ନାରାୟଣ ଏଠାରେ ଘୋର ତପଶ୍ଚରଣ କରି, ଦେବତ୍ୱ ଲାଭ କଲେ l ଅପ୍ସରା ମାନଙ୍କ ଗର୍ବଗଞ୍ଜନ କରିବା ପାଇଁ ନାରାୟଣ ନିଜ ଉରୁରୁ ଜଣେ ରୂପସୀ ଅପ୍ସରାଙ୍କୁ ସୃଷ୍ଟି କଲେ l ଉରୁରୁ ସୃଷ୍ଟ, ସେହି ଅପ୍ସରାଙ୍କ ନାମ ହେଲା, ଉର୍ବଶୀ l ବଦ୍ରୀନାଥ ଧାମରେ ଘଣ୍ଟା କର୍ଣ୍ଣ ନାମରେ ଜଣେ ରାକ୍ଷସ ମୁକ୍ତି ପାଇଥିଲା l ପ୍ରଭୁଙ୍କ ଦ୍ୱାରପାଳ ରୂପେ ସେ ସେଠାରେ ପୂଜିତ l
ଏଠାରେ ଭକ୍ତ ମାନଙ୍କ ସ୍ନାନ ପାଇଁ ପ୍ରାକୃତିକ ତପ୍ତ କୁଣ୍ଡ ଅଛି l ଏଠାରେ ସର୍ବଦା ଜଳ ଗରମ ରହେ l
କଥିତ ଅଛି ଯେତେବେଳେ ବୈାଦ୍ଧମାନଙ୍କ ପ୍ରଭାବ ବୃଦ୍ଧି ପାଇଲା,ସେତେବେଳେ ନାରାୟଣଙ୍କ ବିଗ୍ରହ ନଷ୍ଟ ହୋଇଯିବ ଭୟରେ ଏଠିକାର ପୂଜକମାନେ ବିଗ୍ରହକୁ ନେଇ ତପ୍ତକୁଣ୍ଡ ମଧ୍ୟରେ ଲୁକ୍କାୟିତ କରି ରଖି ଦେଇଥିଲେ,ଏହାର ବହୁ ବର୍ଷ ପରେ ଅଷ୍ଟମ ଶତାବ୍ଦୀରେ ଶ୍ରୀଆଦିଶଙ୍କରାଚାର୍ଯ୍ୟ ଶିଷ୍ୟ ମାନଙ୍କ ଗହଣରେ ଏଠାକୁ ଆସି ଯୋଗବଳରେ ତପ୍ତକୁଣ୍ଡ ମଧ୍ୟରେ ବୁଡ଼ି ନାରାୟଣଙ୍କ ବିଗ୍ରହକୁ ଉଦ୍ଧାର କରି ପୁନଃ ପ୍ରତିଷ୍ଠା କଲେ l ପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠାକରି ଆଚାର୍ଯ୍ୟ କେରଳର ନମ୍ବୁଦ୍ରୀପଦୀ ବ୍ରାହ୍ମଣ ମାନଙ୍କୁ ଆଣି ସେବାକାର୍ଯ୍ୟରେ ନିଯୁକ୍ତ କଲେ l ଏ ଯାବତ୍ ସେହି ପ୍ରଥା ଚାଲି ଆସୁଛି l
ଶ୍ରୀବଦ୍ରୀନାଥଙ୍କ ବର୍ତ୍ତମାନର ଦୃଶ୍ୟମାନ ମନ୍ଦିରକୁ ଗଡୱାଲର ରାଜା, ଷୋଡଶ ଶତାବ୍ଦୀରେ ନିର୍ମାଣ କରିଛନ୍ତି l ଇନ୍ଦୋରରାଣୀ ଅହଲ୍ୟାବାଇଙ୍କ ଦ୍ୱାରା ମନ୍ଦିରର ଶୀର୍ଷଦେଶ ସ୍ବର୍ଣ୍ଣଛାଉଣୀ କରାଯାଇଛି l ବହୁ ରତ୍ନ ଅଳଙ୍କାର ଭୂଷିତ ପ୍ରଭୁ ବଦ୍ରୀନାରାୟଣ ଦୁଇହସ୍ତରେ ଶଙ୍ଖ ଓ ପଦ୍ମ ଧାରଣ କରିଛନ୍ତି ଏବଂ ଅନ୍ୟ ଦୁଇ ହସ୍ତ ଜାନୁ ଉପରେ ରହିଛି l ବିଗ୍ରହଙ୍କ ମସ୍ତକ ଉପରେ ଶୋଭା ପାଉଛି ସ୍ୱର୍ଣ୍ଣ ଓ ମାଣିକ୍ୟ ଖଚିତ ଚନ୍ଦ୍ରାତପ l ମନ୍ଦିର ଗର୍ଭ ଗୃହରେ ଗଣେଷ ଗରୁଡ଼,ଶ୍ରୀଦେବୀ,ଭୂଦେବୀ,ଲକ୍ଷ୍ମୀ,ଗଙ୍ଗା, ନାରଦ ଓ ନର ନାରାୟଣଙ୍କ ମୂର୍ତ୍ତୀ ପୂଜା ପାଉଛନ୍ତି l
ଭଗବାନ ଶ୍ରୀ ନର ନାରାୟଣଙ୍କ ପ୍ରତୀକ ଭାବରେ ଏଠାରେ ନର, ନାରାୟଣ ନାମକ ଦୁଇଟି ପାହାଡ଼ ରହିଛି l ନାରାୟଣ ପାହାଡ଼ ଉପରେ ବିରାଜମାନ କରୁଛନ୍ତି ପ୍ରଭୁ ବଦ୍ରୀନାଥ l ନର ପାହାଡ଼ ଉପରେ ଭକ୍ତ ମାନଙ୍କ ସୁବିଧାପାଇଁ ରହିଛି ଧର୍ମଶାଳା ଏବଂ ହୋଟେଲ ମାନ l ଦୁଇପାହାଡ଼ ମଧ୍ୟରେ କୁଳୁକୁଳୁ ନାଦ କରି ବହିଯାଉଛି ପୂତସଲୀଳା ଅଳକାନନ୍ଦା ନଦୀ l ପଛରେ ରହିଛି ସୁଉଚ୍ଚ ନିଳକଣ୍ଠ ପର୍ବତ l ଏହି ପାର୍ବତ୍ୟ ଉପତ୍ୟକାରେ ଫୁଟେ ଅତି ସୁନ୍ଦର ତଥା ବିରଳ ବ୍ରହ୍ମ କମଳ ପୁଷ୍ପ l କିମ୍ବଦନ୍ତୀ ରହିଛି ଏହି ପର୍ବତଦେଇ ପଞ୍ଚୁପାଣ୍ଡଵ ସ୍ୱର୍ଗାରୋହଣ କରି ଥିଲେ l ମହାଭାରତର ବର୍ଣ୍ଣନାନୁସାରେ ଦ୍ରୌପଦୀ ଓ ଚାରିଭାଇ ଯାତ୍ରା ପଥରେ ପତିତ ହେବା ପରେ ଧର୍ମରାଜ ଯୁଧିଷ୍ଠିରଙ୍କ ସହ କୁକୁରଟିଏ ସ୍ୱର୍ଗ ଯାତ୍ରା କରିଥିଲା l ସେହି କୁକୁର ଥିଲେ ଛଦ୍ମରୂପୀ ଧର୍ମ l କୁହାଯାଏ ପର୍ଯ୍ୟଟକମାନେ ଏବେ ସେହି ପଥରେ ଗଲାବେଳେ କୁଆଡ଼ୁ କୁକୁର ଗୋଟିଏ ଆସି ତାଙ୍କ ସାଥିରେ ଚାଲିଥାଏ l ବଦ୍ରୀନାଥଧାମ ଏପ୍ରିଲମାସ ଠାରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ୬ ମାସ ଖୋଲା ରହିଥାଏ l ଶୀତର ପ୍ରାବଲ୍ୟ,ବରଫପାତ ଯୋଗୁଁ ନଭେମ୍ବରରୁ ମାର୍ଚ୍ଚ ମାସ ଯାଏ ବନ୍ଦ ରହେ l ଏହି ସମୟରେ ପ୍ରଭୁ ଶ୍ରୀ ବଦ୍ରୀବିଶାଳ ଏଠାରୁ ଚାଳିଶ କିଲୋମିଟର ଦୂରରେ ସ୍ଥିତ, ଯୋଷୀମଠ ଠାରେ ପୂଜା ହୋଇ ଥାନ୍ତି l ବିଶ୍ୱାସ କରା ଯାଏ ଦେବର୍ଷି ନାରଦ ଏହି ସମୟରେ ଶ୍ରୀ ବଦ୍ରୀନାଥ ପୀଠରେ ପ୍ରଭୁଙ୍କ ପୂଜା କରିଥାନ୍ତି l
ବଦ୍ରୀନାଥ ପୀଠର ମନୋରମ ପ୍ରାକୃତିକ ଶୋଭା ଅବର୍ଣ୍ଣନୀୟ l କଷ୍ଟସାପେକ୍ଷ ଯାତ୍ରା କରି ଏଠାରେ ଥରେ ଯାଇ ପହଞ୍ଚିଗଲେ ମନୁଷ୍ୟ ସବୁ କଷ୍ଟ ଭୁଲି ଯାଏ l ବଦ୍ରୀବିଶାଳଙ୍କ ଦର୍ଶନ ନିମନ୍ତେ ଦେବଭୂମି ଦ୍ୱାର ହରଦ୍ୱାର ଠାରୁ ଯାତ୍ରାରମ୍ଭ କରିବାକୁ ହୋଇ ଥାଏ l ଅଳକାନନ୍ଦା ନଦୀ କଡ଼େ କଡ଼େ ଦୁର୍ଗମ ଓ ସର୍ପିଳ ଘାଟି ରାସ୍ତାରେ ୩୩୦ କି.ମି.ଅତିକ୍ରମକରି ଗଲା ପରେ ପଡ଼େ ପୁଣ୍ୟ ଧାମ ବଦ୍ରୀନାଥ l ଯାତ୍ରା ପଥରେ ରୁଦ୍ର ପ୍ରୟାଗ, କର୍ଣ୍ଣପ୍ରୟାଗ,ନନ୍ଦ ପ୍ରୟାଗ, ବିଷ୍ଣୁପ୍ରୟାଗ ପ୍ରଭୃତି ଦର୍ଶନୀୟ ସ୍ଥାନମାନ ରହିଛି l ପବିତ୍ର ଅଳକାନନ୍ଦାନଦୀ ସହିତ ବିଭିନ୍ନ ସ୍ଥାନରେ ଭାଗୀରଥି,ମନ୍ଦାକୀନି,ଶ୍ୱେତଗଙ୍ଗା,ଜାହ୍ନଵୀ ଆଦି ନଦୀମାନ ମିଳିତ ହୋଇଛନ୍ତି l
ଦ୍ୱାପରଯୁଗର କଥା l ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଶେଷ ହୋଇଗଲା l ପ୍ରଭୁ ବୈକୁଣ୍ଠ ଫେରି ଯିବେ l ପରମଭକ୍ତ ଉଦ୍ଧବଙ୍କୁ ସେ ସମସ୍ତ ଭାଗବତ ଜ୍ଞାନ ପ୍ରଦାନ କରି କହିଲେ,’ଉଦ୍ଧବ ! ମୁଁ ଏବେ ସ୍ଵଧାମ ଫେରିଯିବି l ଯଦୁବଂଶ ନାଶ ହୋଇଯିବେ l ମୋ ଅନ୍ତେ ଦ୍ଵାରକାପୁରୀ ଜଳ ନିମଜ୍ଜିତ ହୋଇ ବିଲୟ ଲଭିବ l ଜଗତର କଲ୍ୟାଣ ନିମନ୍ତେ ଓ ଏ ପରମ ଜ୍ଞାନର ସଂରକ୍ଷଣ ନିମନ୍ତେ ତୁମେ ସମସ୍ତ ଶାସ୍ତ୍ରକୁ ଘେନି ସତ୍ୟ ଯୁଗର ସେହି ପରମ ପାବନ ବଦ୍ରିକା ଆଶ୍ରମକୁ ଚାଲିଯାଅ l ନୋହିଲେ, ଦ୍ଵାରକା ନବର ନାଶ ସହିତ ଏ ସମସ୍ତ ଜ୍ଞାନ ସଂସାରରୁ ଅସ୍ତମିତ ହୋଇଯିବ l ପରମ ଭକ୍ତ ଉଦ୍ଧବ ଭଗବାନଙ୍କୁ ବା ଛାଡ଼ି ଯାଆନ୍ତେ କିପରି ! ପ୍ରଭୁଙ୍କୁ କହିଲେ, ସମସ୍ତ ତୀର୍ଥ ଯାହାଙ୍କ ଚରଣରେ ବିରାଜମାନ,ତୀର୍ଥମୟ ସେ ପ୍ରଭୁଙ୍କୁ ଛାଡ଼ି, ମୁଁ କି କାରଣେ ବଦ୍ରିକା ଯିବି l ପୁଣି ସେ କହିଲେ :-
ଆଶ୍ରମ ନାମେ ବଦରିକା l
ସେ କି ତୋ ଚରଣୁ ଅଧିକା ll
ଅବୁଝା ଉଦ୍ଧବଙ୍କୁ ପ୍ରଭୁ ବହୁତ ବୁଝାଇଲେ ଓ ସର୍ବ ଶେଷରେ ସେ ରାଜି ହେଲେ ବଦ୍ରିକା ଯିବା ପାଇଁ l ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ସମସ୍ତ ଭଗବତ ଶାସ୍ତ୍ରକୁ ଶିରରେ ଧାରଣ କରି ସେ ବଦ୍ରିକାଶ୍ରମକୁ ଯାତ୍ରା କଲେ l ବଦ୍ରିକା ଧାମ ଯାତ୍ରୀ ସମସ୍ତ ତୀର୍ଥ ଯାତ୍ରୀ ଏଣୁ ଶ୍ରଦ୍ଧାରେ ଗାଇଥାନ୍ତି :-
ଉଦ୍ଧବ ଗଲେ ଯେଉଁ ଦାଣ୍ଡେ l
ସେ ରେଣୁ ପଡ଼ୁ ମୋର ମୁଣ୍ଡେ ll
ପ୍ରତ୍ୟେକ ମନୁଷ୍ୟ,ନିଜର ଜୀବନ କାଳ ମଧ୍ୟରେ ଅନ୍ତତଃ ଥରେ ସେହି ପବିତ୍ର ଧାମକୁ ଦର୍ଶନକରି ସ୍ୱୟଂ ଶ୍ରୀମନ୍ ନାରାୟଣଙ୍କ ପାଦରେ ଭକ୍ତି ଅର୍ଘ୍ୟ ପ୍ରଦାନ ପୂର୍ବକ ନିଜ ପିତୃ ପୁରୁଷଙ୍କୁ ତର୍ପଣ ଦେବା ଅଭିଳାଷ ରଖିଥାନ୍ତି l
!!! ଜୟ ଶ୍ରୀବଦ୍ରୀନାଥ !!!

 

ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.