ବ୍ରିଟିସ୍‌ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମକୁ ଇତିହାସ ବହିରେ ଉପଯୁକ୍ତ ସ୍ବୀକୃତି ଦିଆ ଯାଇନାହିଁ: ଅମିତ ଶାହ

ନୂଆଦିଲ୍ଲୀ: ବ୍ରିଟିସ୍‌ ବିରୁଦ୍ଧରେ ସଂଗଠିତ ସଶସ୍ତ୍ର ସଂଗ୍ରାମ ଯେଉଁ ଦେଶପ୍ରେମ ବହ୍ନି ପ୍ରଜ୍ଜ୍ବଳନ କରିଥିଲା ତାହାକୁ ଇତିହାସ ପୁସ୍ତକମାନଙ୍କରେ ଉପଯୁକ୍ତ ସ୍ବୀକୃତି ଦିଆଯାଇନାହିଁ ବୋଲି ଦୁଃଖ ପ୍ରକାଶ କରି ବୁଧବାର ଦିନ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତି ଶାହ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆର୍ଥିକ ଉପଦେଷ୍ଟା ପରିଷଦ୍‌’ର ଅନ୍ୟତମ ସଦସ୍ୟ ସଞ୍ଜୀବ ସାନ୍ୟାଲ୍‌ଙ୍କ ରଚିତ ପୁସ୍ତକ ‘ରିଭୋଲ୍ୟୁସ୍‌ନାରିଜ୍‌: ଦି ଅଦର୍‌ ଷ୍ଟୋରି ଅଫ୍ ହାଓ ଇଣ୍ଡିଆ ଓନ୍‌ ଇଟ୍ସ୍‌ ଫ୍ରିଡମ୍‌’ ନାମକ ପୁସ୍ତକ ଉନ୍ମୋଚନ ଉତ୍ସବରେ କହିବା ବେଳେ ଶାହ କହିଛନ୍ତି, ସଶସ୍ତ୍ର ବିପ୍ଳବର ଦେଶପ୍ରେମ କଂଗ୍ରେସ ନେତୃତ୍ବାଧୀନ ସ୍ବାଧୀନତା ଆନ୍ଦୋଳନକୁ ସଫଳ କରାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ବକୁ ସଦାସର୍ବଦା ଭାରତର ସ୍ବାଧୀନତା ସଂଗ୍ରାମର ଗୋଟିଏ ମାତ୍ର ବ୍ୟାଖ୍ୟା ବା ବର୍ଣ୍ଣନା ଦିଆଯାଇଛି। କିନ୍ତୁ, ଅସଲ କଥା ହେଲା, ଦେଶ ସ୍ବାଧୀନତା ହାସଲ ଦିଗରେ ଅନେକ ବ୍ୟକ୍ତି, ଚିନ୍ତାଧାରା ଏବଂ ସଙ୍ଗଠନମାନଙ୍କର ମୂଲ୍ୟବାନ ଅବଦାନ ରହିଛି।

ମୋ ଭଳି ଲୋକମାନଙ୍କର ବିଶ୍ବାସ ସଶସ୍ତ୍ର ବିପ୍ଳବଦ୍ବାରା ପ୍ରଜ୍ଜ୍ବଳିତ ଦେଶପ୍ରେମ ବହ୍ନି କଂଗ୍ରେସ ନେତୃତ୍ବାଧୀନ ସ୍ବାଧୀନତା ଆନ୍ଦୋଳନକୁ ସଫଳ କରାଇଛି। ଏହା ମୋର ବିଶ୍ବାସ ଓ ମୁଁ ଏହାକୁ ପ୍ରମାଣ କରିପାରିବି। ସମାନ୍ତରଳ ଧାରାରେ ସଶସ୍ତ୍ର ସଂଗ୍ରାମ ଚାଲି ନ ଥିଲେ ସ୍ବାଧୀନତା ହାସଲ କରିବା ଲାଗି ଆଉ ଅଳ୍ପ କିଛି ଦଶନ୍ଧି ଲାଗି ଥାଆନ୍ତା ବୋଲି ସେ କହିଛନ୍ତି।

ସେ ପୁଣି କହିଛନ୍ତି, ଦୁଃଖର ବିଷୟ, ଏହି ସବୁ ପ୍ରଚେଷ୍ଟା, ସଶସ୍ତ୍ର ସଂଗ୍ରାମର ଏହି ସବୁ ଅବଦାନକୁ ଐତିହାସିକମାନେ ‌ଯଥୋଚିତ ମାନ୍ୟତା ଦେଇ ନାହାନ୍ତି। ମୁଁ କହୁନାହିଁ ଯେ, ସ୍ବାଧୀନତା ସଂଗ୍ରାମ‌ରେ ଅହିଂସା ଆନ୍ଦୋଳନର ଅବଦାନ ନାହିଁ ବୋଲି। ସ୍ବାଧୀନତା ଆନ୍ଦୋଳନରେ ଅହିଂସା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। କିନ୍ତୁ, ଏଥିରେ ଅନ୍ୟ କାହାରି ଅବଦାନ ନାହିଁ ବୋଲି କହିବା ଭୁଲ୍।

ଭାରତୀୟ ଦୃଷ୍ଟିକୋଣରୁ ଯେଉଁମାନେ ଭାରତର ସ୍ବାଧୀନତା ସଂଗ୍ରାମ କହାଣୀ କହିଛନ୍ତି, ମୋ ବିଚାରରେ ସେମାନେ କିଛି ତ୍ରୁଟି କରିଛନ୍ତି। ବ୍ରିଟିସ୍‌ମାନେ ଚାଲିଗଲେ କିନ୍ତୁ, ‘ଅଂଗ୍ରେଜିୟାତ୍‌’ (ଇଂରାଜୀବାଦ) ଛାଡ଼ିଗଲେ। ଏହି ‘ଇଂରାଜୀବାଦ’ ଦୃଷ୍ଟିଭଙ୍ଗୀରେ ଲେଖାଯାଇଥିବା ଇତିହାସ ସମସ୍ତ ବିଭ୍ରାନ୍ତି ସୃଷ୍ଟି କରିଛି ବୋଲି ଶାହ କହିଛନ୍ତି।

Comments are closed.