ଗୁଜରାଟ : ଡମ୍ବରୁ ନାଦର ଗୁଞ୍ଜରଣ, ଭାବଭକ୍ତିର ସମର୍ପଣ। ଚାରିଆଡ଼େ ହର୍ ହର୍ ମହାଦେବ ଜୟଧ୍ୱନି। ଭକ୍ତି-ଶକ୍ତି-ଶାନ୍ତି ଓ ଆଧ୍ୟାତ୍ମିକତାର ଅପୂର୍ବ ସମାଗମ। ଗୁଜରାଟ ସୋମନାଥ ମନ୍ଦିର ପୁନର୍ନିର୍ମାଣର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଅମୃତ ମହୋତ୍ସବରେ ଇଏ ଭକ୍ତିର ଅର୍ପଣ। ଆକାଶରୁ ପୁଷ୍ପ ବର୍ଷା, ପୁଣି ଆକର୍ଷଣୀୟ ଏୟାର୍ ଶୋ। ସୋମନାଥ ମନ୍ଦିରର ଐତିହାସିକ ଅମୃତ ମହୋତ୍ସବରେ ସାମିଲ ହୋଇଥିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଜୟ ସୋମନାଥ ନାରା ଭିତରେ ବିରାଟ ରୋଡ୍ ଶୋରେ ଯାଇ ମନ୍ଦିରରେ ପହଞ୍ଚିଥିଲେ ପିଏମ । ବିଶେଷ ମହାପୂଜା ପରେ ଅପେକ୍ଷାରତ କୁମ୍ଭାଭିଷେକର ସାକ୍ଷୀ ସାଜିଥିଲେ ମୋଦି। ୧୧ ପବିତ୍ର ତୀର୍ଥସ୍ଥଳୀ ଜଳରେ ସୋମନାଥ ମନ୍ଦିରର ଶିଖର କଳସକୁ ଅଭିଷେକ କରାଯାଇଥିଲା। ଉତ୍ସବର ସବୁଠୁ ବିଶେଷ ମୁହୂର୍ତ୍ତ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ। ପରେ ପରେ ହେଲିପକ୍ଟରରୁ ମନ୍ଦିର ଉପରେ ପୁଷ୍ପବର୍ଷା ଏବଂ ଆକାଶରେ ଏୟାର ଶୋ ସୃଷ୍ଟି କରିଥିଲା ଭିନ୍ନ ଏକ ପରିବେଶ । ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାରୋବାଟିକ୍ ଟିମ୍ ତରଫରୁ ୬ଟି ହକଏମକେ-132 ଜେଟ୍ ବିମାନ ଦ୍ୱାରା ଭକ୍ତିପୂର୍ଣ୍ଣ ଚିତାକର୍ଷକ ଏୟାର ଶୋ ସମାରୋହକୁ ଆହୁରି ଭବ୍ୟ କରିଥିଲା। ମନ୍ଦିରରେ ଧ୍ୱଜାରୋହଣ ଓ ଧ୍ୱଜ ପୂଜାରେ ମଧ୍ୟ ସାମିଲ ହୋଇଥିଲେ ପିଏମ୍ ମୋଦି ।

ଯେଉଁ ମନ୍ଦିର ଦିନେ ଲୁଟ୍ ହୋଇଥିଲା, ଭାଙ୍ଗି ପଡ଼ିଥିଲା, ସେହି ସୋମନାଥ ମନ୍ଦିର ଆଜି ଗର୍ବରେ ମଥା ଉଚ୍ଚା କରି ଛିଡ଼ା ହୋଇଛି। ଏହି ଅବସରରେ ଭାରତର ସାଂସ୍କୃତିକ ଐତିହ୍ୟ, ଆତ୍ମବିଶ୍ୱାସ ଏବଂ ଜାତୀୟ ଶକ୍ତି ବିଷୟରେ ଶକ୍ତିଶାଳୀ ବାର୍ତ୍ତା ଦେଇ ପିଏମ କହିଛନ୍ତି, ବିଶ୍ୱର କୌଣସି ଶକ୍ତି ଭାରତକୁ ନୁଆଁଇ ପାରିବ ନାହିଁ କି ଚାପ ପକାଇପାରିବ ନାହିଁ
କେବଳ ଗୁଜରାଟର ସୋମନାଥ ମନ୍ଦିର ନୁହେଁ, ଆଜି ଦେଶବ୍ୟାପି ପାଳନ କରାଯାଉଛି ସୋମନାଥ ସ୍ୱାଭିମାନ ପର୍ବ । ଏହି ଅବସରରେ ଭୁବନେଶ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଜଳାର୍ପଣ କରିଛନ୍ତି ସିଏମ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ସୋମନାଥ ଏବଂ ଲିଙ୍ଗରାଜ ମନ୍ଦିର ମଧ୍ୟରେ ସମାନତା ଅଛି । ବାରମ୍ବାର ଆକ୍ରମଣ କେବେ ବି ସନାତନ ସଂସ୍କୃତିର ଆତ୍ମାକୁ ନଷ୍ଟ କରିପାରିବ ନାହିଁ ।
ଧ୍ବଂସ ଓ ନିର୍ମାଣର ବିଚିତ୍ର ଇତିହାସ ଉପରେ ଛିଡ଼ା ହୋଇଛି ସୋମନାଥ ମନ୍ଦିର । ମହମ୍ମଦ ଗଜନୀ, ଆଲାଉଦ୍ଦିନ ଖିଲିଜ୍, ଓରଙ୍ଗ ଜେବଙ୍କ ଆକ୍ରମଣ ଭାରତୀୟ ଇତିହାସର କଳାଅଧ୍ୟାୟ । ୧୯୫୧ ମସିହା ମେ ୧୧ ତାରିଖରେ ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଦ୍ବାରା ମନ୍ଦିରର ପୁନଃ ଶୁଭ ପ୍ରତିଷ୍ଠା କରାଯାଇଥିଲା।
Comments are closed.