ଆଶା କିରଣ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ସରେ ଜାତୀୟ ପାଠାଗାର ସପ୍ତାହ ପାଳିତ

 • ସାହିତ୍ୟ ଆଲୋଚନା, ପ୍ରତିଯୋଗିତା ଓ ପୁରସ୍କାର ବିତରଣ ସହ ପାଞ୍ଚଦିନିଆ କାର୍ଯ୍ୟକ୍ରମ ଉଦ୍‌ଯାପିତ

0
ଭୁବନେଶ୍ୱର, ନଭେମ୍ବର ୨୪ (କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ୱରର ଛତାବରସ୍ଥିତ ଆଶା କିରଣ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ସ (ଏକେଜିଆଇ) ପକ୍ଷରୁ ନଭେମ୍ବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଜାତୀୟ ପାଠାଗାର ସପ୍ତାହ-୨୦୨୬ ପାଳନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠାଗାରର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ପଠନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ନିର୍ଦ୍ଦେଶିକା (ପ୍ରଶାସନ) ପୂର୍ଣ୍ଣିମା ପଟ୍ଟନାୟକ, ଏକେଜିଆଇର ଅଧ୍ୟକ୍ଷା ଡ. ଶିପ୍ରା କର୍ମକାର, ଏକେଆଇଟିଏମ୍‌ର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଦାସ, ଏକେଜିଆଇର ପାଠାଗାରିକା ମଧୁସ୍ମିତା ଦାସଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସପ୍ତାହବ୍ୟାପୀ ପୋଷ୍ଟର ଉପସ୍ଥାପନା, ବିତର୍କ ପ୍ରତିଯୋଗିତା, କୁଇଜ୍ ଓ ବିଭିନ୍ନ ଖେଳ ଆଦି ଆୟୋଜିତ ହୋଇଥିଲା।
ନଭେମ୍ବର ୨୦ ତାରିଖରେ ଉଦ୍‌ଯାପନୀ ସମାରୋହ ହେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଅନିବାର୍ଯ୍ୟ ପାଣିପାଗ ପରିସ୍ଥିତି ଯୋଗୁଁ ତାହା ସ୍ଥଗିତ ରହିଥିଲା। ଏହା ନଭେମ୍ବର ୨୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋଦାବରୀଶ ସାହିତ୍ୟ ସଂସଦର ସଭାପତି ପ୍ରଫେସର ଉପେନ୍ଦ୍ର ପ୍ରସାଦ ନାୟକ ମୁଖ୍ୟ ଅତିଥି, ଇଂରାଜୀ ଦୈନିକ ‘ହିଅରସେ ହେରାଲ୍ଡ’ର ସମ୍ପାଦକ ଡ. ସତ୍ୟବ୍ରତ ଜେନା ମୁଖ୍ୟବକ୍ତା ଏବଂ ଇଂରାଜୀ ଖବରକାଗଜ ‘ଦି ଡାର୍କ କର୍ଲ’ର ସମ୍ପାଦକ ଜ୍ଞାନରଞ୍ଜନ ଦାସ ବକ୍ତା ଭାବେ ଯୋଗ ଦେଇଥିଲେ।
ପ୍ରଫେସର ନାୟକ ନିଜ ବକ୍ତବ୍ୟରେ ଶିକ୍ଷାନୁଷ୍ଠାନରେ ପାଠାଗାରର ଭୂମିକା ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପାଠାଗାରରୁ ଜ୍ଞାନ ଆହରଣ ବୌଦ୍ଧିକ ବିକାଶର ଏକ ମାର୍ଗ ଏବଂ ସମସ୍ତେ ଏହି ଅଭ୍ୟାସକୁ ଆପଣାଇବା ଉଚିତ ବୋଲି ସେ କହିଥିଲେ। ଏଥିସହ ସେ ନିଜ ସମ୍ପାଦନାରେ ପ୍ରକାଶିତ ସାହିତ୍ୟ ପତ୍ରିକା ‘ଶତଦ୍ରୁ’କୁ ଅନୁଷ୍ଠାନର ପାଠାଗାରକୁ ପ୍ରଦାନ କରିଥିଲେ।
ଡ. ଜେନା ଯୁବପିଢ଼ିଙ୍କ ମଧ୍ୟରେ ପଠନ ଅଭ୍ୟାସର ଆବଶ୍ୟକତା ଉପରେ ମତ ରଖିଥିଲେ। ପାଠାଗାର ଦିବସର ପ୍ରବର୍ତ୍ତକ ପଦ୍ମଶ୍ରୀ ଡ. ଏସ୍. ଆର୍. ରଙ୍ଗନାଥନଙ୍କ ସମ୍ପର୍କରେ ଆଲୋଚନା କରିବା ସହ ବାବାସାହେବ ଡ. ବି.ଆର୍. ଆମ୍ବେଦକର ଓ ସ୍ୱାମୀ ବିବେକାନନ୍ଦ କିପରି ପାଠାଗାରର ଉପଯୋଗ କରୁଥିଲେ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ସେ ନିଜ ରଚିତ ପୁସ୍ତକ ସହ ‘ବାତାୟନ’ ଓ ‘ଶବ୍ଦବ୍ରହ୍ମ’ ପତ୍ରିକାକୁ ଆଶା କିରଣ ପାଠାଗାରକୁ ପ୍ରଦାନ କରିଥିଲେ।
ଜ୍ଞାନରଞ୍ଜନ ଦାସ ପାଠାଗାରକୁ ଜ୍ଞାନର ଭଣ୍ଡାର ଭାବେ ଅଭିହିତ କରିବା ସହ ନିୟମିତ ପଠନ ଅଭ୍ୟାସ ଦ୍ୱାରା କେବଳ ଜ୍ଞାନ ବୃଦ୍ଧି ହୁଏ ନାହିଁ, ମାନବୀୟ ମୂଲ୍ୟବୋଧର ମଧ୍ୟ ବିକାଶ ହୋଇଥାଏ ବୋଲି କହିଥିଲେ।
ଶେଷରେ ପ୍ରଫେସର ସୁଧାଶିଷ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା। ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଉତ୍ସାହପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
Leave A Reply

Your email address will not be published.