ବାରବାଟୀରେ ଆରମ୍ଭ ହେଲା ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ସମାରୋହ

କଟକ: ‌ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ସମାରୋହ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ସମ୍ପୂର୍ଣ୍ଣ ବାରବାଟୀ ଷ୍ଟାଡିୟମ ପରିସର ସରଗରମ ହୋଇ ଉଠିଛି। ଦର୍ଶକମାନେ ଅପରାହ୍‌ଣ ସାଢ଼େ ୨ଟାରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ।  ପ୍ରଥମେ ଅରୁଣା ମହାନ୍ତି ଓ ନମିତା ମେଲେକାଙ୍କ ନେତୃତ୍ୱରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଛି। ପରେ କଣ୍ଠଶିଳ୍ପୀ ସ୍ନିତି ମିଶ୍ରଙ୍କ ଦ୍ୱାରା ସଂଗୀତ ପରିବେଶ ଓ ପରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଛି। ସେହିପରି ଋତୁରାଜ ମହାନ୍ତି ନିଜର ପ୍ରସ୍ତୁତି ଦେଇଛନ୍ତି।

ଅପରାହ୍ନ ୩ଟାରେ ହକି ଉଦ୍‌ଘାଟନୀ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାତି ଯାଏଁ ଏହି କାର୍ଯ୍ୟକ୍ରମ ଜାରି ରହିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ କଳାକାର ରଣବୀର ସିଂହଙ୍କ ସମେତ ଦିଶା ପଟାନୀ, ଓଲିଉଡର କଳାକାର ସବ୍ୟସାଚୀ, ଅର୍ଚ୍ଚିତା, ଏଲିନା ସାମନ୍ତରାୟ, ଅନନ୍ୟା ନନ୍ଦ, ଲିସା ମିଶ୍ର, ଋତୁରାଜ ମହାନ୍ତି, ସୁନୀତି ମିଶ୍ର ପ୍ରମୁଖ ଯୋଗଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଅତିଥି ଉଦ୍‌ଘାଟନ ସମାରୋହରେ ଉପସ୍ଥିତ ରହିବେ।

ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ସମାରୋହକୁ ହଜାର ହଜାର ଦର୍ଶକ ଦେଖୁଛନ୍ତି। କେବଳ ବାରବାଟୀ ନୁହେଁ ବରଂ ଭୁବନ‌େଶ୍ବରରେ ମଧ୍ୟ ହକିପ୍ରେମୀଙ୍କ ମନରେ ଉତ୍ସାହ ଦେଖାଯାଇଛି। ଭୁବନେଶ୍ବରସ୍ଥିତ ରୁପାଲି ଛକ, କଳିଙ୍ଗ ଷ୍ଟାଡ଼ିୟମ ଓ ବିମାନବନ୍ଦରରେ ଏଲ୍‌ଇଡି ଲଗାଯାଇଛି। ବାରବାଟୀ ଷ୍ଟାଡିୟମକୁ ପୂରା ସଜା ଯାଇଛି। ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଛାତ୍ରଛାତ୍ରୀ ଦେଖିପାରିଛନ୍ତି। ଏଥିପାଇଁ ରାଜ୍ୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ତଥା ବେସରକାରୀ ସ୍କୁଲଗୁଡିକୁ ଅପରାହ୍ନ ୧ଟାରୁ ଛୁଟି ଘୋଷଣା କରାଯାଇଛି । କଟକ ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ସରକାରୀ ଅଫିସ, ବିଶ୍ୱବିଦ୍ୟାଳୟ, କଲେଜ, ସ୍କୁଲକୁ ଦିନ ଗୋଟାଏରୁ ଛୁଟି ଘୋଷଣା କରାଯାଇଛି ।

ବିଶ୍ବକପ୍ ହକି ଟ୍ରଫି ସାରାରାଜ୍ୟରେ ବୁଲିବା ପରେ ମଙ୍ଗଳବାର ରାତିରେ କଟକରେ ପହଞ୍ଚିଥିଲା। ଟ୍ରଫି ଜଗତସିଂହପୁରରୁ ଆସି ବିଦ୍ୟାଧରପୁରରେ ପହଞ୍ଚିବା ପରେ ତାହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମକୁ ଅଣାଯାଇଥିଲା। ହକି ଟ୍ରଫିକୁ ଇଣ୍ଡୋର୍‌ ଷ୍ଟାଡିୟମରେ ରାତିରେ ରଖାଯାଇଥିବା ବେଳେ ବୁଧବାର ସକାଳ ସାଢ଼େ ୬ଟାରେ ଟ୍ରଫିକୁ ବାଲିଯାତ୍ରା ପଡ଼ିଆର କଟକ ଇନ୍‌ କଟକକୁ ନିଆଯାଇଥିଲା।

Comments are closed.