ଆଇପିୟୁରେ ବିଜୟ ପରେ ୨୦ରେ ଅପରାଜିତାଙ୍କ ବିଶାଳ ପଦଯାତ୍ରା

ଭୁବନେଶ୍ୱର: ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ୍ (ଆଇପିୟୁ) ନିର୍ବାଚନରେ ଭାରତ ତଥା ଅପରାଜିତା ଷଡ଼ଙ୍ଗୀଙ୍କ ବିଜୟ ପରେ ଆସନ୍ତା ଅକ୍ଟୋବର ୨୦ ତାରିଖରେ ଓଡ଼ିଶା ଫେରୁଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ। ଏହି ବିଜୟ ଭାରତର ବିଜୟ, ମୋଦୀଙ୍କ ବିଜୟ ତଥା ଅପରାଜିତା ଷଡ଼ଙ୍ଗୀଙ୍କ ବିଜୟ। ଅପରାଜିତା ଓଡ଼ିଶାର ସାଂସଦ ହୋଇଥିବାରୁ ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ। ତେଣୁ, ଅପରାଜିତା ଆସନ୍ତା ୨୦ ତାରିଖ ୧୧:୩୦ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଅପରାଜିତାଙ୍କ ସମର୍ଥକ ମାନେ ତାଙ୍କୁ ଏକ ବିଶାଳ ପଦଯାତ୍ରା ମାଧ୍ୟମରେ ପାଛୋଟି ନେଇ ନବୀନ ନିବାସ ଦେଇ ସାଂସଦଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବେ। ସେଠାରେ ଅପରାଜିତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ।

ଏହି ପଦଯାତ୍ରାରେ ପ୍ରାୟ ୧୦ ହଜାର ସମର୍ଥକ ଯୋଗଦେବେ ବୋଲି କୁହାଯାଉଛି। ଏହା ପରେ ଅପରାଜିତା ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର ଏବଂ ତା’ ପରେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ଠାକୂର ଦର୍ଶନ କରିବା ସହ ଆଶୀର୍ବାଦ କାମନା କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଭାରତ ପକ୍ଷରୁ ଆଇପିୟୁ ସଦସ୍ୟା ଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପରିଚାଳନା ସମିତି ନିର୍ବାଚନରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ବିଜୟ ଲାଭ କରିଛନ୍ତି। ଆଇପିୟୁର ୧୫ ଜଣିଆ ସମିତିରେ ଗୋଟିଏ ପଦ ଖାଲି ପଡ଼ିଥିଲା। ଏହି ଖାଲି ପଦ ପୂରଣ ପାଇଁ ହୋଇଥିବା ନିର୍ବାଚନରେ ଭାରତ ପକ୍ଷରୁ ପ୍ରତିନଧିତ୍ୱ କରି ଅପରାଜିତା ଦୁଇ ତୃତୀୟାଂଶ ଭୋଟ୍ ପାଇ ବିଜୟ ଲାଭ କରିଛନ୍ତିଭାରତର ପ୍ରାର୍ଥୀ ଆଇପିୟୁରେ ବିଜୟୀ ହୋଇଥିବାରୁ ଏହା ଦେଶ ପାଇଁ ଗୌରବ ଆଣିଛି।

ଦୁଇ ଦଶନ୍ଧି ପରେ ଭାରତ ପାଇଁ ଏପରି ସୁଯୋଗ ଆସିଛି। ଏହା ପୂର୍ବରୁ ୧୯୯୯ – ୨୦୦୨ ମସିହାରେ ଭାରତରୁ ନଜ୍‌ମା ହେପତୁଲ୍ଲା ଆଇପିୟୁ ପରିଚାଳନା ସମିତିରେ ଅଧ୍ୟକ୍ଷା ରହିଥିଲେ। ଆଇପିୟୁରେ ୧୭୮ଟି ଦେଶ ଏହାର ସଦସ୍ୟ ଅଛନ୍ତି। ଏବେ ଆଇପିୟୁ ପରିଚାଳନା ସମିତି ନିର୍ବାଚନରେ ଭାରତର ପ୍ରତିନିଧି ଭାବରେ ଅପରାଜିତା ଷଡ଼ଙ୍ଗୀଙ୍କ ବିଜୟ ଭାରତ ପାଇଁ ଏକ ଭଲ ସଫଳତା। ଏହି ବିଜୟ ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଅପରାଜିତା ଷଡ଼ଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଭାରତ ପକ୍ଷରୁ ତାଙ୍କୁ ପ୍ରତିନିଧିତ୍ୱର ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଚସ୍ପତି ଓମ୍ ବିର୍ଲାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପରାଜିତା ଷଡ଼ଙ୍ଗୀ।

Comments are closed.