ଉପଭୋକ୍ତା ଓ ଗଣମାଧ୍ୟମକୁ ଭକୁଆ କଲା ଟାଟା ପାୱାର

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ବିଜୁଳି ବିତରଣ କରୁଥିବା ଟାଟା ପାୱାରର ମନମୁଖୀ କାର୍ଯ୍ୟ ସୀମା ପାର କରି ସାରିଛି। ବର୍ଷ ତମାମ ବିଭିନ୍ନ ଆଳରେ ମନଇଚ୍ଛା ଅଘୋଷିତ ବିଦ୍ୟୁତ କାଟ କରି ଚାଲିଥିବା ବେଳେ ବିଜୁଳି ଗ୍ରିଡ ଓ ସବ ଷ୍ଟେସନ ଆଦିର ମାସିକ ଓ ବାର୍ଷିକ ରକ୍ଷଣାବେକ୍ଷଣ ନାମରେ ବିଜୁଳି କାଟ ଉପଭୋକ୍ତା ମାନଙ୍କୁ ହନ୍ତସନ୍ତ କରି ରଖି ଦେଇଛି। ଶନିବାର ୧୫ ଅକ୍ଟୋବର ରେ ସମ୍ବଲପୁର ସହର ସମେତ ଆଖାପାଖ ଅଞ୍ଚଳରେ ଓପିଟିସିଏସଲର ବାର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି ନିମନ୍ତେ ସକାଳ ୮ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଜୁଳି କାଟର ଘୋଷଣା ୧୨ ଅକ୍ଟୋବରରେ କରାଯିବା ସହିତ ୧୪ ତାରିଖ ଶୁକ୍ରବାର ଏ ସର୍ମ୍ପକରେ ଡାକବାଜି ଯନ୍ତ୍ର ଲଗା ଗାଡି ଦ୍ୱାରା ସହରରେ ଘୋଷଣା ମଧ୍ୟ କରାଯାଇଥିଲା।

ତେବେ କୌଣସି କାରଣରୁ ୧୪ ତାରିଖ ରାତ୍ର ପ୍ରାୟ ସାଢ଼େ ୭ଟା ସମୟରେ ଟାଟା ପାୱାରର ପଶ୍ଚିମ ଓଡ଼ିଶା ସର୍ମ୍ପକ ପ୍ରମୁଖ ମନୋଜ ପଟ୍ଟନାୟକ ଏକ ପ୍ରେସ ବାର୍ତ୍ତା ଦେଇ ୧୫ ତାରିଖ (ଶନିବାର) ରେ ବିଜୁଳି କାଟ ହେବ ନାହିଁ ବୋଲି ସୂଚନା ଦେଇ ସମସ୍ତ ଗଣମାଧ୍ୟମକୁ ଏହି ସୂଚନା ଜନତାଙ୍କୁ ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ଗଣମାଧ୍ୟମ ମାନେ ନିଜର ଦାୟିତ୍ୱ ନିର୍ବାହ କରି ଜନତାଙ୍କୁ ସମ୍ବଲପୁର ସହରରେ ବିଜୁଳି କାଟ ହେବ ନାହିଁ ବୋଲି ଟାଟା କମ୍ପାନୀ ଦ୍ୱାରା ସୂଚିତ ସୂଚନା ପ୍ରଦାନ କରିଥିଲେ। କିନ୍ତୁ ମନମାନୀ କରିବାରେ ଅଭ୍ୟସ୍ଥ ଟାଟା ପାୱାର ଅଚାନକ ବିନା କୌଣସି ସୂଚନାରେ ସକାଳ ୮ଟା ପରେ ବିଦ୍ୟୁତ କାଟ କରି ଦେଇଥିଲେ। ଏଭଳି ବିଭ୍ରାଟ ଯୋଗୁଁ ଗଣମାଧ୍ୟମ ପ୍ରତିନିଧି ଓ ଜନତା ଙ୍କ ପକ୍ଷରୁ ଟାଟା ପାୱାର କୁ ସର୍ମ୍ପକ କରାଯିବାରୁ ସମସ୍ତ ଅଧିକାରୀ ମାନେ ଚୁପ ହୋଇ ରହି ଯାଇଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ଆଳ ଦେଖାଇ ସେମାନଙ୍କର ମନମୁଖୀ କାର୍ଯ୍ୟକୁ ଠିକ ବୋଲି ସାବ୍ୟସ୍ତ କରିବାକୁ ଅପଚେଷ୍ଟା କରିଛନ୍ତି।

Comments are closed.