ଆମେ ହରିଣ ଦେବୁନି ! ବିଦେଶରୁ ଆସିଥିବା ୮ ଚିତାକୁ ନେଇ ବିବାଦ

ଜୟପୁର: ଚର୍ଚ୍ଚାରେ ଚିତା। ବିବାଦରେ ତାଙ୍କ ଖାଦ୍ୟ। ନାମ୍ବିଆରୁ ଆସିଥିବା ଚିତାକୁ ନେଇ ବିବାଦ ଉପୁଜିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ନାମ୍ବିଆରୁ ଆସିଥିବା ୮ ଚିତାକୁ ମଧ୍ୟପ୍ରଦେଶର କୁନୁ ଜାତୀୟ ଉଦ୍ୟାନରେ ଛଡ଼ାଯାଇଛି। ୭୦ ବର୍ଷ ପରେ ଚିତା ବଂଶ ବୃଦ୍ଧି ନେଇ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଏବେ ଏହାକୁ ନେଇ ନୂଆ ବିବାଦ ଛିଡ଼ା ହୋଇଛି।

ଏହି ଚିତାଗୁଡ଼ିକର ଖାଦ୍ୟ ପାଇଁ ରାଜସ୍ଥାନରୁ ଚିତଲ ହରିଣକୁ ଅଣାଯାଇଥିବା ଅଭିଯୋଗ ହୋଇଛି। କିନ୍ତୁ ଏହି ଅଭିଯୋଗକୁ ମଧ୍ୟପ୍ରଦେଶ ସରକାର ଖଣ୍ଡନ କରିଛନ୍ତି। ଚିତଲ ହେଉଛି ଏକ ପ୍ରକାର ବିରଳ ହରିଣ। ଏହି ହରିଣ ସୁରକ୍ଷା ପାଇଁ ରାଜସ୍ଥାନ ସରକାର ଉଦ୍ୟମ କରୁଛନ୍ତି। କିନ୍ତୁ ଆଫ୍ରିକାରୁ ଆସିଥିବା ନୂଆ ଚିତାଙ୍କ ଲାଗି ଚିତଲ ହରିଣକୁ ଅଣାଯାଇଥିବା ଅଭିଯୋଗ ହୋଇଥିଲା।

ସେହିପରି ଚିତଲ ହରିଣ ବଂଶର ସୁରକ୍ଷା ପାଇଁ ରାଜସ୍ଥାନର ବିଷ୍ଣୋୟୀ ସମାଜ ମଧ୍ୟ ଉଦ୍ୟମ ଜାରି ରଖିଛି। ଏବେ ସେଠାରୁ ହରିଣ ଅଣାଯିବା ଖବର ଉଠିବା ପରେ ବିଷ୍ଣୋୟୀ ସମାଜ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖି ପ୍ରତିବାଦ ଜଣାଇଛି। ରାଜସ୍ଥାନର ହାରୟଣର ଫତେବାଦରେ ଥିବା ମିନି ସଚିବାଳୟ ସମ୍ମୁଖରେ ବିଷ୍ଣୋୟୀ ସମାଜ ପକ୍ଷରୁ ଧାରଣା ଦିଆଯାଇଥିଲା। ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ଅନ୍ୟପଟେ ହରିଣ ଚାଲାଣଖବରକୁ ମଧ୍ୟପ୍ରଦେଶ ବନ ବିଭାଗ ଖଣ୍ଡନ କରିଛି। ଏନେଇ ବନିବାଭଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଛି। ସେଥିରେ ରାଜସ୍ଥାନରୁ କୌଣସି ଚିତଲ ଅଣାଯାଇ ନାହିଁ ବୋଲି କୁହାଯାଇଛି।

ସୂଚନା ଅନୁଯାୟଇ ନାମ୍ବିଆରୁ ଆଠଟି ଚିତାବାଘ ଅଣାଯାଇଥିଲା। ଏକ ସ୍ୱତନ୍ତ୍ର କାର୍ଗୋ ବିମାନରେ ଭାରତ ଆସିବା ପରେ ଏହି ସମସ୍ତ ଚିତାଙ୍କୁ ସେନାର ତିନିଟି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା। ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚିତାବାଘଙ୍କୁ ଏନକ୍ଲୋଜରରେ ବାହାରକୁ ଛାଡିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଚିତାଙ୍କ ସୁରକ୍ଷା ପାଇଁ ଉପଗ୍ରହ ମାଧ୍ୟମରେ ନଜର ରଖିବାକୁ ସମସ୍ତ ଚିତାଗୁଡ଼ିକରେ ରେଡିଓ କଲର ଲଗାଯାଇଛି । ଏହା ବ୍ୟତୀତ, ପ୍ରତ୍ୟେକ ଚିତା ପଛରେ ଏକ ଉତ୍ସର୍ଗୀକୃତ ମନିଟରିଂ ଦଳ ଅଛନ୍ତି । ଏହି ଦଳଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ଚିତା ବାଘଙ୍କ ବଂଶ ବିସ୍ତାର କରିବା ସହ ତାଙ୍କର ସୁରକ୍ଷା କଥା ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ବିଶେଷ ଆଲୋଚନା କରିଥିଲେ ।

Comments are closed.