ଭୁବନେଶ୍ୱର: ରାଜ୍ୟରେ ପୁଣି ଏକ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର କଳାବାଦଲ ମାଡ଼ି ଆସୁଛି। ଏକ ଶକ୍ତିଶାଳୀ ବାତ୍ୟା ଉପକୂଳ ମୁହାଁ ହେଉଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ୧୬ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର କରାଯାଇଥିବାବେଳେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ସମ୍ପୂର୍ଣ୍ଣ ଭାବେ ବାତିଲ୍ କରାଯାଇଛି। ଜିଲ୍ଲାଗୁଡ଼ିକ ମଧ୍ୟରେ ପୁରୀ, ଗଞ୍ଜାମ. ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ ଏବଂ ଖୋର୍ଦ୍ଧାକୁ ସତର୍କ ସୂଚନା ଦିଆଯାଇଛି। ଆସନ୍ତା ୨୬ ତାରିଖ ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ଏବଂ ୨୬, ୨୭ ଓ ୨୮ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ବାତ୍ୟାର ପ୍ରଭାବ କିପରି ରହିବ ଏବଂ ଏହାର ମୁକାବିଲା କିଭଳି କରାଯିବ, ସେନେଇ ସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଭାବିତ ହେବାକୁ ଥିବା ସମସ୍ତ ୧୬ଟି ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କୁ ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି। ଜନସାଧାରଣଙ୍କ ସୁରକ୍ଷା, ରିଲିଫ୍ ବଣ୍ଟନ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣକୁ ବାଧାପ୍ରାପ୍ତ ନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।