ଅବାଞ୍ଛିତ ଗର୍ଭଧାରଣ, ଅସୁରକ୍ଷିତ ଶିଶୁ: ସରକାରୀ ଯୋଜନା ଦିଶାହୀନ, ଶିଶୁ ବିକ୍ରି ପାଇଁ ବାଟ ଖୋଲା

ବ୍ରହ୍ମପୁର : ଗତ ବର୍ଷକ ଭିତରେ ଏମିତି ୧୦ଟି ଘଟଣା ଘଟିଲା। କେଉଁଠି ଜନ୍ମକଲା ମା’ ଶିଶୁକୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଦେଲାଣି, ତ କେଉଁଠି ଶିଶୁ ଚୋରି ବା ନିଖୋଜ ହେବା ପରେ ଅନ୍ୟ ସ୍ଥାନରୁ, ଅଜ୍ଞାତ ବ୍ୟକ୍ତିଙ୍କ ହେପାଜତରୁ ଉଦ୍ଧାର କରାଯାଉଛି। ଅବାଞ୍ଛିତ ଗର୍ଭଧାରଣ ଏହି ସବୁ ସରକାରୀ ଯୋଜନାକୁ ବାଟବଣା କରି ଦେଉଥିବା ବେଳେ ସରକାରୀସ୍ତରରେ ମଧ୍ୟ ଏ ଦିଗରେ ସଚେତନତା ସୃଷ୍ଟି ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଚଳାଇବାକୁ ଆସୁଥିବା ଅନୁଦାନ ଠିକ୍‌ ବାଟରେ ବିନିଯୋଗ ହେଉ ନଥିବା ଅଭିଯୋଗ ହେଉଛି। ଫଳରେ ଗଞ୍ଜାମ ଜିଲ୍ଲାରେ ଅବାଞ୍ଛିତ ଗର୍ଭଧାରଣ ଏକ ବିରାଟ ସମସ୍ୟା ହୋଇଛି। ଏପଟେ ଶିଶୁ ମଧ୍ୟ ଅସୁରକ୍ଷିତ,ଯାହାକି ଭ୍ରୂଣହତ୍ୟା ନହେଲେ ଶିଶୁ ବିକ୍ରିର ରାସ୍ତା ଦେଖାଉଥିବା ବିଗତ ଦିନର ଘଟଣାରୁ ପ୍ରମାଣିତ ହୋଇଛି। ଗଞ୍ଜାମ ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ନଜରକୁ ଆସୁଥିବା ଯୋଗୁଁ ସରକାରୀ ଯୋଜନାର ସଫଳ ରୂପାୟନକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି।

ଗଞ୍ଜାମ ଜିଲ୍ଲାରେ ଗାଁ ଠୁ ସହର ସବୁଠି ଶିଶୁ ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ବିଭିନ୍ନ କାରଣରୁ ଚିକିତ୍ସା ନପାଇ ନବଜାତ ଶିଶୁଙ୍କ ମୃତ୍ୟୁ ଘଟୁଛି। ପୁଣି କେତେବେଳେ ନବଜାତ ଶିଶୁଙ୍କୁ ବିଭିନ୍ନ ସ୍ଥାନରେ ଫୋପାଡ଼ି ଅଭିଭାବକ ଚାଲି ଯାଉଛନ୍ତି। ଅବାଞ୍ଛିତ ଗର୍ଭଧାରଣ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଡାକ୍ତରଖାନାରେ ପ୍ରସବ ପରେ ବିଭିନ୍ନ ସମୟରେ ଅଭିଭାବକ ନବଜାତ ଶିଶୁକୁ ନେଉ ନାହାନ୍ତି। ଏପରିକି ଶିଶୁକୁ ବିଭିନ୍ନ ସ୍ଥାନରେ ଏକୁଟିଆ ଛାଡ଼ି ଚାଲିଯାଉଛନ୍ତି। ଖବର ପାଇ ପ୍ରଶାସନ ସେହି ଶିଶୁଙ୍କୁ ଉଦ୍ଧାର କରୁଛି। ନହେଲେ ଶିଶୁଟି ଅନ୍ୟ କାହା ହାତରେ ପଡ଼ି ଶେଷରେ ବିକ୍ରି ହୋଇ ଯାଉଥିବା ଅଭିଯୋଗ ହେଉଛି। ଯାହାକି ଶିଶୁ ଅଧିକାର ପାଇଁ ଲଢ଼େଇ କରୁଥିବା କର୍ମୀ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ଏଭଳି ବେଆଇନ କାର୍ଯ୍ୟ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ଗତ ୨୦୨୧ ଜୁଲାଇ ୩୦ ତାରିଖରେ ଶେରଗଡ଼ ଥାନା ବ୍ରାହ୍ମଣଛାଇ ଗ୍ରାମରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କର ନବଜାତ ଶିଶୁ ରଖିଥିବା ନେଇ ଜଣାପଡ଼ିଥିଲା। ଶିଶୁ ଗୁରୁତର ହେବାରୁ ତାକୁ ହିଂଜିଳିକାଟୁ ଡାକ୍ତରଖାନାକୁ ନିଆଯିବା ପରେ ଘଟଣା ପଦାକୁ ଆସିଥିଲା। ପରେ ଶିଶୁକୁ ଜିଲ୍ଲା ପ୍ରଶାସନ ନିଜ ହେପାଜତକୁ ନେଇଥିଲା। ସେହିପରି ୨୦୨୧ ଅଗଷ୍ଟ ୧୩ ତାରିଖରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଅଭିଭାବକ ଏକ ନବଜାତ ଶିଶୁକୁ ଛାଡ଼ି ପଳାଇଥିଲେ। ସେହି ଶିଶୁକୁ ଚାଇଲ୍‌ଡ ଲାଇନ୍‌ ସହାୟତାରେ ଉଦ୍ଧାର କରାଯାଇଥିଲା। ସେହିଭଳି ଗତବର୍ଷ ଏମ୍‌କେସିଜି ବଡ଼ ଡାକ୍ତରଖାନା ଖେଳପଡ଼ିଆ ପୋଖରୀ ହୁଡ଼ାରୁ ଏକ ନବଜାତକ ଶିଶୁକୁ ଉଦ୍ଧାର କରାଯାଇଥିଲା। ପୁଣି ଗତ ଏପ୍ରିଲ୍‌ ମାସରେ ପାତ୍ରପୁର ତୁରୁବୁଡ଼ି ଅଞ୍ଚଳରେ ଏକ ଦମ୍ପତି ଅନ୍ୟଜଣଙ୍କର ଶିଶୁକୁ ରଖିବା ପାଇଁ ଯୋଜନା କରୁଥିବା ବେଳେ ସିଡିପିଓ ସେଠାରେ ଚଢ଼ଉ କରି ଶିଶୁଟିକୁ ଉଦ୍ଧାର କରିଥିଲେ। ସେହିପରି ଗତ ଏପ୍ରିଲ୍‌ ୬ତାରିଖ ଓ ୧୭ତାରିଖରେ ଭଞ୍ଜନଗର ଏବଂ ଧରାକୋଟ ଡାକ୍ତରଖାନାରୁ ଏଭଳି ଦୁଇଜଣ ଶିଶୁଙ୍କୁ ପ୍ରଶାସନ ଉଦ୍ଧାର କରିଥିଲା। ସେହିପରି ଗତ ଜୁନ୍‌ ୨୬ତାରିଖରେ ଗଞ୍ଜାମ ବ୍ଲକ୍ ବେଲପଡ଼ା ଗାଁ ରାସ୍ତାରୁ ଉଦ୍ଧାର କରିଥିବା ଏକ ଶିଶୁକୁ ଜଣେ ବ୍ୟକ୍ତି ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଶିଶୁକୁ କଟକ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ଜିଲ୍ଲା ପ୍ରଶାସନର ଏକ ଟିମ୍ କଟକ ଯାଇ ଶିଶୁକୁ ଉଦ୍ଧାର କରିଥିଲା।

ଏହି ସବୁ ଘଟଣା ପରେ ଗତ ୫ତାରିଖରେ ବ୍ରହ୍ମପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟସ୍ଥ ଶୌଚାଳୟରେ ଜନୈକା ଗର୍ଭବତୀଙ୍କ ପ୍ରସବ ହୋଇଥିଲା। ସେ ଏକ ଶିଶୁପୁତ୍ର ଜନ୍ମ ଦେଇଥିବା ବେଳେ ଶିଶୁକୁ ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ମା’-ଶିଶୁଙ୍କୁ ଏମ୍‌କେସିଜି ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଉଭୟ ମା’-ପୁଅ ସେଠାରୁ ରହସ୍ୟଜନକ ଭାବେ ନିଖୋଜ ହୋଇ ଯାଇଥିଲେ। ଏ ନେଇ ପ୍ରଶାସନ ତନାଘନା ଆରମ୍ଭ କରିବା ପରେ ଗତକାଲି ଗୋସାଇଁନୂଆଗାଁ ପୁଲିସ ଉଭୟ ମା’-ପୁଅଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛି। ତେବେ ମହିଳାଜଣକ ଶିଶୁକୁ କାହିଁକି ରଖିବାକୁ ଚାହୁଁ ନଥିଲେ ଓ ଡାକ୍ତରଖାନାରୁ ବିନା ଚିକିତ୍ସାରେ କାହିଁକି ଚାଲିଯାଇଥିଲେ, ସେ ଦିଗରେ ପ୍ରଶାସନ ଅଧିକ ତଦନ୍ତ ଜାରି ରଖିଛି। ଏହି ସବୁ ଘଟଣା ପାଇଁ କିଏ ଦାୟୀ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଶିଶୁ ସୁରକ୍ଷା ପାଇଁ ରହିଥିବା ସରକାରୀ ଯୋଜନା ସଠିକ୍‌ ଭାବେ କାର୍ଯ୍ୟକାରୀ କରୁ ନାହିଁ ନା ଲୋକଙ୍କ ଦୁର୍ବଳ ମାନସିକତା ଏଥିପାଇଁ ଦାୟୀ, ତାହା ତର୍ଜମା କରିବାର ସମୟ ଆସିଥିବା ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Comments are closed.