ଧାନ ବିକ୍ରି ପ୍ରାପ୍ୟ ନପାଇ ଚାଷୀ ହନ୍ତସନ୍ତ, କ୍ୟାନସର ଚିକିତ୍ସା ପାଇଁ ଅର୍ଥାଭାବ

ଦେଓଗାଁ : ମଣ୍ଡିରେ ଧାନ ବିକି ବର୍ଷେ ପରେ ବି ପ୍ରାପ୍ୟ ପାଉ ନାହାନ୍ତି ଚାଷୀ। ଏବେ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ‌ ଅର୍ଥାଭାବ ଯୋଗୁଁ ଉଚ୍ଚତର ଚିକିତ୍ସା ବି ହୋଇ ପାରୁ ନାହିଁ। ଏପରି ଏକ ସଂଗିନ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ରୁ।

ଅଭିଯୋଗ ଅନୁସାରେ, ଦେଓଗାଁ ବ୍ଲକ୍‌ ବନ୍ଧପଡ଼ା ପଞ୍ଚାୟତ ଟେପ୍ରେନ ଗାଁର ଚାଷୀ ହେଉଛନ୍ତି ଲଳିତ ଖମାରୀ। ସେ ଗତବର୍ଷ ଖରିଫ ଧାନମଣ୍ଡିରେ ଧାନ ବିକ୍ରି କରିବାକୁ ସରକାରଙ୍କଠାରୁ ଟୋକନ ପାଇଥିଲେ। ସେ ଅନୁସାରେ ବନ୍ଧପଡ଼ା ମଣ୍ଡିକୁ ଧାନ ଆଣି ୬୮କୁଇଣ୍ଟାଲ ଓଜନ କରାଇଥିଲେ। ହେଲେ ଏହି ଧାନକୁ ସରକାରୀ ହିସାବରେ ନକିଣି ମିଲର ସହ ମିଶି ବ୍ୟକ୍ତିଗତ ହିସାବରେ କିଣାଯାଇଥିଲା। ଫଳରେ ଚାଷୀ ଜଣକ ଧାନ ବିକ୍ରି ପ୍ରାପ୍ୟ ୧ ଲକ୍ଷ ୩୧ ହଜାର ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏବେ  ଚାଷୀ ଜଣକ କ୍ୟାନସରରେ ଆକ୍ରାନ୍ତ ହୋଇ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତଥାପି ଧାନ ବିକ୍ରି କରିଥିବା ପେକ୍ସ କର୍ମଚାରୀ ଜଣକ ଚାଷୀଙ୍କୁ ଟଙ୍କା ଦେଉନଥିବାର ଅଭିଯୋଗ କରୁଛନ୍ତି ପରିବାର ଲୋକେ। ଏହି ଘଟଣା ବିଷୟରେ ସମବାୟ ବିଭାଗରର ସମସ୍ତେ ଜାଣିଥିଲେ ବି କୌଣସି ପଦକ୍ଷେପ ନେଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।

କେବଳ ଏହି ଚାଷୀ ନୁହନ୍ତି, ପେକ୍ସର ଆହୁରି ୧୫ଜଣ ଚାଷୀଙ୍କ ଟଙ୍କା ମଧ୍ୟ ଏମିତି ହୋଇଥିବା ଖବର ମିଳିଛି। ଏପରିକି ବନ୍ଧପଡ଼ାକୁ ଧାନ ବିକ୍ରି ପାଇଁ ଆସିଥିବା ଜଣେ ଚାଷୀଙ୍କ ଧାନକୁ ସଦର ବ୍ଲକ୍‌ର ଗୋଟିଏ ପେକ୍ସରେ ଏଣ୍ଟ୍ରି କରିଥିବାରୁ ସେ ମଧ୍ୟ ଧାନ ବିକ୍ରି ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ଜଣାଯାଇଛି। ଏଣୁ ଜିଲ୍ଲା ପ୍ରଶାସନ ଏଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଏନେଇ ବନ୍ଧପଡ଼ା ପେକ୍ସ ସଂପାଦକ ଅମିନ ପଧାନଙ୍କୁ ପଚାରିବାରୁ ତାଙ୍କ ପେକ୍ସରେ ଶ୍ରୀ ଖମାରୀ ସରକାରୀ ଭାବେ ଧାନ ବିକ୍ରି କରିଥିବାର କୌଣସି କାଗଜପତ୍ର ନାହିଁ ବୋଲି ସେ କହିଥିଲେ।

Comments are closed.