ରାଧୁଆ ଅଜା ଆଉ ବିମଳା ଆଈ ଦୁଇ ଜଣ ଭାରି ଭଲ ଲୋକ । ତାଙ୍କର କୌଣସି କଥାରେ ଅଭାବ ନଥିଲା । ପିଲାମାନେ ସମସ୍ତେ ପଢ଼ା ସାରି ବିଦେଶରେ ରହୁଥିଲେ ସତ କିନ୍ତୁ ରାଧୁଆ ଅଜା ବିମଳା ଆଈ ଗାଆଁରେ ରହିବାକୁ ବହୁତ ଭଲ ପାଉଥିଲେ । କାରଣ ସହରର କୋଳାହଳ ଚାକଚକ୍ୟ ବାତାବରଣ ତାଙ୍କୁ ଜମାରୁ ଭଲଲାଗେ ନାହିଁ । ସବୁଆଡେ କଂକ୍ରିଟ୍ ଭୂଜଙ୍ଗଲ, ସବୁଜ ପରିବେଶ ତ ଛାଡ଼ ! ସେଠାରେ ଖାଲି ବାୟୁ ପ୍ରଦୂଷଣ ।ଯାନବାହାନରେ ରାସ୍ତା ଘାଟ କମ୍ପି ଉଠେ । ତଟକା ପନିପରିବା ମିଳିବା ବହୁ କଷ୍ଟ । କେବଳ ଦେଖା ସୁନ୍ଦର ସ୍ଵାଦୁଯୁକ୍ତ ନୁହେଁ । ଭାଇଚାରା ବୋଲି ସେଠି କିଛି ଦେଖିବାକୁ ମିଳେ ନାହିଁ । ନଦୀ ହ୍ରଦ ତ ସବୁ ସପନ ହୋଇଥାଏ । ତା ଛଡ଼ା ଆମ ରାଇଜ, ସୁନ୍ଦର ସବୁଜ ପରିବେଶ, ମନ୍ଦିର, ନଦୀ, ନାଳ, ଗାଡ଼ିଆ, ପୋଖରୀ, ପାହାଡ଼, ପର୍ବତ, ବନଲତା, ଫୁଲ, ଫଳ, ପାଣି, ପବନ, ଝରଣା, ବାର ମାସରେ ତେର ପର୍ବ ପର୍ବାଣୀ ଓ ମଧୁର ଆମ ଭାଷା ଠାରୁ କିଏ ବା ସରି ହୋଇପାରେ !!
ରାଧୁଆ ଅଜା ଓ ବିମଳା ଆଈଙ୍କୁ ସବୁଠାରୁ ଭଲ ଲାଗେ ବାଡ଼ି ବଗିଚାରେ ବୃକ୍ଷ ରୋପଣ କରି ତା’ ର ଯତ୍ନ ନେବା ପାଇଁ । ନଡ଼ିଆ, ପିଜୁଳି, କମଳା, ଆମ୍ବ ପଣସ, ଡାଳିମ୍ବ, ଶାଳ, ସାଗୁଆନ, ଗେଣ୍ଡୁ, ମନ୍ଦାର, ଟଗର ଆଦି ଗଛ ଲଗାଇ ସଞ୍ଜ ସକାଳେ ପାଣି ଦେବା, ମାଟି କୋଡ଼ିବା, ଏମିତି ବିଭିନ୍ନ କାମ କରନ୍ତି । ଖାଇ ସାରିବା ପରେ ଟିକେ ବଗିଚା ଆଡୁ ବୁଲା ବୁଲି କରି ଆସନ୍ତି ।
ଦିନେ ପଡିଶା ଘରୁ ନଟିଆ ତା’ର ସାଙ୍ଗମାନଙ୍କୁ ଧରି ରାଧୁଆ ଅଜାଙ୍କ ବଗିଚାକୁ ପିଜୁଳି ଖାଇବା ପାଇଁ ବାହାରିଲା । ନଟିଆ ଆଉ ତା’ର କିଛି ସାଥୀ ଠିକ୍ ଉଦୁଉଦିଆ ଖରାବେଳେ ଯାଇ ତାଙ୍କ ବଗିଚାରେ ପହଞ୍ଚି ଗଲେ । ବାଡ଼ ଭାଙ୍ଗି ବଗିଚା ଭିତରକୁ ପଶିଲେ । କିଛି ପିଲା ତଳେ ରହିଲେ ତ କିଛି ପିଲା ପିଜୁଳି ଗଛ ଡାଳକୁ ଚଢ଼ିଲେ । ଯାହା ପିଜୁଳି ନ ତୋଳିଲେ ତା ଠାରୁ ଅଧିକ ଗଛଡାଳ ଭଙ୍ଗାଭଙ୍ଗି କରି ଦଳି ଚକଟି ପକାଇଲେ । ମାଙ୍କଡ଼ ପରି ଡିଆଁ ଡେଇଁ ହୋଇ ଖେଳ କୁଦ କରି ପୁରା ବଗିଚାଟାକୁ ସର୍ବନାଶ କରିପକାଇଲେ ।
ଡାଳ ଭାଙ୍ଗିବାର ଶବ୍ଦ ଶୁଣି ଭିତରୁ ରାଧୁଆ ଅଜା ଧାଇଁ ଆସିଲେ । କହିଲେ “ଆରେ ଦୃଷ୍ଟ ପିଲା, ଏତେ ସୁନ୍ଦର ଗଛ ଗୁଡିକ ଭାଙ୍ଗି ପକାଇଲ ? ତୁମେମାନେ ଇଏ କ’ଣ କଲ ? ଏବେ ମୋ ପାଖକୁ ଆସ, ମୁଁ ତୁମକୁ ପର୍ଯ୍ୟାବରଣ ବିଷୟରେ କିଛି କହିବି । ଗଛ ହେଉଛି ଆମର ଜୀବନ । ଗଛ ନଥିଲେ ଆମେମାନେ ବଞ୍ଚି ପାରିବା ନାହିଁ । କାରଣ ଗଛ ଆମକୁ ଖାଦ୍ୟ, ଫୁଲ, ଫଳ, ଝୁଣା, ଲାଖ, ଜାଳେଣି କାଠ, ଘରୋଇ ଉପକରଣ ଏମିତିକି ବହୁତ କିଛି ଯୋଗାଇ ଥାଏ । ଖରାରୁ ରକ୍ଷା ପାଇବା ପାଇଁ ଛାଇ ଦେଇଥାଏ । ଆଉ ସବୁଠାରୁ ମୁଖ୍ୟ କଥା ହେଲା ଆମକୁ ବଞ୍ଚିବା ପାଇଁ ଅମ୍ଳଜାନ ଦେଇଥାଏ । ଗଛ ନଥିଲେ ବାୟୁ ମଣ୍ଡଳ ଦୂଷିତ ହୋଇଯାଏ , ବର୍ଷା ହୁଏ ନାହିଁ । ଯଦି ଆମେ ଗଛର ଯତ୍ନ ନେବା ତାହାଲେ ସେ ଆମକୁ ସୁସ୍ଥ ଭାବରେ ରହିବା ପାଇଁ ସାହାଯ୍ୟ କରିବ ଏବଂ ଆମେମାନେ ଖୁସିରେ ଜୀବନ ଯାପନ କରିବା ।” ରାଧୁଆ ଅଜା ବୁଝାଇ ଦେଲେ କି ଯତ୍ନ କଲେ ରତ୍ନ ମିଳେ। ପିଲା ମାନେ କ୍ଷମା ମାଗିଲେ । ଅଜା କହିଲେ, ତୁମ ମାନଙ୍କୁ ଗୋଟିଏ ସର୍ତ୍ତରେ କ୍ଷମା ଦେବି । ଆଜି ଠାରୁ:
(କ) ଗଛ ଆଉ କାଟିବ ନାହିଁ ।
(ଖ) ଗଛର ଯତ୍ନ ନେବ ।
(ଗ) ନିୟମିତ ଭାବରେ ବୃକ୍ଷ ରୋପଣ କରିବ ।
(ଘ) ଗଛ କାଟିବା ପାଇଁ ବାରଣ କରିବ ।
ଏହା ଦ୍ବାରା ସୁନ୍ଦର ସବୁଜ ପରିବେଶ ସୃଷ୍ଟି କରିବା । ପିଲାମାନେ ସବୁଥିରେ ରାଜି ହେଲେ । ତା ପରଠାରୁ ପିଲାମାନେ ଯେତେବେଳେ ବଗିଚାକୁ ଆସନ୍ତି ଅତି ସାବଧାନ ସହକାରେ ଫଳ ଖାଇ ଯାଆନ୍ତି । ଗଛ ଡାଳ ଭାଙ୍ଗନ୍ତି ନାହିଁ କି ଦୃଷ୍ଟାମି କରନ୍ତି ନାହିଁ । ଅଜା ଆଈ ଉଭୟେ ଏଣିକି ପିଲାମାନଙ୍କୁ ଦେଖିଲେ ଭାରି ଖୁସି ହୁଅନ୍ତି ।
କୟାଁ, ମଙ୍ଗଳପୁର, ଦଶରଥପୁର, ଯାଜପୁର
ଓଡ଼ିଶା, ପିନ୍ ନଂ – ୭୫୫୦୧୧
ଦୂରଭାଷ – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)
Comments are closed.