ଜୟ ଗଙ୍ଗାକାଳି

ଅର୍ଜୁନୀ ଚରଣ ବେହେରା

ନମଃ କରାଳ ଵଦନୀ କଙ୍କାଳୀ କରାଳି l
କଲିକତା ଅଧିଶ୍ୱରୀ ନମଃ ଗଙ୍ଗା କାଳି ll
ଖଡ୍ଗହସ୍ତା ଲୋଳଜିହ୍ୱା ଉନ୍ମୁକ୍ତ ଯୌବନୀ l
ମୁକ୍ତକେଶୀ ଚାରୁହାସୀ କରାଳ ଦଶନୀ ll
ସୁବର୍ଣ୍ଣରେ ହସ୍ତ, ପାଦ, ସୁବର୍ଣ୍ଣରେ ଜିହ୍ଵା l
ଜଗତଜନନୀ ମାଆ ଜୀବେ ରଖୁ ଦୟା ll
ଶିବାରୁଢ଼ା ଦିଗାମ୍ବରୀ ମନ୍ଦାରରେ ମାଳା l
ଶିବ ଶବ ବିନେ ଶିବା, ଜୟ ଶିବ କଳା ll
ଗଳେ ତୋର ଲମ୍ବି ଥାଇ ନରମୁଣ୍ଡ ମାଳା l
ମେଦିନୀ କମ୍ପାଉ ତୋର ଡାକ କିଳିକିଳା ll
ଗଙ୍ଗାତଟେ ବାସ ତୋର ଦିବ୍ୟ ସମଶାନ l
ଅନ୍ତିମେ ପ୍ରାଣୀ ଲଭଇ ଦିବ୍ୟପୁରେ ସ୍ଥାନ ll
ସତୀଙ୍କ ଅଙ୍ଗୁଷ୍ଠି ପୀଠ ପୁଣ୍ୟ କାଳିଘାଟ l
ଚୌରଙ୍ଗୀ ଗିରିଙ୍କ ଦ୍ୱାରା ମନ୍ଦିର ନିର୍ମିତ ll
ରାମକୃଷ୍ଣ, ବାମାକ୍ଷେପା ଭକତ ପ୍ରବର l
ମହିମାମୟୀଙ୍କ ଗାଥା କରିଲେ ପ୍ରଚାର ll
ମାତୃକୃପା ଲଭି ସ୍ୱାମୀ ଶ୍ରୀବିବେକାନନ୍ଦ l
ଗାଇ ବୁଲିଲେ ବିଶ୍ୱରେ ସନାତନ ବେଦ ll
ସଂହାରଣେ ଧରୁ ମାତେ ଉନ୍ମୁକ୍ତ ଖଡ଼ଗ l
ପାନ ପାତ୍ରେ ଦୁଷ୍ଟ ରକ୍ତ ପିଉ ଢଗ ଢଗ ll
ସନ୍ତାନ ବତ୍ସଳା ମାତା ଦୟାମୟୀ ମାଆ l
ଚଣ୍ଡ,ମୁଣ୍ଡ ବିଧ୍ୱଂସିନୀ ନମଃ ମହାମାୟା ll
ଦକ୍ଷିଣାଦାୟୀନୀ ମାତ ଦକ୍ଷିଣ କାଳିକା l
ସଂସାରେ ଥଳ ନମିଳେ କୃପାବିନୁ ଏକା ll
ନମସ୍ତେ ନମସ୍ତେ ମାତ ଜୟ ଗଙ୍ଗାକାଳି l
କଲିକତା ଯିବି ମାତେ ଦେବି ପାପ ବଳି ll
🙏🙏🙏
ଅର୍ଜୁନୀ
————-

Comments are closed.