ମହାରାଜ ପରୀକ୍ଷିତଙ୍କ ଜନ୍ମ

ଅର୍ଜୁନୀ ଚରଣ ବେହେରା

କୁରୁକ୍ଷେତ୍ର ଯୁଦ୍ଧର ଅନ୍ତିମ ପର୍ଯ୍ୟାୟ l କ୍ଷତାକ୍ତ କୁରୁ ଚୂଡ଼ାମଣି ମହାମାନି ଦୁର୍ଯ୍ୟୋଧନ ପ୍ରାଣ ବିକଳରେ ଆଶ୍ରୟ ନେଇଛି ବ୍ୟାସ ସରୋବର ମଧ୍ୟରେ ମାଆ ଲକ୍ଷ୍ମୀଙ୍କ କୋଳରେ l ପାଣ୍ଡଵ ମାନେ ଏକଥା ଜାଣି ପାରିଲେ l ସରୋବର ତୀରରେ ଭୀମ ସିଂହନାଦ କରି ଦୁର୍ଯ୍ୟୋଧନକୁ ଧିକ୍କାରକରି ଆହ୍ୱାନ ଦେବାରୁ ଦୁର୍ଯ୍ୟୋଧନ ଆଉ ସମ୍ଭାଳିନପାରି ବାହାରକୁ ଚାଲି ଆସିଲେ l ମହାବଳି ଭୀମଙ୍କସହ ତାଙ୍କର ତୁମୁଳ ଗଦା ଯୁଦ୍ଧ ହେଲା l ଭୀଷଣ ଗଦାଘାତରେ ଭୀମ ତା’ର ଉରୁଭଗ୍ନ କରି ଭୂପତିତ କରାଇଲେ l
ରକ୍ତାକ୍ତ ଦୁର୍ଯ୍ୟୋଧନ ଭୂମିଉପରେ ପଡ଼ିରହିଥାନ୍ତି l ଶ୍ଵାନ ଶୃଗାଳମାନେ ତାଙ୍କ ଚାରିପଟେ ବେଢ଼ି ରହି ଥାନ୍ତି l ଏ ସମ୍ବାଦ ପାଇ ଅଶ୍ୱତ୍ଥାମା, କୃତବର୍ମା ଓ ଆଚାର୍ଯ୍ୟ କୃପ ଯାଇ ତାଙ୍କ ନିକଟରେ ପହଞ୍ଚିଲେ l ଧୂଳି ଧୂସରିତ ଦୀନ ଦୁର୍ଯ୍ୟୋଧନଙ୍କୁ ଦେଖି ତାଙ୍କର ଶୋକର ସୀମା ରହିଲାନାହିଁ l ଅଶ୍ୱତ୍ଥାମା ମୁମୂର୍ଷୁ ଦୁର୍ଯ୍ୟୋଧନକୁ କହିଲେ, ମହାରାଜ ! ଏବେ ମଧ୍ୟ ସମୟ ଅଛି, ଆପଣ ଆଜ୍ଞା ଦେଲେ, ମୁଁ ଏହିକ୍ଷଣି ଏ ଧରାକୁ ଅପାଣ୍ଡବା କରି ଦେବି l କୃପାଚାର୍ଯ୍ୟଙ୍କ ଦ୍ୱାରା ଏକ ଜଳ କଳସ ମଗାଇ ଦୁର୍ଯ୍ୟୋଧନ ଅତି ହର୍ଷରେ ଅଶ୍ୱତ୍ଥାମାଙ୍କୁ ସେନାପତି ପଦରେ ବରଣ କଲେ l ପ୍ରତିଶୋଧ ପରାୟଣ ହୋଇ, ସେମାନେ ପାଣ୍ଡଵ ଶିବିର ଆଡ଼େ ଚାଲିଲେ l ଦୁର୍ଯ୍ୟୋଧନଙ୍କ ପତନରେ,ଆନନ୍ଦଉଲ୍ଲାସମୟ ପାଣ୍ଡଵ ଶିବିରରେ କିନ୍ତୁ ସେମାନେ ପଶିବାକୁ ଭରସି ପାରିଲେ ନାହିଁ l ନିକଟ ଏକ ଜଙ୍ଗଲରେ ସେମାନେ ଯାଇ ଅପେକ୍ଷା କରି ରହିଲେ l
ଏହି ସମୟରେ ଏକ ଘଟଣା ଘଟିଲା l ସେଠାରେ ଥିବା ଏକ ବରଗଛରେ ବହୁ କାକ ବସାକରି ରହୁ ଥାନ୍ତି l ରାତ୍ରିରେ ସେମାନେ ସୁପ୍ତ ଅବସ୍ଥାରେ ଥିବା ବେଳେ ଗୋଟିଏ ପେଚା କୁଆଡ଼ୁ ଉଡ଼ିଆସି ତା’ର ତୀକ୍ଷ୍ଣ ଚଞ୍ଚୁ ଓ ନଖାଘାତରେ ବହୁ ବାୟସ ଶାବକ ମାନଙ୍କୁ ମାରି ଦେଲା l ଏହା ଦେଖି, ଅଶ୍ୱତ୍ଥାମାଙ୍କ ମୁଣ୍ଡକୁ ବୁଦ୍ଧିଟିଏ ଜୁଟିଗଲା,ବଳବାନ ଶତ୍ରୁକୁ ସୁପ୍ତ ଅବସ୍ଥାରେ ମାରିଦିଆଯାଇ ପାରେ l ଏହା ବିଚାରି ସେ ପାଣ୍ଡଵ ଶିବିର ଅଭିମୁଖେ ତୀକ୍ଷ୍ଣ କୃପାଣଟିଏ ଦୃଢ଼ମୁଷ୍ଟିରେ ଧରି ଆଗେଇ ଚାଲିଲେ l ସେଠାରେ ପହଞ୍ଚି ଦେଖିଲେ ଧୃଷ୍ଟଦ୍ୟୁମ୍ନ ଅସ୍ତ୍ର ଶସ୍ତ୍ର ପରିତ୍ୟାଗ କରି ସୁଖନିଦ୍ରା ଯାଇଛନ୍ତି l ସେ ଆଉ କାଳବିଳମ୍ବ ନ କରି ତୀକ୍ଷ୍ଣ ତରବାରୀ ଚୋଟରେ ତାଙ୍କୁ ନିହତ କଲେ l ଯୁଦ୍ଧାମନ୍ୟୁ ଏବଂ ଉତ୍ତମୋୖଜାଙ୍କୁ ମଧ୍ୟ ସେ ଏହିପରି ନିହତ କଲେ l ଏହା ପରେ ସେ ପାଣ୍ଡଵ ପାଞ୍ଚ ଜଣ ଶୋଇଥିବା ମନେ କରି ଦ୍ରୌପଦୀଙ୍କର ପାଞ୍ଚ ପୁତ୍ରଙ୍କୁ ନିହତ କଲେ l ଏହା ପରେ ପାଣ୍ଡଵ ଶିବିରରେ ସେ ନିଆଁ ଲଗାଇଦେଲେ l ବିକଳରେ ସୁପ୍ତ ଯୋଦ୍ଧା ମାନେ ଏଣେ ତେଣେ ପଳାଉ ଥିବା ବେଳେ, ସେ ଗୋଟି ଗୋଟି କରି ସମସ୍ତଙ୍କୁ ହାଣି ପକାଇଲେ l ସେଦିନ ସେ କାଳରାତ୍ରିରେ ପାଣ୍ଡଵ ଶିବିର ଏହିପରି ରକ୍ତ ରଞ୍ଜିତ ହୋଇଗଲା l
ପାଣ୍ଡଵ ଶିବିରରେ ଏହିପରି ରକ୍ତର ହୋଲି ଖେଳି ଅଶ୍ୱତ୍ଥାମା ମୁମୂର୍ଷୁ ଦୁର୍ଯ୍ୟୋଧନଙ୍କ ନିକଟକୁ ଫେରି ଆସି କହିଲା,ମହାରାଜ,ମୁଁ ମୋର ପ୍ରତିଜ୍ଞା ପୂରଣ କରିଛି l ସମସ୍ତ ପାଣ୍ଡଵ ଶିବିର ଧ୍ବଂସ ହୋଇଛି l ଦୁର୍ଯ୍ୟୋଧନ କହିଲେ, ‘ଆଜି ତୁମେ ଯେଉଁ କାର୍ଯ୍ୟ କଲ,ତାହା କେହି ବି କରିପାରି ନଥିଲେ l ତୁମକୁ ଶତ ଶତ ଅଭିନନ୍ଦନ’ l ଏମିତି କହି ଦୁର୍ଯ୍ୟୋଧନ ପ୍ରାଣ ତ୍ୟାଗ କଲେ l
ପ୍ରଭାତହେବାରୁ ଯୁଧିଷ୍ଠିରଙ୍କ ପାଖରେ ପୂର୍ବରାତ୍ରିର ସେହି ବିଭୀଷିକା କଥା ପହଞ୍ଚିଲା l ଧର୍ମରାଜ ଉଚ୍ଚ ସ୍ୱରରେ ବିଳାପ କରି କହିଲେ, ବିଶାଳ ସମୁଦ୍ରକୁ ପାର କରି ଆମ ତରୀଟି କୂଳରେ ଲାଗିବା ପୂର୍ବରୁ ବୁଡ଼ିଗଲା l ଆହା ହତଭାଗୀନି ଦ୍ରୌପଦୀ, ପୂର୍ବେ ସେ ପିତାଙ୍କୁ ହରାଇଥିଲା l ଏବେ ପାଞ୍ଚପୁତ୍ର ଏବଂ ଭାଇ l ମୁଁ କଅଣ କହି ତାଙ୍କୁ ସାନ୍ତ୍ୱନା ଦେବି l
ଧର୍ମରାଜଙ୍କ ନିକଟକୁ ଆସି ଦ୍ରୌପଦୀଙ୍କ ଶୋକର ସୀମା ରହିଲା ନାହିଁ l ସେ ଚିତ୍କାର କରି କହିଲେ, ଅଶ୍ୱତ୍ଥାମାକୁ କଣ ଶାସ୍ତି ଦେବାପାଇଁ କେହିହେଲେ ନାହାଁନ୍ତି l ଦ୍ରୌପଦୀଙ୍କ କଥା ଶୁଣି ଭୀମ ଅତି କ୍ରୁଦ୍ଧ ହୋଇ ଅଶ୍ୱତ୍ଥାମାକୁ ଖୋଜିବା ପାଇଁ ବାହାରିଲେ l ଭୀମ ଚାଲିଗଲା ପରେ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ଡାକି କହିଲେ,ମହାରାଜ ! ଅଶ୍ୱତ୍ଥାମା ହସ୍ତରେ ବ୍ରହ୍ମଶିର ବୋଲି ଏକ ମହା ତେଜଶାଳୀ ଅସ୍ତ୍ର ଅଛି l ସମସ୍ତ ସଂସାରକୁ ଦଗ୍ଧ କରି ଦେବାର ଶକ୍ତି ସେହି ଅସ୍ତ୍ରର ରହିଛି l ସେ ପିତା ଦ୍ରୋଣଙ୍କ ଠାରୁ ଏହା ପାଇଛି l ଆଚାର୍ଯ୍ୟ ଏଭଳି ଏକ ଅସ୍ତ୍ର ମଧ୍ୟ ଫାଲ୍ଗୁନୀଙ୍କୁ ଦାନ କରିଥିଲେ l ଏ ଅସ୍ତ୍ରର ନିୟମ ହେଉଛି, ଅତ୍ୟନ୍ତ ଭୟଙ୍କର ସ୍ଥିତି ନହେଲେ ଏହାକୁ ପ୍ରୟୋଗ କରା ଯିବନାହିଁ l ତେଣୁ ଅର୍ଜୁନଙ୍କୁ ଉପଯୁକ୍ତ ମନେ କରି ଗୁରୁ ଏହା ପ୍ରଦାନ କରିଥିଲେ l ଅଶ୍ୱତ୍ଥାମା ପରେ ବହୁ ଜିଦ କଲାରୁ ପୁତ୍ର ସ୍ନେହବଶ ସେ ତାକୁ ଏହା ପ୍ରଦାନ କରିଛନ୍ତି l ମୋର ଆଶଙ୍କା ହେଉଛି କାହିଁ ବାତୁଳ ପ୍ରାୟ, ସେ ଏହା ଭୀମଙ୍କ ପ୍ରତି ପ୍ରୟୋଗ କରିଦେବ ନାହିଁ ତ? ଚାଲନ୍ତୁ ଆମେ ସମସ୍ତେ ମିଶି ଭୀମଙ୍କୁ ରକ୍ଷା କରିବା l ଏକଦା ଅଶ୍ୱତ୍ଥାମା ସେହି ବ୍ରହ୍ମଶିର ଅସ୍ତ୍ର ବଦଳରେ ମୋତେ ସୁଦର୍ଶନ ଚକ୍ର ମାଗିଥିଲା l କୃଷ୍ଣ, ଯୁଧିଷ୍ଠିର ଓ ଅର୍ଜୁନ ଏହିପରି ଚିନ୍ତା କରି ଭୀମଙ୍କ ଅନୁଧାବନ କଲେ l
ଗଙ୍ଗାକୂଳ ବ୍ୟାସାଶ୍ରମରେ ଥାଇ ସେ ସେମାନଙ୍କୁ ଦେଖି ଅତି ଭୟଭୀତ ହୋଇ ଏକ କୁଶକୁ ଆଣି ବ୍ରହ୍ମଶିର ଅସ୍ତ୍ର ମନ୍ତ୍ରରେ ଅଭିମନ୍ତ୍ରିତ କରି “ସମସ୍ତ ପାଣ୍ଡଵ କୁଳ ନାଶ ହେଉ”କହି ଛାଡ଼ିଦେଲା l ସେ ଅସ୍ତ୍ରର ପ୍ରଚଣ୍ଡ ତେଜ ସମସ୍ତ ସଂସାରକୁ ଭଷ୍ମକରି ଦେବା ଭଳି ବୋଧହେଉଥାଏ l ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ପାର୍ଥ ଏ ଅସ୍ତ୍ରକୁ ନିବାରଣ ପାଇଁ ତୁମକୁ ଗୁରୁ ଦ୍ରୋଣଙ୍କ ଦତ୍ତ ଅସ୍ତ୍ର ପ୍ରୟୋଗ କର l ଅର୍ଜୁନ ଗୁରୁଙ୍କୁ ପ୍ରଣାମ ପୂର୍ବକ, ତାଙ୍କର ବ୍ରହ୍ମଶିର ଅସ୍ତ୍ରକୁ ପ୍ରେରଣ କଲେ l ଦୁଇ ଅସ୍ତ୍ରର ଜ୍ୱାଳାରେ ଭୂମଣ୍ଡଳ ଥରହର ହେବାକୁ ଲାଗିଲା l ସଂସାର ରକ୍ଷାପାଇଁ ଦେବର୍ଷି ନାରଦ ଓ ମହର୍ଷି ବ୍ୟାସ ଦୁହିଁଙ୍କୁ ଏହାକୁ ପ୍ରତ୍ୟାହାର ପାଇଁ ଉପଦେଶ ଦେଲେ l
ଅର୍ଜୁନ ଧାର୍ମିକ, ନ୍ୟାୟ ବନ୍ତ ଓ ଜିତେନ୍ଦ୍ରିୟ ହୋଇ ଥିବାରୁ ଅସ୍ତ୍ର ଫେରାଇ ଆଣିଲେ l କିନ୍ତୁ ଅଶ୍ୱତ୍ଥାମା ଏସବୁ ଗୁଣର ଅଧିକାରୀ ନ ହୋଇ ଥିବାରୁ ତାହା କରି ପାରିଲେନାହିଁ l ସେ ଋଷିମାନଙ୍କ କଥା ମାନି କହିଲେ,ଏ ଅସ୍ତ୍ର ଫେରାଇବା ମୋର ସାଧ୍ୟାତୀତ l କିନ୍ତୁ ଏହା ସମସ୍ତ ପାଣ୍ଡଵଙ୍କ ସଂହାରକ ନହୋଇ ପାଣ୍ଡଵଙ୍କ କୁଳବଧୁ ଅଭିମନ୍ୟୁଙ୍କ ପତ୍ନୀ ଉତ୍ତରାଙ୍କ ଗର୍ଭରେ ପତିତ ହେଉ l
ଅର୍ଜୁନ ଅଶ୍ୱତ୍ଥାମାଙ୍କୁ ଜୀବନରେ ନମାରି ତାହାର କପାଳରେ ଥିବା ଦିବ୍ୟ ମଣିଟିକୁ କାଢ଼ି ନେଲେ l ଶ୍ରୀକୃଷ୍ଣ କହିଲେ,ଅଶ୍ୱତ୍ଥାମାର ଅସ୍ତ୍ର ଅଵ୍ୟର୍ଥ,ଏହା ଉତ୍ତରାଙ୍କ ଗର୍ଭରେ ପଡ଼ିଲେ ଏକ ମୃତ ପୁତ୍ର ଜନ୍ମ ହେବ l କିନ୍ତୁ ମାଆ ଉତ୍ତରାଙ୍କ ତପ ବଳରେ ସେ ପୁତ୍ର ଜୀବନ ଲାଭ କରି ଦୀର୍ଘାୟୁ ହେବ l ପାଣ୍ଡଵ କୁଳ କ୍ଷୀଣ ହେବା କାଳରେ,ସେହି ପୁତ୍ରର ଜନ୍ମ l ତେଣୁ ତାହାର ନାମ ହେବ ପରୀକ୍ଷିତ l ସେ ଏହି ପୃଥିବୀକୁ ଷାଠିଏ ହଜାର ବର୍ଷ ଶାସନ କରିବ l କୃଷ୍ଣ ଅଶ୍ୱତ୍ଥାମାଙ୍କୁ କହିଲେ,ବ୍ରାହ୍ମଣ ହୋଇ ତୁମେ ଯେଉଁ ନିନ୍ଦନୀୟ କର୍ମ କରିଛ, ସେଥିପାଇଁ ତୁମେ ତିନିହଜାର ବର୍ଷ ଯାଏ ସହାୟ ହୀନ ହୋଇ ପୂଯ ରକ୍ତ ଓ ଦୁର୍ଗନ୍ଧ ଯୁକ୍ତ ହୋଇ ଜନଶୂନ୍ୟ ରାଜ୍ୟରେ ବିଚରଣ କରିବ l
ସମସ୍ତେ ଦ୍ରୌପଦୀଙ୍କ ନିକଟକୁ ଫେରିଆସିଲେ ଓ ତାଙ୍କୁ ମଣିଟିକୁ ପ୍ରଦାନ କରି ଅଶ୍ୱତ୍ଥାମାଙ୍କୁ ପ୍ରଦତ୍ତ ଦଣ୍ଡ ବିଷୟ କହିଲେ l ଦ୍ରୌପଦୀ କହିଲେ,’ ଗୁରୁ ପୁତ୍ର, ଗୁରୁ ସ୍ଥାନୀୟ l ତାଙ୍କୁ ହତ୍ୟା ନ କରି ଯାହା ଦଣ୍ଡ ଦିଆଯାଇଛି, ତାହା ଯଥାର୍ଥ l ମୁଁ ଯେଉଁ ପୁତ୍ର କଷ୍ଟ ଭୋଗ କରୁଛି, ତାଙ୍କ ମାତା କୄପି ସେ କଷ୍ଟ ଭୋଗ ନକରନ୍ତୁ l ଏ ମଣି ରାଜ ମସ୍ତକ ଯୋଗ୍ୟ, ମହାରାଜ ଯୁଧିଷ୍ଠିର ଏହାକୁ ଧାରଣ କରନ୍ତୁ l
ଏଣେ ଉତ୍ତରାଙ୍କ ଗର୍ଭରେ ପଡ଼ିବା ପାଇଁ ବ୍ରହ୍ମଶିର ଅସ୍ତ୍ର ଆଗେଇ ଚାଲିଛି l ଗର୍ଭସ୍ଥ ପାଣ୍ଡଵ କୁଳାଙ୍କୁର ଶିଶୁ ପରୀକ୍ଷିତଙ୍କୁ ରକ୍ଷା କରିବାକୁ ପଡ଼ିବ ଯେ !!!
ଏହା ଶ୍ରୀକୃଷ୍ଣ ଭାବୁଥାନ୍ତି ତେଣେ ମହାତେଜବାନ ସେ ବ୍ରହ୍ମଶିର ଅସ୍ତ୍ରକୁ ଦେଖି ଉତ୍ତରା ଆର୍ତ୍ତସ୍ୱରରେ ଭଗବାନଙ୍କୁ ସ୍ତୁତି କଲେ :-
ଅନାଥ ନାଥ ଭାବଗ୍ରାହୀ l
ମୋତେ ସଙ୍କଟୁ କର ତ୍ରାହି ll
ତୋ ତହୁଁ ନ ଜାଣଇ ଆନ l
ଅଭୟ ସଙ୍କଟ ଭଞ୍ଜନ ll
ତୋରେ ଶରଣ ଗଲି ମୁହିଁ l
ମୋ ଗର୍ଭ ରଖ ଭାବଗ୍ରାହୀ ll
ପ୍ରଭୁ ବନମାଳୀ ଉତ୍ତରାଙ୍କ ବିକଳ ଶୁଣିଲେ l ପ୍ରଭୁ ସୁଦର୍ଶନ ଚକ୍ରଙ୍କୁ ସ୍ମରଣ କରିବାରୁ ସୁଦର୍ଶନ ଆସି ପହଞ୍ଚିଲେ l ପ୍ରଭୁ ଚକ୍ରହସ୍ତରେ ଅଙ୍ଗୁଷ୍ଠ ପ୍ରାୟ ରୂପ ଧରି ଉତ୍ତରାଙ୍କ ଗର୍ଭସ୍ଥ ଶିଶୁକୁ ଆବୋରିବସିଲେ l
ସୂର୍ଯ୍ୟଙ୍କ ପ୍ରତାପରେ ନିହାର ଯେପରି ଦୁର ହୋଇ ଯାଏ,ସୁଦର୍ଶନ ଚକ୍ରଙ୍କ ତେଜରେ ବ୍ରହ୍ମଶିର ଅସ୍ତ୍ରର ତେଜ ନିର୍ବାପିତ ହୋଇଗଲା l ପରୀକ୍ଷିତ ମାତାଙ୍କ ଗର୍ଭରେଥାଇ ଚକ୍ରଧାରୀ ଭଗବାନ କୃଷ୍ଣଙ୍କ ଦର୍ଶନ ଲାଭ କଲେ l ପ୍ରଭୁ ବ୍ରହ୍ମଶୀର ଅସ୍ତ୍ରକୁ ଦହନ କରି ଅନ୍ତର୍ଧ୍ୟାନ ହେଲେ l ଯଥା ସମୟରେ ଶୁଭଲଗ୍ନରେ ପରୀକ୍ଷିତ ଉତ୍ତରାଙ୍କ ଗର୍ଭରୁ କୁଆଁକୁଆଁ ରାବ କରି ଭୂମିଷ୍ଠ ହେଲେ l ପୌତ୍ର ପରୀକ୍ଷିତଙ୍କୁ ଦେଖି ଧର୍ମ ରାଜ ଯୁଧିଷ୍ଠିରଙ୍କ ଆନନ୍ଦର ସୀମା ରହିଲା ନାହିଁ l ଧର୍ମରାଜଙ୍କୁ ମନେହେଲା ମହାରାଜ ପଣ୍ଡୁଙ୍କ ପୁନଃ ଆବିର୍ଭାବ ହେଲା କି ? ଚତୁଃର୍ଦିଗରୁ ଶଙ୍ଖ ଘୋଷ ହେଲା l ଯୁଧିଷ୍ଠିର ବିପ୍ର ମାନଙ୍କ ଦ୍ୱାରା ସ୍ବସ୍ତିବାଚନ କରାଇ ବହୁ ସୁବର୍ଣ୍ଣ,ଗ୍ରାମ ଓ ଧେନୁ ଦାନ କଲେ l ବ୍ରାହ୍ମଣ ମାନେ ପୌତ୍ରର ଜାତକର୍ମ କରି କହିଲେ, ଅଭିମନ୍ୟୁଙ୍କ ଏ ପୁତ୍ର ଜଣେ କୀର୍ତ୍ତିମାନ ଚକ୍ରବର୍ତ୍ତୀ ରାଜା ହେବ l ବିଷ୍ଣୁଙ୍କଦ୍ୱାରା ରକ୍ଷିତ ହୋଇଥିବାରୁ ସେ ବିଷ୍ଣୁରାତ ଭାବେ ପରିଚିତ ହେବ l ବହୁ ବହୁ ପରୀକ୍ଷାରେ ସେ ପରୀକ୍ଷିତ ହୋଇ ଜନ୍ମ ହୋଇ ଥିବାରୁ, ତାଙ୍କ ନାମ ହେବ ପରୀକ୍ଷିତ l ଭଗବାନ ଶ୍ରୀକୃଷ୍ଣଙ୍କ ସେ ସର୍ବ ଲକ୍ଷଣଯୁକ୍ତ ହେବ l ମହୀରେ ଧର୍ମ ସଂସ୍ଥାପନ ଅର୍ଥେ, ଆୟତ୍ତ କରି ସେ କଳିକୁ ବନ୍ଧନ କରିବ l ପୁଣି ଅଳ୍ପ ବୟସରେ ବ୍ରହ୍ମ ଶାପ ପାଇ ସେ ଗଙ୍ଗା କୂଳରେ ଋଷି ମୁନିଙ୍କ ମେଳାରେ ମହାତ୍ମା ଶୁକମୁନିଙ୍କ ମୁଖରୁ କୃଷ୍ଣଚରିତ ଭାଗବତ ଶ୍ରବଣ କରିବ l ସର୍ବ ଶେଷରେ ତକ୍ଷକ ନାଗର ଦଂଶନରେ ପ୍ରାଣ ଛାଡ଼ି ସେ ଗୋବିନ୍ଦଙ୍କ ଅଭୟ ଚରଣରେ ଲୀନ ହେବ l
କାଳକ୍ରମେ ତାହାହିଁ ଘଟିଥିଲା,ଯୁଧିଷ୍ଠିର ପାଣ୍ଡଵଙ୍କ ଉତ୍ତରାଧିକାରୀ ରୂପେ ପରୀକ୍ଷିତଙ୍କୁ ରାଜ୍ୟ ଭାର ସମର୍ପଣ କରି,ସ୍ୱର୍ଗାରୋହଣ କରିଥିଲେ l ଯେଉଁ ଭାଗବତ ପରୀକ୍ଷିତ ଶୁକ ମୁନିଙ୍କ ମୁଖରୁ ଶ୍ରବଣ କରିଥିଲେ,ତାହା ଅଧୁନା ଶ୍ରୀମଦ ଭାଗବତ ମହା ପୁରାଣ ନାମରେ ସଂସାରରେ ବିଦିତ l ପରୀକ୍ଷିତ ଜନ୍ମ ପ୍ରସଙ୍ଗରେ ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସ କହିଛନ୍ତି :-
ସେ ବ୍ରହ୍ମଶସ୍ତ୍ର ଯହୁଁ ଗଲା l
ପାଣ୍ଡବେ ଗୋବିନ୍ଦ ରଖିଲା ll
ଯାହାକୁ ରଖିବେ ଅନନ୍ତ l
କି କରି ପାରେ ବଳବନ୍ତ ll
!!! ଓଁ ନମଃ ଭଗବତେ ବାସୁଦେବାୟଃ !!!
🙏🙏🙏
ଅର୍ଜୁନୀ
—————–

Comments are closed.