ନୂଆଖାଇ ଜୁହାର

ଅର୍ଜୁନୀ ଚରଣ ବେହେରା

ଢୋଲ ବାଜେ ଢାଉଁ ଢାଉଁ ବାଜୁଛି ମାଦଳ l
ପଶ୍ଚିମ ଓଡିଶା ଆଜି ଆନନ୍ଦେ ଉଦବେଳ ll
ଡାଲଖାଇ ନାଚେ ନନୀ କମ୍ପାନ୍ତି ମେଦିନୀ l
ଝୋଟି ପକାଉଛେ ଘରେ କୃଷକ ଘରଣୀ ll
ନୂଆ ଚାଉଳରେ ଖିରୀ ଜାତି ଜାତି ପିଠା l
ମଣ୍ଡା,କାକରା,ଆରିସା,ଏଣ୍ଡୁରୀ, ଗଇଁଠା ll
ବିଦେଶୁ ଅଇଲେ ସର୍ବେ ପରଦେଶୀ ଭାଈ l
ପାଳିବେ ବର୍ଷକେ ଥରେ ପର୍ବ ନୂଆ ଖାଇ ll
ନୂଆ ଧାନ, ନୂଆ ମନ, ଖୁସିର ଲଗନ l
ସରବେ ପିନ୍ଧି ଅଛନ୍ତି ନୂଆ ବସ୍ତ୍ର ମାନ ll
କୋଳାହଳ ପରିବାର ସର୍ବେ କୋଳାକୋଳି l
ଜ୍ୟେଷ୍ଠଙ୍କୁ ପ୍ରଣାମ କଲେ କରି ନିଉଛାଳି ll
ପଶ୍ଚିମ ଓଡିଶା ଖ୍ୟାତ ପର୍ବ ନୂଆ ଖାଇ l
ସୀମିତ ହୋଇ ଏ ଓଡ଼ିଶାରେ ରହିନାହିଁ ll
ବ୍ୟାପି ଯାଇ ଅଛି ଏହା ସମ୍ପୂର୍ଣ୍ଣ ଭାରତ l
ଛତିଶଗଡ଼ରେ ନୂଆ ଖାଇ ଭେଟଘାଟ ll
ସମ୍ବଲପୁର ଭରସା ମାଆ ସମଲେଇ l
ସରବେ ରଖିଥା ମାତ ତୁ ଘଣ୍ଟଘୋଡ଼ାଇ ll
ତୋର ଦେଲା ଅନ୍ନ ମାଆ ତୋତେ ସମର୍ପିଲି l
ଭୋଗ ଲଗାଇଲି ମାଗୋ ଦେଇ ହୁଳହୁଳି ll
ସନ୍ତାନ ବତ୍ସଳା ଧନ ଧାନ୍ୟେ ପୂର୍ଣ୍ଣ କର l
ଦୟୀନି ତୋ ପଦେ ନୂଆଖାଇର ଜୁହାର ll
🙏🙏🙏
ଅର୍ଜୁନୀ
————-

Comments are closed.