ଶ୍ରୀରାମଙ୍କ ଶାଳକ

ଅର୍ଜୁନୀ ଚରଣ ବେହେରା

ଶ୍ରୀରାମଙ୍କ ଶାଳକ
============
ଶିବଧନୁ ଭଗ୍ନ ପରେ ମାଆ ଜାନକୀଙ୍କ ବିବାହ ପ୍ରଭୁ ଶ୍ରିରାମଙ୍କ ସହିତ ହେବ ବୋଲି ସ୍ଥିର ହେଲା l ରାଜା ଦଶରଥ ତାଙ୍କ ଅନ୍ୟ ଦୁଇପୁତ୍ର, ଭରତ ଓ ଶତ୍ରୁଘ୍ନଙ୍କୁ ଘେନି ମିଥିଳାରେ ପହଁଚିଲେ l ରଘୁ କୁଳ ଓ ମିଥିଳା ରାଜ ଜନକଙ୍କ କୁଳର ବଂଶ ପରିଚୟ ପରେ, ଋଷି ବିଶ୍ଵାମିତ୍ର କହିଲେ, ଏ ଦୁଇ ମହାନ୍ କୁଳଙ୍କ ମଧ୍ୟରେ ବନ୍ଧୁତା ଯୁଗ ଯୁଗ ପାଇଁ ପ୍ରସିଦ୍ଧ ହୋଇରହିବ l ଏଥି ସହ ମୁଁ ଆଉଏକ ପ୍ରସ୍ତାବ ରଖୁଛି, ଆପଣ ଆପଣଙ୍କ ଦ୍ଵିତୀୟ ପୁତ୍ରୀ ଉର୍ମିଳାଙ୍କୁ ଲକ୍ଷ୍ମଣଙ୍କୁ ପ୍ରଦାନ କରନ୍ତୁ l ଏହାଛଡ଼ା ଆପଣଙ୍କ ଭ୍ରାତା କୁଶଧ୍ଵଜ ମଧ୍ୟ ଏଠାରେ ଅଛନ୍ତି l ତାଙ୍କ ଦୁଇକନ୍ୟା ମାଣ୍ଡବୀ ଓ ଶୃତକିର୍ତ୍ତୀଙ୍କୁ ଦଶରଥଙ୍କ ଅନ୍ୟ ଦୁଇ ପୁତ୍ର ଭରତ ଏବଂ ଶତ୍ରୁଘ୍ନଙ୍କୁ ପ୍ରଦାନ କରନ୍ତୁ l କୁଳଗୁରୁ ବଶିଷ୍ଠ ମଧ୍ୟ ଏ ପ୍ରସ୍ତାବକୁ ସମର୍ଥନ କଲେ l ରାଜର୍ଷି, ଜନକ କହିଲେ, ଆପଣ ମାନେ ଯେଉଁ ପ୍ରସ୍ତାବ ବାଢ଼ିଲେ, ମୁଁ ଓ ମୋର ଭାଇ ଏଥିରେ ସହମତ l ବିବାହ ପ୍ରସ୍ତୁତି ସ୍ବରୁପ ଦଶରଥ ପ୍ରତି ପୁତ୍ରଙ୍କ ପାଇଁ ଏକଲକ୍ଷ ଧେନୁ ଦାନକଲେ l
ମାର୍ଗଶୀର ଶୁକ୍ଳପଞ୍ଚମୀରେ ବିବାହ ଅନୁଷ୍ଠିତ ହେବ ବୋଲି ସ୍ଥିର ହେଲା l ବିବାହରେ ବଶିଷ୍ଠ ଓ ମହର୍ଷି ବିଶ୍ୱାମିତ୍ରଙ୍କ ସହ ବହୁ ମୁନିୠଷି ଆସି ପହଁଚିଥାନ୍ତି l ସାରା ମିଥିଳାପୁରୀ ଉତ୍ସବମୁଖର ହୋଇଉଠିଥାଏ l ବିବାହ ଉତ୍ସବ ଦେଖିବାପାଇଁ ଦେବତା ମାନେ ଆସି ଛଦ୍ମ ବେଶରେ ପହଞ୍ଚି ଥାନ୍ତି l
ପ୍ରଥମେ ଶ୍ରୀରାମ ଜାନକୀଙ୍କ ବିବାହକାର୍ଯ୍ୟ ଆରମ୍ଭ ହେଲା l ପୁରୋହିତ ଗଣ ମାଙ୍ଗଳିକ ମନ୍ତ୍ର ପଢ଼ିଲେ, “ମଙ୍ଗଳମ୍ ଭଗଵାନ ବିଷ୍ଣୁ, ମଙ୍ଗଳମ୍ ଗରୁଡ଼ଧ୍ଵଜ”l ଶଙ୍ଖ ତୂରୀ ଭେରୀ ମହୁରୀ ଆଦି ବିବିଧ ମାଙ୍ଗଳିକ ବାଦ୍ୟ ବାଜିଉଠିଲା, ବନ୍ଦିି ମାଗଧଗଣ ବିରୁଦାବଳୀ ଗାନରେ ଶତମୁଖ ହୋଇଉଠିଲେ l ଜନକପୁରୀର ପୂରନାରୀ ମାନେ ବସି ବିବାହ ଦେଖୁ ଥାନ୍ତି l ଵେଦ ମନ୍ତ୍ର ଧ୍ଵନୀରେ ଗଗନ ପବନ ମୁଖରିତ ହେଉଥାଏ l ବିବାହ କାର୍ଯ୍ୟ ଆଗେଇ ଚାଲିଥାଏ କନ୍ୟା ଭ୍ରାତାଙ୍କ କର୍ମ ଆସିଲା l ପ୍ରକାଶ ଥାଉ କି ଆମର ଉତ୍କଳୀୟ ପରମ୍ପରାରେ ବିବାହରେ “ଶଳାବିଧା” କର୍ମ ଅଛି l ପୁରୋହିତ ଡାକିଲେ,ଶାଳକ କାହାଁନ୍ତି ଆସନ୍ତୁ l
ସୀତାଙ୍କର ତ କୌଣସି ଭାଇ ନଥିଲେ ଏଣୁ ସମସ୍ତେ ପରସ୍ପରର ମୁହଁକୁ ଚାହାଁ ଚାହିଁ ହେଲେ l ବିବାହରେ ବିଳମ୍ବହେବାକୁ ଲାଗିବାରୁ ଜନକ ବହୁ ବ୍ୟସ୍ତହୋଇ ପଡ଼ିଲେ l ଭୂମିଜାଙ୍କ ପୃଥିବୀ ମାତା ମଧ୍ୟ ବହୁ ବ୍ୟସ୍ତ ହୋଇପଡ଼ିଲେ l ଏହି ସମୟରେ ସଭାମଧ୍ୟରୁ ଜଣେ ଶ୍ୟାମ ବର୍ଣ୍ଣର ଯୁବକ ଆସି ବିବାହବେଦୀ ପାଖରେ ପହଞ୍ଚି କହିଲେ,ମୁଁ ସୀତାଙ୍କ ଭାଇ l ମୋତେ କୁହନ୍ତୁ କଅଣ କରିବାକୁ ପଡ଼ିବ l
ଜଣେ ଅଜଣାବ୍ୟକ୍ତି ସୀତାଙ୍କ ଭାଇ ପରିଚୟ ଦେଇ ଆଗେଇ ଆସୁଛି ଦେଖି, ଜନକ କହିଲେ, ମୋର ତ କୌଣସି ପୁତ୍ର ନାହିଁ l କିଏ ଆସି ଏପରି ଦାବିକରୁଛି ମୁଁ ସୀତାଙ୍କ ଭାଇ ବୋଲି l ଏପରି ଅଜ୍ଞାତ କୁଳଶୀଳ ବ୍ୟକ୍ତିକୁ ଆପଣ ଗ୍ରହଣ କରନ୍ତୁ ନାହିଁ l ରାଜା ଜନକ ସେହି ଯୁବକଙ୍କୁ ତାଙ୍କ କୂଳ ଗୋତ୍ର ଆଦିର ପରିଚୟ ମାଗିବାକୁ ଲାଗିଲେ l
ଯୁବକ କହିଲେ, ହେ ରାଜା ଜନକ ! ଅକାରଣରେ ମୁଁ ସୀତାଙ୍କ ଭାଇ ବୋଲି କହୁନାହିଁ l ମୁଁ ହିଁ ତାଙ୍କର ନିଜ ସହୋଦର ଭାଇ l କୌଣସି ସନ୍ଦେହ ହେଉଛି ତ ଆପଣ ଏଠାରେ ଉପସ୍ଥିତ ସଭାମଣ୍ଡଳୀ, ମହର୍ଷି ବିଶ୍ଵାମିତ୍ର ଓ ବଶିଷ୍ଠଙ୍କୁ ପୁଛା କରନ୍ତୁ l ରାଜା ଜନକ ତାଙ୍କ କଥାଶୁଣି ମୁନି ବିଶ୍ୱାମିତ୍ର ଓ ବଶିଷ୍ଠଙ୍କ ଆଡ଼କୁ ଉତ୍ସୁକ ହୋଇ ଚାହିଁଲେ l
ସେ କିଏ ଦୁଇୠଷି ତ ଜାଣିଥିଲେ l ଏଣୁ ସେମାନେ କହିଲେ,ହଁ ସେ ବିଧିରେ ସୀତାଙ୍କ ଭାଇ l ସେ ଏହି କର୍ମ ସମ୍ପାଦନ କରିବାକୁ ଯୋଗ୍ୟ l ଯୁବକ ଜଣକ ଆଉ କେହି ନ ଥିଲେ l ସେ ଥିଲେ, ସ୍ଵୟଂ ମଙ୍ଗଳ l ଜନକଙ୍କ ଶଙ୍କା ମୋଚନପାଇଁ ଦୁଇ ମହର୍ଷି ବୁଝାଇ ଦେଲେ, କଲ୍ୟାଣୀ ସୀତା, ପୃଥିବୀ ମାତାଙ୍କ ପୁତ୍ରୀ l ମଙ୍ଗଳ ପୃଥିବୀଙ୍କ ପୁତ୍ର l ନିୟମତଃ ସେ ହେଉଛନ୍ତି ପାର୍ଥିବୀଙ୍କ ଭାଇ l ମୁନି ମାନଙ୍କ ବାଣୀ ଶୁଣି, ଚାରି ଆଡୁ ହର୍ଷ ଧ୍ଵନୀ ଶୁଣା ଗଲା l ସ୍ତବ୍ଧ ମଙ୍ଗଳ ମହୁରୀ ପୁନଃ ବାଜି ଉଠିଲା ଓ ବେଦ ମନ୍ତ୍ର ଧ୍ଵନୀରେ ମାଆ ବୈଦେହୀଙ୍କ ବିବାହ ସମ୍ପନ୍ନହେଲା l ମଙ୍ଗଳ ଦେବ ସେଠାରେ ବସିଥିବା, ପୃଥିବୀ ମାତାଙ୍କ ନିର୍ଦ୍ଦେଶରେ ଯାଇ ଭାଇ ଭାବେ ଉଭା ହୋଇଥିଲେ l
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧

Comments are closed.