କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସହକାରୀଙ୍କୁ ଜେରା କଲା ‘ଇଡି’

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ଭିତ୍ତିକରି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସହକାରୀ ବିଭବ କୁମାରଙ୍କୁ ଆଜି ହାଜର ହେବା ପାଇଁ ସମନ୍‌ ଜାରି କରିଥିଲା।

ସେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ହାଜର ହେବା ପରେ ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ’ରେ (ପିଏମ୍‌ଏଲ୍‌ଏ) ଥିବା ବ୍ୟବସ୍ଥା ଅନୁସାରେ ତାଙ୍କର ବୟାନ ରେକର୍ଡ କରାଯାଉଛି ବୋଲି ସରକାରୀ ଅଧିକାରୀମାନେ ଗଣମାଧ୍ୟମକୁ କହିଛନ୍ତି।

‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ଚାର୍ଜସିଟ୍‌ରେ କେଜ୍ରିୱାଲ୍‌ଙ୍କ ନାମ ଉଲ୍ଲେଖ କରିବାର କିଛି ସପ୍ତାହ ପରେ ଆଜି ତାଙ୍କ ବ୍ୟକ୍ତିଗତ ସହକାରୀଙ୍କୁ ହାଜର ହେବାକୁ ସମନ୍‌ ପଠାଯାଇଥିଲା। ଚାର୍ଜସିଟ୍‌ରେ ଉଲ୍ଲେଖ ଅଛି ଯେ, ଅନ୍ୟତମ ମଦ ବ୍ୟବସାୟୀ ଏବଂ ଅବକାରୀ ନୀତି ଦୁର୍ନୀତିର ପ୍ରମୁଖ ଅଭିଯୁକ୍ତ ସମୀର ମହେନ୍ଦ୍ରୁ ଭିଡିଓ କଲ୍‌ ଜରିଆରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସହିତ କଥାବାର୍ତ୍ତା କରିଥିଲେ। ‘ଆପ୍‌’ର ‘କମ୍ୟୁନିକେସନ୍‌ ଇନ୍‌-ଚାର୍ଜ’ ବିଜୟ ନାୟର୍‌ଙ୍କ ଉପରେ ଭରସା ରଖିବାକୁ କେଜ୍ରିୱାଲ୍‌ ସମୀରଙ୍କୁ କହିଥିଲେ।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ କୁମାରଙ୍କ ସମେତ ଅନ୍ୟୂନ ୩୬ଜଣ ଅଭିଯୁକ୍ତ ହଜାର ହଜାର କୋଟି ଟଙ୍କାର ଲାଞ୍ଚ କାରବାରର ପ୍ରମାଣ ଲୁଚାଇବାକୁ ୧୭୦ଟି ଫୋନ୍‌ ବ୍ୟବହାର ଅଥବା ନଷ୍ଟ କରିଛନ୍ତି ବୋଲି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କରିଥିବା ଅଭିଯୋଗ ଉପରେ ବିଭବ କୁମାରଙ୍କୁ ଜେରା କରାଯାଉଛି।

ଏ ପର୍ଯ୍ୟନ୍ତ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ୨ଟି ଚାର୍ଜସିଟ୍‌ ଫାଇଲ୍‌ କରିବା ସହିତ ସମୁଦାୟ ୯ଜଣଙ୍କୁ ଗିରଫ କରିଛି।

Comments are closed.