ପୁଷ୍କରିଣୀର ନାମ ଦେବୀପାଦ ହରା

ଅର୍ଜୁନୀ ଚରଣ ବେହେରା

ଆମ ଐତିହ୍ୟ ମଣ୍ଡିତ ଏକାମ୍ର କାନନ, ଲିଙ୍ଗରାଜ କ୍ଷେତ୍ରରେ ରହିଛି କ୍ରମେ ଜନ ମାନସରୁ ଅପସରି ଯାଇଥିବା, ଏକ ଐତିହାସିକ ପୁଷ୍କରିଣୀ l ଅଧୁନା ସରକାରଙ୍କ ତରଫରୁ କରାଯାଉଥିବା ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଅଭିଯାନରେ ଏହାର ପୁନରୁଦ୍ଧାର କରାଯାଇ, ଲୋକ ଲୋଚନକୁ ଅଣା ଯାଇଛି l ପୁରାଣବର୍ଣ୍ଣିତ ଏ ପୁଷ୍କରିଣୀ ସମ୍ବନ୍ଧରେ ଗୋଟିଏ ସୁନ୍ଦର କିମ୍ବଦନ୍ତୀ ରହିଛି l
ଏକାମ୍ର ପୁରାଣ ଅନୁସାରେ, ଶିବଙ୍କ ଠାରୁ ମାଆ ପାର୍ବତୀ ଏକାମ୍ର କାନନ ବିଷୟରେ ଶ୍ରବଣ କରି ଦିନେ ଏହାକୁ ଅବଲୋକନ କରିବା ପାଇଁ, ଆସି ପହଞ୍ଚିଲେ l ପହଞ୍ଚି ସେ ଦେଖିଲେ, ଏକ କ୍ରୋଶ ଯାଏ ପରିବ୍ୟାପ୍ତ ଏକ ଆମ୍ର ବୃକ୍ଷର ଛାୟା ତଳେ ବିରାଜିତ ଏକ ଶିବଲିଙ୍ଗ l ମାଆ ପୁଣି ଦେଖିଲେ ପ୍ରତିଦିନ ଗୋ ସହସ୍ରେଶ୍ବର ନିକଟ ପାତାଳ ଫୁଟ ସୁଡଙ୍ଗରୁ ବହୁ ସଂଖ୍ୟକ ଶ୍ଵେତ ଗାଈମାନେ ଆସି ସେହି ଲିଙ୍ଗ ଉପରେ ନିଜର ପହ୍ନାରୁ କ୍ଷୀର ଢ଼ାଳି ଦେଇ ଚାଲି ଯାଉଛନ୍ତି l ଏହା ଅବଲୋକନ କରି ଦେବୀ ପାର୍ବତୀ ଗାଇମାନଙ୍କୁ ଜଣେ ଗୋପାଳୁଣୀ ଭାବେ ପାଳନପୋଷଣ କରିବାକୁ ଲାଗିଲେ l ସେ ପ୍ରତିଦିନ କେନ୍ଦୁବାଡ଼ି ଧରି ଗୋପାଳୁଣୀ ବେଶରେ ଗାଈଗୁଡ଼ିକୁ ଚରାଇ ନିଅନ୍ତି ଓ ଦୁଗ୍ଧ ଦୁହିଁ ଲିଙ୍ଗଙ୍କୁ ଅଭିଷେକ କରନ୍ତି l
ଏକାମ୍ର ବନରେ ସେତେବେଳେ ଆତଙ୍କ କରୁଥାନ୍ତି କୀର୍ତ୍ତି ଏବଂ ବାସ ନାମକ ଦୁଇଟି ରାକ୍ଷସ ଭ୍ରାତା l ସେମାନେ ଏକଦା ଦେବୀ ଗୋପାଳୁଣୀଙ୍କୁ ଦେଖି ଅତ୍ୟନ୍ତ କାମାସକ୍ତ ହୋଇ ତାଙ୍କୁ ବିବାହ ପ୍ରସ୍ତାବ ଦେଲେ l ଦେବୀ ସେମାନଙ୍କୁ ମନ୍ତ୍ରବଳରେ ମୁର୍ଚ୍ଛିତ କରିଦେଇ ମହାଦେବଙ୍କୁ ସ୍ମରଣକଲେ l ଦେବୀଙ୍କ ଆକୁଳ ପ୍ରାର୍ଥନା ଶୁଣି, ମହାଦେବ ଗୋପାଳ ରୂପ ଧରି ଗୋପାଳୁଣୀଙ୍କ ପାଖରେ ଉପସ୍ଥିତ ହେଲେ l ଶିବ, ମାଆଙ୍କୁ ତାଙ୍କର ଶକ୍ତି ବିଷୟରେ ଅବଗତ କରାଇ ରାକ୍ଷସ ଦ୍ବୟଙ୍କୁ ବଧ କରିବାକୁ କହିଲେ l
କିଛିଦିନ ପରେ ପୁନର୍ବାର ସେହି ରାକ୍ଷସ ଦ୍ଵୟଙ୍କ ଦେବୀଙ୍କ ସହ ସାକ୍ଷାତ ହେବାରୁ ସେମାନେ ପୂର୍ବ ଭଳି ତାଙ୍କୁ ପୁଣି ପ୍ରେମ ନିବେଦନ କଲେ l ଦେବୀ ତାଙ୍କୁ କହିଲେ, ଯିଏ ତାଙ୍କୁ ନିଜ କାନ୍ଧରେ ବସାଇ ପାଞ୍ଚ କ୍ରୋଶ ପରିମିତ ଏକାମ୍ର କାନନ ପରିକ୍ରମା କରାଇଦେବ ତାଙ୍କୁ ସେ ବିବାହକରିବେ l ରାକ୍ଷସ ଦୁଇ ଭାଇ କାନ୍ଧରେ ଦେବୀଙ୍କୁ ବସାଇ ପରିକ୍ରମା କରାଇବାକୁ ଉଦ୍ୟତ ହେଉଥାନ୍ତି, ଏତିକି ବେଳେ ଦେବୀ ଦୁଇ ପାଦରେ ଦୁହିଁଙ୍କ କାନ୍ଧ ଉପରେ ଚଢ଼ି ଯାଇ ଅତ୍ୟନ୍ତ ଭାରି ହୋଇଗଲେ l ସେ ଭାରରେ ଚାପି ହୋଇ ରାକ୍ଷସ ଦୁହିଁଙ୍କର ଅନ୍ତ ହେଲା l ଶିବ ପୁରାଣ ଅନୁସାରେ :-
କିର୍ତ୍ତୀ ବାସା ନାମଧାରୀ ଦୁଇଟି ଅସୁର l
ଦେବୀଙ୍କ ନିକଟେ ଆସି ହୋଇଲେ ହାଜର ll
ତିନିବାର ପ୍ରଦକ୍ଷିଣ କରାଇବ ମୋତେ l
ବରମାଲ୍ୟ ତୁମ୍ଭ ଗଳେ ଦେବି ମୁଁ ନିଶ୍ଚିନ୍ତେ ll
ବେଳୁ ବେଳୁ ଓଜନ ହୋଇଲେ ହୈମବତୀ l
ପ୍ରାଣ ତେଜିଲେ ଅସୁର ଦୁଖିତରେ ଅତି ll
ରାକ୍ଷସ ଦ୍ଵୟଙ୍କ ନିଧନ ସମୟରେ ଦେବୀଙ୍କ ପାଦ ଦେଶରୁ ଗୋଟିଏ ସ୍ବେଦବାରି ଧାରା ବହି ଚାଲିଲା ଯାହା ସଂଗୃହିତ ହୋଇ କ୍ରମେ ଏକ ପୁଷ୍କରିଣୀରେ ପରିଣତ ହେଲା l ସେହି ପୁଷ୍କରିଣୀ ଏବେ ଦେବୀ ପାଦହରା ପୁଷ୍କରିଣୀ ଭାବେ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ବିରାଜ ମାନ l ରାକ୍ଷସ ଦୁହିଁଙ୍କ ନିଧନ ପରେ ଦେବୀ ଅତ୍ୟନ୍ତ କ୍ଲାନ୍ତ,ତୃଷାର୍ତ୍ତ ହୋଇ ବସି ରହିଥିଲେ l ମହାଦେବ ଆସି ଶୂଳ ବିଦ୍ଧ କରି, ଭୁ ଗର୍ଭରୁ ଜଳ ଆଣି ମାଆଙ୍କ ତୃଷ୍ଣା ନିବାରଣ କରି ଥିଲେ l ସେହି ତ୍ରିଶୁଳ ବିଦ୍ଧ ଦ୍ୱାରା ସୃଷ୍ଟ ଜଳ ଉତ୍ସ ଆଜି ବିନ୍ଦୁସାଗର ପୁଷ୍କରିଣୀ ଭାବେ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରରେ ବିରାଜ ମାନ l ଅନ୍ୟ ଗୋଟିଏ କଥାରେ କୁହା ଯାଇଛି ସମସ୍ତ ତୀର୍ଥରୂ ବିନ୍ଦୁ ବିନ୍ଦୁ ଜଳ ସଂଗ୍ରହ କରି ପୁଷ୍କରିଣୀକୁ ପୂର୍ଣ୍ଣ କରାଯାଇ ଥିବାରୁ ଏହାର ନାମ ବିନ୍ଦୁସାଗର ହୋଇଛି l
ମା’ଗୋପାଳୁଣୀଙ୍କ ମନ୍ଦିର ଶ୍ରୀଲିଙ୍ଗରାଜ ଦେଉଳ ବାମପାର୍ଶ୍ୱରେ ଅବସ୍ଥିତ l ମାଆଙ୍କ ମନ୍ଦିର ସମ୍ମୁଖ ଭାଗରେ ଦେବୀଙ୍କ ବାହନ ସିଂହ, ସ୍ତମ୍ଭ ଉପରେ ମାଆଙ୍କୁ ଦୃଷ୍ଟିକରି ରହିଛି l ମାଆ ଲଳିତାସନରେ ଆସୀନା,ଦ୍ବିଭୁଜା l ଦକ୍ଷିଣ ହସ୍ତରେ ଏକ ପ୍ରସ୍ଫୁଟିତ ପଦ୍ମଫୁଲ ଧାରଣକରିଛନ୍ତି ଏବଂ ବାମହସ୍ତ ଅଭୟ ମୁଦ୍ରାରେ ରହିଛି l ଶ୍ରୀକ୍ଷେତ୍ରର ମହାପ୍ରସାଦ ପରି ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ପରେ ଗୋପାଳୁଣୀ ବଲ୍ଲଭ ହେଲେହିଁ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସାଦ ମହା ପ୍ରସାଦରେ ପରିଣତ ହୁଏ l ଦେବୀଙ୍କର ଗୋଟିଏ ନାମ ରୁକୁଣା l ତେଣୁ ଶ୍ରୀଲିଙ୍ଗରାଜଙ୍କ ରଥ ଯାତ୍ରା ରୁକୁଣା ରଥଯାତ୍ରା ଭାବେ ବିଖ୍ୟାତ l ଶିବ ବିବାହ ଏବଂ ଶୀତଳ ଷଷ୍ଠୀକୁ ଛାଡ଼ି, ମାଆ ଗୋପାଳୁଣୀ ଲିଙ୍ଗରାଜଙ୍କ ବାମ ପାର୍ଶ୍ୱରେ ବିଜେ ରହି ପ୍ରତ୍ୟେକ ଯାତ୍ରା ଓ ଉତ୍ସବରେ ଅଂଶ ଗ୍ରହଣ କରିଥାନ୍ତି l
ଏକାମ୍ର କ୍ଷେତ୍ରରେ ପ୍ରସାଦ,ମାଆ ଅନ୍ନପୂର୍ଣ୍ଣା,ଦେବୀ ପାର୍ବତୀଙ୍କ ଦ୍ୱାରା ଶିବାଗ୍ନିରେ ପାକ ହୁଏ l ଉଭୟ ହରି ଓ ହରଙ୍କୁ ଏହା ସମର୍ପିତ ହେଉଥିବାରୁ ଏହା ସାକ୍ଷାତ ବ୍ରହ୍ମ ସ୍ୱରୂପ ଅଟେ l ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି :-
ଯଦନ୍ନ ପାଚୟତେ ଗୌରୀ
ଭୋକ୍ତା ବ୍ରହ୍ମ ସନାତନ l
ସୄଷ୍ଟା ସୃଷ୍ଟ ନ ମନ୍ତବ୍ୟମ୍ ଯଥା
ବ୍ରହ୍ମ ତଥୈଵ ଚ ll
କଥିତ ହୁଏ ଯେ, ଥରେ ଭବଭୁତି ନାମକ ଜଣେ ସାଧକ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସାଦ ନେଇ ଶିବଲୋକକୁ ଯାତ୍ରା କରୁଥିଲେ l ବ୍ରହ୍ମ ଲୋକରେ ବ୍ରହ୍ମା ତାଙ୍କୁ ଦେଖି ପ୍ରଣାମ କଲେ କାରଣ ସାଧକ ସେହି ପ୍ରସାଦକୁ ବ୍ରହ୍ମ ସଦୃଶ, ମସ୍ତକରେ ଧାରଣ କରିଥିଲେ l
ଏକାମ୍ର କ୍ଷେତ୍ର, ଭୁବନେଶ୍ୱରର ଅଧିଷ୍ଟାତ୍ରୀ ଦେବୀ ଭାବେ ପରିଚିତା ହେଉଛନ୍ତି ମା’ ଭୁବନେଶ୍ୱରୀ ବା ଏହି ଗୋପାଳୁଣୀ l ମାଆ ମହାପ୍ରଭୁ ଲିଙ୍ଗରାଜଙ୍କ ଶକ୍ତି ସ୍ୱରୁପା l ମା’ ଗୋପାଳୁଣୀଙ୍କ ଗୋଟିଏ ନାମ ତ୍ରିଭୁବନେଶ୍ଵରୀ l ତ୍ରିଭୁବନେଶ୍ଵରୀ ନାମରୁ ଆସିଛି ଏକାମ୍ର କାନନର ନାମ ଭୁବନେଶ୍ଵର l
🙏🙏🙏
ଅର୍ଜୁନୀ
ମୋ -7693091971

Comments are closed.