ଅନୁଭବଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଭୁବନେଶ୍ବର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାହ ବିଚ୍ଛେଦ ଖବରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ପାଲଟିଛନ୍ତି। ଏଥର କିନ୍ତୁ ଚର୍ଚ୍ଚାର କାରଣ ଭିନ୍ନ, ଅନୁଭବଙ୍କୁ ନେଇ ଏକ ସୋସିଆଲ୍ ମିଡିଆ ପୋଷ୍ଟ ଅନେକ କିଚି କଳ୍ପନାଜଳ୍ପନାକୁ ଜନ୍ମ ଦେଇଛି। ରାକେଶ ‌ରୋଶନ ମହାନ୍ତି ନାମକ ଜଣେ ବ୍ୟକ୍ତି ‌ସୋସିଆଲ ମିଡିଆରେ ଅନୁଭବ ମହାନ୍ତି୍କ ସହ ନିଜର ଏକ ଫଟୋ ପୋଷ୍ଟ କରି ଏହି ଚର୍ଚ୍ଚାର ସୂତ୍ରପାତ କରିଛନ୍ତି। ସେ ଅନୁଭବଙ୍କୁ ତାଙ୍କର ନୂଆ ଯାତ୍ରା ଲାଗି ଅଭିନନ୍ଦନ ଜଣାଇଛନ୍ତି।  ଏହି ଫଟୋରେ ଅନୁଭବ ମହାନ୍ତି ବରବେଶରେ ଥିବା ପ୍ରତୀତ ହେଉଥିବା ବେଳେ ଆନନ୍ଦର ସହ ଫଟୋପୋଜ୍ ଦେଇଛନ୍ତି। ତେଣୁ ସେ ଦ୍ବିତୀୟ ବିବାହ କରିଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଏହାକୁ କେହି କେହି ଅନୁଭବଙ୍କ ନୂଆ ଫିଲ୍ମର ପ୍ରମୋସନ୍ ଲାଗି ପବ୍ଲିସିଟି ଷ୍ଟଣ୍ଟ୍ ବୋଲି ଦାବି କରୁଛନ୍ତି। ଏ ନେଇ ସାଂସଦ ଅନୁଭବ ମହାନ୍ତିଙ୍କର କୌଣସି ମତାମତ ମିଳିପାରି ନାହିଁ।

ଅନୁଭବଙ୍କର ଜଣେ ପ୍ରଶଂସକ ତଥା ଫେସ୍‌ବୁକ୍‌ ବ୍ୟବହାରକାରୀ ରାକେଶ ରୋଶନ ମହାନ୍ତି ତାଙ୍କ ସୋସିଆଲ୍‌ ମିଡିଆରେ କରିଥିବା ପୋଷ୍ଟ୍‌କୁ ନେଇ ଏହି ଚର୍ଚ୍ଚା ଜୋର୍‌ ଧରିଛି। ରାକେଶ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌‌ରେ ‘ଆପଣଙ୍କ ନୂଆ ଯାତ୍ରା ପାଇଁ ଆପଣଙ୍କୁ ଶୁଭେଚ୍ଛା ଭାଇ’ ବୋଲି ଲେଖିଛନ୍ତି। ତା କଡ଼ରେ ଏକ ଲଭ୍‌ ଇମୋଜି ବି ଦେଇଛନ୍ତି। ଏହି ପୋଷ୍ଟ୍‌ରେ ରାକେଶ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ଅନୁଭବଙ୍କ ସହ ସେ ନିଜେ ନଜର ଆସିଛନ୍ତି। ଫଟୋରେ ଅନୁଭବ ସେରୱାନି ପିନ୍ଧି ବର ବେଶରେ ଦେଖିବାକୁ ମିଳିଛନ୍ତି।

କେବଳ ସେତିକି ନୁହେଁ, ରାକେଶଙ୍କ ହ୍ବାଟ୍‌ସଆପ୍‌ ଷ୍ଟାଟସ୍‌ରେ ବି ସମାନ ଫଟୋ ଦେଖିବାକୁ ମିଳିଛି। ରାକେଶ ତାଙ୍କ ଷ୍ଟାଟସ୍‌ରେ ଫଟୋଟିକୁ ଦେବା ସହ ତଳେ ଲେଖିଛନ୍ତି, ‘ସମ୍‌ଥିଂ ଉଇଲ୍‌ ବ୍ଲାଷ୍ଟ୍‌ ସୁନ୍‌’। ଯାହାର ଅର୍ଥ ହେଉଛି, ଖୁବ୍ ଶୀଘ୍ର କିଛି ଗୋଟେ ବଡ଼ ଘଟଣା ଘଟିବାକୁ ଯାଉଛି।

ରାକେଶଙ୍କର ଏହି ପୋଷ୍ଟ୍‌କୁ ନେଇ ଆମେ ତାଙ୍କ ସହ କଥା ହେଲା ପରେ ସେ ସିଧାସଳଖ ନହେଲେ ବି ପରୋକ୍ଷରେ ଅନୁଭବ ମହାନ୍ତି ତାଙ୍କ ଜୀବନର ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା କଥା ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ବାହାଘର ଭୋଜିକୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ଏ ନେଇ ସମସ୍ତ ଖୁଲାସା ନୂଆବର୍ଷରେ ହୋଇଯିବ। ତେବେ ଏହି ଫ‌ଟୋଟି କେଉଁଠି ଉଠାଯାଇଛି, ବାହାଘର ଭୋଜି କେଉଁ ସ୍ଥାନରେ ଦିଆ ଯାଉଥିଲା ସେ ନେଇ ରାକେଶ ନୀରବତା ଅବଲମ୍ବନ କରିଛନ୍ତି। ସେ ଖାଲି କହିଛନ୍ତି ‌ଯେ, ନୂଆ ଏକ ଘଟଣା ଘଟିଛି। ତାହା ନୂଆ ବର୍ଷରେ ଜଣାପଡ଼ିଯିବ।

ତେବେ ଏହି ଫଟୋକୁ କିଛି ବ୍ୟବହାରକାରୀ ଫିଲ୍ମ ପ୍ରମୋସନ୍‌ର ଏକ ଏଜେଣ୍ଡା ବୋଲି ମଧ୍ୟ ଦାବି କରୁଛନ୍ତି। ତେବେ ଜାଣିବାକୁ ବାକି ରହିଲା ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ଜଣେ ସାଂସଦ ବାସ୍ତବ‌ରେ ଏପରି ଏକ ଆଇନ୍‌ ବିରୋଧୀ କାର୍ଯ୍ୟ କରିଛନ୍ତି ନା ଏହା ଏକ ଗୁଜବ।

Comments are closed.