ଆଜି ରାତିରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ ; ଆନ୍ଧ୍ର‌ରେ ସ୍ପର୍ଶ; ଓଡ଼ିଶାରେ କୋପ

0

ଭୁବନେଶ୍ବର: ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୩ ତାରିଖ (ବୁଧବାର) ରାତିରେ ଗଭୀର ଅବପାତ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାକୁ ଥିବା ବେଳେ ଏହାର ସର୍ବାଧିକ ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ। ଏହାର ଗତି ମନ୍ଥର ରହିବାରୁ ଓଡ଼ିଶାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ଆସନ୍ତା ୪୮ଘଣ୍ଟା ଓଡ଼ିଶା ପାଇଁ ବିପଦ ବୋଲି କୁହାଯାଉଛି। ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୫୫ରୁ ୬୫ କି.ମି ବହିପାରେ। ବର୍ଷା-ପବନକୁ ଦୃଷ୍ଟିରେ ରଖି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, ରାୟଗଡ଼ା, ବଲାଙ୍ଗିର, ଖୋରଧା, ନୟାଗଡ଼ ଏବଂ କଳାହାଣ୍ଡି ଜିଲାରେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା ହୋଇଛି। କଳାହାଣ୍ଡି ଜିଲାରେ ଗୋଟିଏ ଦିନ ବିଦ୍ୟାଳୟ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା ହୋଇଥିବା ବେଳେ ଅବଶିଷ୍ଟ ଜିଲାଗୁଡ଼ିକରେ ଦୁଇ ଦିନ ଛୁଟି ଘୋଷଣା କରାଯାଇଛି। କିନ୍ତୁ, ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦେଶ ରହିଛି। ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଗତ ୮ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୮ କି.ମି ବେଗରେ ପଶ୍ଚିମ ଆଡ଼କୁ ଗତି କରୁଛି। ଏହା ଗୋପାଳପୁରର ଦକ୍ଷିଣ-ଦକ୍ଷିଣ-ପୂର୍ବରେ ପ୍ରାୟ ୧୮୦ କି.ମି, କଳିଙ୍ଗପଟ୍ଟନମ୍ (ଆନ୍ଧ୍ରପ୍ରଦେଶ)ର ପୂର୍ବ-ଦକ୍ଷିଣ-ପୂର୍ବରେ ୧୮୦କି.ମି, ପୁରୀର ଦକ୍ଷିଣରେ ୨୧ କି.ମି ଏବଂ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ)ର ପୂର୍ବରେ ୨୭୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। କ୍ରମାଗତ ଭାବେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ଏହା ଏକ ଗଭୀର ଅବପାତ ରୂପେ ୨୩ ରାତିରେ ବିଶାଖାପାଟଣା ଏବଂ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଗଭୀର ଅବପାତଜନିତ ବର୍ଷା ନେଇ ଆଇଏମ୍‌ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗଭୀର ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୩ ରାତିରେ ଉପକୂଳ ଛୁଇଁବ। ବିଶାଖାପାଟଣା ଓ ଗୋପାଳପୁର ଭିତରେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ହେଲେ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ। ସ୍ଥଳଭାଗ ଛୁଇଁଲା ପରେ ଗତି ମନ୍ଥର ହୋଇଯିବ। ପଶ୍ଚିମ-ଉତ୍ତର-ପଶ୍ଚିମ ପରିବର୍ତ୍ତେ ଉତ୍ତର-ପଶ୍ଚିମ-ଉତ୍ତର ଦିଗରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଜିଲା ଦେଇ ଛତିଶଗଡ଼ ଆଡ଼କୁ ଯିବ। ଉପକୂଳକୁ ଆସିଲା ବେଳେ ଗତି କମିଯିବା ଦ୍ବାରା ଗଭୀର ଅବପାତ ଅଧିକ ସମୟ ଦକ୍ଷିଣ ଓଡ଼ିଶା ଉପକୂଳରେ ରହିବ। ଫଳରେ, ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ୨୪ ତାରିଖ ବେଳକୁ ଉପକୂଳରେ ବର୍ଷା କମିବ, ଆଭ୍ୟନ୍ତରରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ଗଭୀର ଅବପାତ ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କି.ମି. ରହିବ। ପାହାଡ଼ିଆ ଅଞ୍ଚଳରେ ଭୂ-ସ୍ଖଳନ ଓ ମାଟି ଅତଡ଼ା ଖସିବାର ଆଶଙ୍କା ରହିଛି। ଛୋଟ ଗଛ ଡାଳ ଭାଙ୍ଗିବ, ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.