୧୮ ମାସ ପରେ ଗିରଫ ହେଲେ ସ୍ତ୍ରୀଙ୍କୁ ମାରି ଘର ପରିସରରେ ପୋତି ପକାଇଥିବା କେରଳୀ ବ୍ୟକ୍ତି

ଏର୍ଣ୍ଣାକୁଲମ୍‌: ପ୍ରାୟ ଦ‌େଢ଼ ବର୍ଷ ତଳେ ସ୍ତ୍ରୀଙ୍କୁ ମାରି ଘର ପରିସରରେ ପୋତି ପକାଇଥିବା ଜଣେ କେରଳୀ ବ୍ୟକ୍ତିଙ୍କୁ ନରକ୍କଲ୍‌ ପୁଲିସ ଗୁରୁବାର ଦିନ ଗିରଫ କରିବା ସହିତ ଶବ ପୋତା ଯାଇଥିବା ସ୍ଥାନ ଚିହ୍ନଟ କରି ଦେହାବଶେଷ ଉଦ୍ଧାର କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ନରକ୍କଲ୍‌ନିବାସୀ ସଞ୍ଜୀବନଙ୍କ ପତ୍ନୀ ରାମିୟା ଦେଢ଼ ବର୍ଷ ହେବ (ଅଗଷ୍ଟ ୨୦୨୧) ନିଖୋଜ ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ସଞ୍ଜୀବନ ୨୦୨୨ ଫେବ୍ରୁଆରିରେ ନରକ୍କଲ୍‌ ଥାନାରେ ଅଭିଯୋଗ ଫାଇଲ୍‌ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି ସାଇଣ୍ଟିଫିକ୍‌ ତଦନ୍ତ ଚଳାଇଥିବା ସ୍ବତନ୍ତ୍ର ପୁଲିସ ଟିମ୍‌ ଶେଷରେ ସଞ୍ଜୀବନଙ୍କୁ ହିଁ ସନ୍ଦିଗ୍ଧ ଅଭିଯୁକ୍ତ ବୋଲି ଚିହ୍ନଟ କରିଥିଲା।

ସଞ୍ଜୀବନ କିଛି ନ ଜାଣିଥିବା ପରି ଛଳନା କରୁଥିବା ବ‌େଳେ ସ୍ବତନ୍ତ୍ର ପୁଲିସ ଟିମ୍‌ ତାଙ୍କ ଉପରେ ତୀବ୍ର ଦୃଷ୍ଟି ରଖିଥିଲା। ତାଙ୍କ ଉପରେ ବର୍ଷେ କାଳ ନଜର ରଖି ଯଥେଷ୍ଟ ପ୍ରମାଣ ସଂଗ୍ରହ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ସ୍ତ୍ରୀ ରାମିୟାଙ୍କୁ ହତ୍ୟାକରି ବାସଭବନ ପରିସରରେ ପୋତି ପକାଇଥିବା କଥା ମଧ୍ୟ ସଞ୍ଜୀବନ ପୁଲିସ ଆଗରେ ସ୍ବୀକାର କରିଛନ୍ତି।

ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ, ଫୋନ୍‌ କଲ୍‌ କଥାକୁ ନେଇ ସ୍ବାମୀଙ୍କ ସହିତ ରାମିୟା ଭୀଷଣ ଝଗଡ଼ା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଞ୍ଜୀବନ୍‌ ତାଙ୍କୁ ହତ୍ୟା କରି ଘର ନିକଟରେ ପୋତି ପକାଇଥିଲେ। ସ୍ତ୍ରୀ ଅନ୍ୟ କାହା ସହିତ ପଳାଇଛି ବୋଲି ଆତ୍ମୀୟ ଓ ସ୍ଥାନୀୟ ଲୋକମାନଙ୍କୁ କହି ଅଭିଯୁକ୍ତ ସଞ୍ଜୀବନ୍‌ ଦ୍ବିତୀୟ ବିବାହ ପାଇଁ ବ୍ୟବସ୍ଥା କରୁଥିଲେ।

Comments are closed.