କୁଡ଼ିଆ ଭିତରେ ଶୋଇଥିଲେ ଦମ୍ପତି, ନିଆଁ ଲଗାଇ ଫେରାର୍‌ ହେଲା ଦୁର୍ବୃତ୍ତ; ସ୍ବାମୀ, ସ୍ତ୍ରୀ ଗୁରୁତର

ବେଲପଡ଼‌ା: ଦମ୍ପତିଙ୍କୁ ଜିଅନ୍ତା ପୋଡି ଦେବାକୁ ଉଦ୍ୟମ । ଉଭୟ ସ୍ୱାମୀ, ସ୍ତ୍ରୀ ଗୁରୁତର। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଭରୁଆମୁଣ୍ଡା ଗାଁରେ। ଗୁରୁତର ସ୍ୱାମୀ, ସ୍ତ୍ରୀ ହେଉଛନ୍ତି ଭରତ ଭଇଁଷାଲ ଓ କଳ୍ପନା ।

ଗତକାଲି ରାତିରେ ସ୍ୱାମୀ, ସ୍ତ୍ରୀ କପାଚାଷ ଜଗିବା ପାଇଁ ଚାଷ ଜମି ନିକଟରେ ଥିବା କୁଡିଆ ଭିତରେ ଶୋଇଥିଲେ । ରାତି ଅଧରେ କେହି ଜଣେ କୁଡିଆରେ ନିଆଁ ଲଗାଇ ଫେରାର ହୋଇ ଯାଇଥିଲା। ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଉଭୟ ଚିତ୍କାର କରିବାରୁ ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବେଲପଡା ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି । କିଏ ଓ କାହିଁକି ଉଭୟ ଦଂପତ୍ତିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଥିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ବେଲପଡା ପୁଲିସ ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.