ଅବସର ନେବେ ଲିଓନେଲ୍‌ ମେସି, ‘ଫିଫା ବିଶ୍ବକପ୍‌ ଫାଇନାଲ୍‌’ ହେବ ଆର୍ଜେଣ୍ଟିନା ପାଇଁ ତାଙ୍କର ଶେଷ ଖେଳ

ନୂଆଦିଲ୍ଲୀ: ‘୨୦୨୨ ଫିଫା ବିଶ୍ବକପ୍‌ ଫାଇନାଲ୍‌’ ଆର୍ଜେଣ୍ଟିନା ପାଇଁ ତାଙ୍କର ଶେଷ ଖେଳ ବୋଲି ପ୍ରଖ୍ୟାତ୍‌ ଫୁଟ୍‌ବଲ୍‌ ଖେଳାଳି ତଥା ଅଧିନାୟକ ଲିଓନେଲ୍‌ ମେସି ସୁନିଶ୍ଚିତ କରିଥିବା କଥା ଆର୍ଜେଣ୍ଟିନାର ଗଣମାଧ୍ୟମ ସଂସ୍ଥାନ ‘ଡାଏରିଓ ଡିପ୍ରୋଟଭୋ ଓଲେ’ ରିପୋର୍ଟ କରିଛି।

ସୂଚନାଯୋଗ୍ୟ, ଡିସେମ୍ବର ୧୮ ତାରିଖ ରବିବାର ଦିନ କତାର୍‌ରେ ‘ଫିଫା ବିଶ୍ବକପ୍‌ ୨୦୨୨’ ଖେଳାଯିବ। ମଙ୍ଗଳବାର ରାତିରେ ପ୍ରଥମ ସେମିଫାଇନାଲ୍‌ରେ କ୍ରୋଏସିଆକୁ ପରାସ୍ତ କରି ଆର୍ଜେଣ୍ଟିନାକୁ ଫାଇନାଲ୍‌ରେ ପ୍ରବେଶ କରାଇଥିବା ୩୫ ବର୍ଷିୟ ମେସି ହେଉଛନ୍ତି ଚଳିତ ବର୍ଷର ଅଗ୍ରଣୀ ଗୋଲ୍‌କାରୀ ତଥା ସହାୟତା ପ୍ରଦାନକାରୀ। କ୍ରୋଏସିଆ ବିପକ୍ଷରେ ସେ ତାଙ୍କ୍‌ ଟିମ୍‌ ତରଫରୁ ପ୍ରଥମ ଗୋଲ୍ ଦେବା ସହିତ ଟିମ୍‌ ତରଫରୁ ୩ୟ ଗୋଲ୍‌ ଦେବା ପାଇଁ ଜୁଲିୟାନ୍‌ ଅଲ୍‌ଭାରେଜ୍‌ଙ୍କୁ ସହାୟକ ହୋଇଥିଲେ।

ସେମି ଫାଇନାଲ୍‌ରେ ଆର୍ଜେଣ୍ଟିନା ବିଜୟ ହାସଲ କରିବା ପରେ ଅବସର ନେବା ପ୍ରସଙ୍ଗରେ ‘ଡାଏରିଓ ଡିପ୍ରୋଟଭୋ ଓଲେ’କୁ କହିବା ବେଳେ ମେସି କହିଛନ୍ତି, ଏ କୃତ୍ବିତ୍ବ ହାସଲ କରିବାରେ ସମର୍ଥ ହୋଇଥିବାରୁ ମୁଁ ଖୁବ୍‌ ଆନନ୍ଦିତ। ଫାଇନାଲ୍‌ରେ ଶେଷ ଖେଳ ଖେଳି ବିଶ୍ବକପ୍‌ ଯାତ୍ରା ଶେଷ କରିବି।

ପୁଣି ବିଶ୍ବକପ୍‌ ହେବାକୁ ଆହୁରି ଅନେକ ବର୍ଷ ଅଛି। ସେଥିରେ ମୁଁ ଖେଳି ପାରିବି କି, ନାହିଁ ଭାବି ପାରୁନି। ସବୁଠୁ ଭଲ ହେଉଛି, ଏମିତି ଖେଳରୁ ବିଦାୟ ନେଇଯିବା।

କତାର୍‌ରେ ଚାଲିଥିବା ‘ଫିଫା ବିଶ୍ବକପ୍‌’କୁ ମିଶାଇ ସମୁଦାୟ ୫ଥର ‘ଫିଫା ବିଶ୍ବକପ୍‌’ରେ ଖେଳିଥିବା ମେସିଙ୍କ କ୍ୟାରିୟର୍‌ରେ ଏହା ହେଉଛି ଦ୍ବିତୀୟ ‘ଫିଫା ବିଶ୍ବକପ୍‌’ ଫାଇନାଲ୍‌। ୨୦୧୪ରେ ତାଙ୍କ ନେତୃତ୍ବରେ ଆର୍ଜେଣ୍ଟିନାକୁ ‘ଫିଫା ବିଶ୍ବକପ୍‌’ ଫାଇନାଲ୍‌କୁ ନେଇଥିଲେ, କିନ୍ତୁ ହାରିଯିବାରୁ ତାଙ୍କ ଦେଶ ପ୍ରତିଯୋଗିତାର ଦ୍ବିତୀୟ ସ୍ଥାନରେ ସ୍ଥାନିତ ‌ହୋଇଥିଲା।

Comments are closed.