ଖାଦ୍ୟଯୋଗାଣ, ଖାଉଟିକଲ୍ୟାଣ ବିଭାଗ ଓ ପିଏନ୍‌ବି ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ

0

ଭୁବନେଶ୍ୱର: ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସୁଦୃଢ଼ ଏବଂ ଆଧୁନିକ ପ୍ରଯୁକ୍ତିଭିତ୍ତିକ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା ବ୍ୟବହାର ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଐତିହାସିକ ପଦକ୍ଷେପ ଦ୍ୱାରା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ୱୀକୃତ ଡିଜିଟାଲ୍ କାରବାର ପ୍ରକ୍ରିୟା ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଆହୁରି ମଜବୁତ ହୋଇପାରିବ। ଏହି ନୂତନ ବ୍ୟବସ୍ଥା ଅନୁଯାୟୀ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଆବଶ୍ୟକୀୟ ଦେୟ ସୁଲଭ ମୂଲ୍ୟ ଦୋକାନର ଡିଲରମାନଙ୍କ ପ୍ରଚଳିତ ବ୍ୟାଙ୍କ ଖାତା ପରିବର୍ତ୍ତେ ସିଧାସଳଖ ଡିଜିଟାଲ୍ ୱାଲେଟ୍‌କୁ ପଠାଯିବ। ଆପ୍-ଭିତ୍ତିକ ଏହି ଦେୟ ପ୍ରକ୍ରିୟା ଦ୍ୱାରା ନଗଦ କାରବାର ଉପରେ ରୋକ୍ ଲାଗିବା ସହିତ ସମଗ୍ର ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରହିପାରିବ।

ଲୋକ ସେବା ଭବନରେ ଆୟୋଜିତ ଏହି ସ୍ୱାକ୍ଷର କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ଡକ୍ଟର ଗୁଣନିଧି ପରିଡ଼ା ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଉପମହାପ୍ରବନ୍ଧକ ରାଜ କୁମାର ସିଂହ ନିଜ ନିଜ ସଂସ୍ଥା ପକ୍ଷରୁ ଏହି ବୁଝାମଣାପତ୍ରରେ ଦସ୍ତଖତ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ସମୟରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଓଡ଼ିଶା ଜୋନାଲ୍ ମୁଖ୍ୟ ତଥା ମହାପ୍ରବନ୍ଧକ ଭୂଷଣ ଶର୍ମା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଏହି ଅବସରରେ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଏବଂ ବ୍ୟାଙ୍କର ଉଚ୍ଚପଦସ୍ଥ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଦାମ ଚରଣ ମଣ୍ଡଳ ଏବଂ ଶ୍ରୀକାନ୍ତ କୁମାର ବେହୁରା, ଅର୍ଥ ପରାମର୍ଶଦାତା ତଥା ଅନୁଶାସନ ସଚିବ ପୁଷ୍ପଶ୍ରୀ ସାହୁ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସହକାରୀ ମହାପ୍ରବନ୍ଧକ ଆକାଶ ମହାନ୍ତି ଏବଂ ମୁଖ୍ୟ ପ୍ରବନ୍ଧକ (ସୂଚନା ପ୍ରଯୁକ୍ତି)  ରଜନୀଶ କାନୱତ ପ୍ରମୁଖ ସାମିଲ ଥିଲେ।

ପ୍ରାଥମିକ ପର୍ଯ୍ୟାୟରେ ଏହି ଯୋଜନାକୁ ଖୋରଧା ଏବଂ କଟକ ଜିଲ୍ଲାରେ ପରୀକ୍ଷାମୂଳକ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯିବ। ଏହି ପରୀକ୍ଷାମୂଳକ ପଦକ୍ଷେପ ମାଧ୍ୟମରେ ଯୋଜନାର ବାସ୍ତବ କାର୍ଯ୍ୟକାରିତା ଏବଂ ପରିଚାଳନାଗତ ବ୍ୟବସ୍ଥାର ସଫଳତାକୁ ତନ୍ନତନ୍ନ କରି ଆକଳନ କରାଯିବ। ଏଥିସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରାର ଉପଯୋଗକୁ ଅଧିକ ସରଳ ଓ ସୁଗମ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ,

ଏହି ବୁଝାମଣାର ମୂଳ ଉଦ୍ଦେଶ୍ୟ ହେଉଛି ଡିଜିଟାଲ୍ ମୁଦ୍ରା ମଞ୍ଚର ଉପଯୋଗ କରି ସାଧାରଣ ବଣ୍ଟନ ବ୍ୟବସ୍ଥାର ଡିଜିଟାଲ୍ ଭିତ୍ତିଭୂମିକୁ ଅଧିକ ସଶକ୍ତ କରିବା। ଏହାଦ୍ୱାରା ସରକାରୀ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇବା ସହିତ କାର୍ଯ୍ୟକାରିତାରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ ହୋଇପାରିବ। ହିତାଧିକାରୀମାନଙ୍କ ନିକଟରେ ସରକାରୀ ସୁବିଧାର ସୁବ୍ୟବସ୍ଥିତ ପହଞ୍ଚକୁ ସୁନିଶ୍ଚିତ କରିବା ଏବଂ ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକ ଡିଜିଟାଲ୍ ପ୍ରଯୁକ୍ତି ସହ ଯୋଡ଼ିବା ଦିଗରେ ଏହି ସହଯୋଗ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଭବିଷ୍ୟତରେ ଏହା ରାଜ୍ୟରେ ଏକ ଅଧିକ ସ୍ୱଚ୍ଛ, ଦକ୍ଷ ଓ ସମାବେଶୀ ଜନକଲ୍ୟାଣକାରୀ ବଣ୍ଟନ ବ୍ୟବସ୍ଥା ଗଠନ କରିବାରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.