କଟକରେ ସ୍ୱେରେଜ୍ ଟାଙ୍କି ଭିତରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା: ରିପୋର୍ଟ ତଲବ କଲେ ଏନଏଚଆରସି

କଟକ: ଗତ ବର୍ଷ ଏପ୍ରିଲ ୧୫ରେ କଟକ ସିଡିଏ ସେକ୍ଟର-୧୦ରେ ସ୍ବେରେଜ ଲାଇନ ସଫେଇ ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରଶାସନ ଓ ପୁଲିସଠାରୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିସନ(ଏନଏଚଆରସି)। ଏନେଇ କମିସନ ଗୃହ ଓ ନଗର ଉନ୍ନୟନ ସଚିବ, କଟକ ମହାନଗର ନିଗମ କମିସନର୍ ଏବଂ ପୁଲିସ୍ କମିସନରଙ୍କୁ ନୋଟିସ୍ ଜାରି କରିଛନ୍ତି। ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ଏମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନଏଚଆରସିରେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏନେଇ ଏକ ମାମଲା କରିବା ପରେ ଜାତୀୟ ମାନବାଧିକାର କମିସନ(ଏନଏଚଆରସି) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ରୁଜୁ ଅପରାଧୀକ ମାମଲାର କଣ ସାନି ସ୍ଥିତି ରହିଛି ସେ ନେଇ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ତଦନ୍ତରେ କଣ ଅଗ୍ରଗତି ହୋଇଛି ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୧କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିଲେ। ମାମଲାରେ ଠିକାଦାର ଡି.କେ.ନାୟକଙ୍କୁ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଏହି ଘଟଣା ସହିତ ତାଙ୍କର କିଛି ସଂପର୍କ ନାହିଁ। ୨୦୨୧, ମାର୍ଚ୍ଚ ୩୧ରୁ ଚୁକ୍ତି ଶେଷ ହୋଇଥିବା ବେଳେ ଏହା ଆଉ ନବୀକରଣ କରାଯାଇ ନଥିଲା। ଫଳରେ ସେ ଏହି କାମ କରୁ ନଥିଲେ। ଅନ୍ୟପକ୍ଷରେ ଏପ୍ରିଲ ୧୫ ଘଟଣାର ତଦନ୍ତ କରି ସିଏମସି ଉପକମିସନର ଓ ବାରଙ୍ଗ ଅତିରିକ୍ତ ତହସିଲଦାର ଦାଖଲ କରିଥିବା ଯୁଗ୍ମ ରିପୋର୍ଟରେ କିନ୍ତୁ ଭିନ୍ନ ତଥ୍ୟ ରହିଥିବା ହାଇକୋର୍ଟରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ୨୦୨୧, ଏପ୍ରିଲ ୧ରୁ ଜୁନ ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ୱାଟକୋ ତରଫରୁ ଶ୍ରୀ ନାୟକଙ୍କୁ ଦାୟିତ୍ବ ଦିଆଯାଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।

Comments are closed.