ପୁଲିସ୍‌କୁ ଭୁଆଁ ବୁଲାଇବାକୁ ଆକ୍ରମଣ ପରେ ଅନ୍ୟ ଜାଗାକୁ ବନ୍ଧୁ ନେଇ ଯାଇଥିଲେ ଏସିଡ୍‌ ଆକ୍ରମଣକାରୀଙ୍କ ଗାଡ଼ି ଓ ମୋବାଇଲ୍‌

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ବାରକାରେ ଜଣେ ସ୍କୁଲ୍ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ଼ ଘଟଣା ଏବେ ଦେଶ‌‌ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଜାଣିବାକୁ ମିଳିଛି ଯେ ପୀଡ଼ିତା ଛାତ୍ରୀଙ୍କ ଉପରେ ଏସିଡି ପକାଇବା ପରେ ଅଭିଯୁକ୍ତ ଜାଣିଜାଣି ନିଜ ଫୋନ୍‌କୁ ବନ୍ଧୁ ନିକଟରେ ଛାଡ଼ି ଦେଇ ଯାଇଥିଲେ। ପୁଲିସ୍‌ କାଳେ ଲୋକେସନ୍‌ ଟ୍ରାକ୍‌ କରିବ ବୋଲି ଭୟରେ ସେ ଫୋନ୍‌କୁ ନିଜ ସାଥୀରେ ନେଇ ନଥିବା ଜଣାପଡ଼ିଛି।

ଏହି ମାମଲାରେ ଏବେ ସୁଦ୍ଧା ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଜେରା ସମୟରେ ପୁଲିସ୍‌ ସମ୍ମୁଖରେ ଏହି କଥାର ଖୁଲାସା କରିଥିବା ସୂଚନା ରହିଛି। ଆହୁରି ବି ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ଅନ୍‌ଲାଇନ୍‌ ସପିଂ ସାଇଟ୍‌ ‘ଫ୍ଲିକ୍‌କାର୍ଟ’ରୁ ମଗାଇଥିଲେ ଏସିଡ୍‌।

ତେବେ ପୁଲିସ୍‌ ହାତରେ ଧରାପଡ଼ିଥିବା ୩ ଅଭିଯୁକ୍ତ ହେଉଛନ୍ତି। ସଚିନ ଅରୋରା (୨୦), ହର୍ଷିତ ଅଗ୍ରୱାଲ୍‌ (୧୯) ଓ ବିରେନ୍ଦର୍‌ ସିଂହ (୨୨)। ସଚିନ ଏବଂ ହର୍ଷିତ ଏକ ମୋଟର୍‌ ସାଇକେଲ୍‌ରେ ଆସି ପୀଡ଼ିତା ଉପରକୁ ଏସିଡ୍‌ ଫିଙ୍ଗି ଦେଇ ଯାଇଥିଲେ। ବିରେନ୍ଦର୍‌ ପୁଲିସ୍‌କୁ ଭୁଆଁ ବୁଲେଇବାକୁ ସଚିନଙ୍କ ସ୍କୁଟି ଓ ମୋବାଇଲ୍‌ ନେଇ ଅନ୍ୟ ଏକ ସ୍ଥାନ (ଲୋକେସନ୍‌)କୁ ପଳାଇ ଯାଇଥିଲେ।

ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ବାରକାରେ ଗତକାଲି ଏସିଡ୍‌ ମାଡ଼ର ଶିକାର ହୋଇଥିବା ଛାତ୍ରୀ ଜଣକ ଏବେ ସଫଦରଜଙ୍ଗ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ମୁହଁର ୮ ପ୍ରତିଶତ ଜଳି ଯାଇଛି। ଆଖି ମଧ୍ୟ ପ୍ରଭାବିତ ହୋଇଛି। ଛାତ୍ରୀଙ୍କ ବୟସ ୧୭।

Comments are closed.