ଆନ୍ଦୋଳନରତ ଓଡ଼ିଶା ଓକିଲଙ୍କ ଲାଇସେନ୍ସ ସସପେଣ୍ଡ୍ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପଶ୍ଚିମଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ ଓ ଅନ୍ୟାନ୍ୟ ଦାବି ନେଇ ଆନ୍ଦୋଳନ କରୁଥିବା ଓକିଲମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ସେମାନଙ୍କ ଲାଇସେନ୍ସ ସସପେଣ୍ଡ କରିବାକୁ ବାର କାଉନସିଲ ଅଫ ଇଣ୍ଡିଆକୁ କହିଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ୍ ସଂଜୟ କିଷନ କୌଲ ଓ ଜଷ୍ଟିସ୍ ଅଭୟ ଏସ.ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ବାର କାଉନସିଲକୁ ଏହା କହିବା ସହ ଯେଉଁ ଜିଲ୍ଲା ବାର ଆସୋସିଏସନର ସଦସ୍ୟମାନେ ଏହି ଆନ୍ଦୋଳନରେ ଅଂଶଗ୍ରହଣ କରୁଛନ୍ତି, ସେସବୁ ବାର ଆସୋସିଏସନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

ବେଞ୍ଚ୍ ଆହୁରି ମଧ୍ୟ କହିଛନ୍ତି ଯେ କୋର୍ଟଗୁଡ଼ିକରେ ଶତ ପ୍ରତିଶତ କାମ ଆରମ୍ଭ ହେବା ଦରକାର, ଏହାଛଡ଼ା ଆଉ କିଛି ବିକଳ୍ପ ନାହିଁ । ଏପରି ନହେଲେ ସେମାନେ ଏହାର ପରିଣତିର ସମ୍ମୁଖୀନ ହେବେ ।

ଜଷ୍ଟିସ୍ କୌଲ ଆହୁରି ମଧ୍ୟ କହିଛନ୍ତି ଯେ, “ବାର ଆସୋସିଏସନଗୁଡ଼ିକୁ ଆମେ ପୂର୍ବରୁ ବି ସତର୍କ କରାଇଦେଇଥିଲୁ ଯେ  ଯଦି ଆଇନ ପେସାର ଗାରିମା ରକ୍ଷା ପାଇଁ ସେମାନେ ଉପଯୁକ୍ତ ଆଚରଣ ନ କରନ୍ତି, ତେବେ ସେମାନଙ୍କ ଉପରେ ଥିବା ସୁରକ୍ଷା ହଟାଇଦିଆଯିବ । ଆଇନର ଗାରିମା ରକ୍ଷା ଓ କୋର୍ଟଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବାକୁ ଆମେ ଏବେ ଯାହା ନିର୍ଦ୍ଦେଶ ଦେଉଛୁ, ତାହା କରିବାକୁ ସେମାନଙ୍କ ଆଚରଣ ଆମକୁ ବାଧ୍ୟ କରିଛି । ବାର ଆସୋସିଏସନଗୁଡ଼ିକ ଯଦି ଚାହୁଁଛନ୍ତି ଯେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ, ତେବେ ଆମେ ତାହା କରିବୁ  ।“

Comments are closed.