ପାଗଳୀ ସଜାଇଲା କୃଷ୍ଣ ପ୍ରେମ: ଦେଶ ଛାଡ଼ିଦେଲେ, ସ୍ବାମୀଙ୍କୁ ବି ଛାଡ଼ିଦେଲେ

କୋଲ୍‌କାତା: ବାୟାଣୀ ସଜେଇ ଦେଲା ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରେମ। ନିଜ ଦେଶ, ସ୍ବାମୀଙ୍କୁ ଛାଡ଼ି ପଶ୍ଚିମବଙ୍ଗରେ ନିଜର ନୂଆ ଠିକଣା ତିଆରିଲେ ରୁଷ୍‌ର ଜଣେ ମହିଳା। ସେ ଜଣେ ଭାରତୀୟ ଯୁବକଙ୍କୁ ପ୍ରେମ କରି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାସ୍ଥିତ ମାୟାପୁର ସହରରେ ଆସି ପହଞ୍ଚିଛନ୍ତି।

ଖାସ୍‌ କଥା ହେଉଛି, ଏହା ପୂର୍ବରୁ ମହିଳା ଜଣକ ଜଣେ ମୁସ୍‌ଲମାନ ଯୁବକଙ୍କୁ ବିବାହ କରିଥିଲେ। ମହିଳା ଜଣକ କହିଛନ୍ତି ‌ଯେ ତାଙ୍କର ମୁସ୍‌ଲମାନ ସ୍ବାମୀ ତାଙ୍କ ଉପରେ ମୁସ୍‌ଲାମାନ ହେବାର ଚାପ ପକାଇଥିଲେ, ଯେଉଁଥିପାଇଁ ତାଙ୍କୁ ତାଙ୍କ ସ୍ବାମୀଙ୍କୁ ଛାଡ଼ିବାକୁ ପଡ଼ିଲା।

ରୁଷ୍‌ର ଏହି ମହିଳାଙ୍କ ନାମ ଶେତ୍ବାଲିନା ଓଚିଲେବା। ବୃତ୍ତିରେ ସେ ଜଣେ ଗ୍ରାଫିକ୍‌ ଡିଜାଇନର୍‌। ‌ସେ ଅତୀତରେ ଜଣେ ମୁସ୍‌ଲ୍‌ମାନ ଯୁବକଙ୍କୁ ବିବାହ କରିଥିଲେ ଓ ସେମାନଙ୍କର ଏକ ପୁତ୍ର ସନ୍ତାନ ବି ଅଛି।

ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ମନରେ ଭଗବାନ କୃଷ୍ଣଙ୍କ ପ୍ରତି ଆକର୍ଷଣ ବଢ଼ିବାକୁ ଲାଗିଲା। ସେ ୨୦୧୨ ମସିହାରେ ପ୍ରଥମ କରି ଜଣେ କୃଷ୍ଣ ଭକ୍ତଙ୍କ ସହ ଭେଟ ହୋଇଥିଲେ। ଯେଉଁ କାରଣରୁ ତାଙ୍କ ସ୍ବାମୀ ତାଙ୍କ ସହ ବାରମ୍ବାର ଝଗଡ଼ା କରିବାକୁ ଲାଗିଲେ। ସେ ଶେତ୍ବାଲିନାଙ୍କୁ କୃଷ୍ଣ ଭକ୍ତଙ୍କୁ ଭେଟ କରିବାକୁ ବାରଣ କରିବା ସହ ଇସ୍‌ଲାମ୍‌ ଗ୍ରହଣ କରିବାକୁ ଚାପ ପକାଉଥିଲେ।

ସେହି କାରଣରୁ ଶେତ୍ବାଲିନା ତ‌ାଙ୍କ ସ୍ବାମୀଙ୍କ ସହ ଝଗଡ଼ା କରି ସ୍ବାମୀଙ୍କ ଘର ଛାଡ଼ିବା ପରେ ଆସି ନିଜ ବାପାମାଆଙ୍କ ପାଖରେ ରହୁଥିଲେ। ୨୦୧୬ ମସିହାରେ ସେ ଭାରତ ଆସିଥିଲେ। ତାପରେ ଦିନେ ତା‌ଙ୍କ ସ୍ବାମୀଙ୍କ ସହ ଅପୋସ ବୁଝାମଣାରେ ଦୁହେଁ ଅଲଗା ହେବା ନିଷ୍ପତ୍ତି ନେଇଥିଲେ। ତାପରେ ଶେତ୍ବାଲିନା ମାୟାପୁର ସହରରେ ନିଜ ପୁଅ ସହ ରହିବାକୁ ଲାଗି‌ଲେ।

ସେଠାରେ ସେ ରୋଶନ ଝା ନାମକ ଜଣେ ଯୁବକଙ୍କୁ ଭେଟିଲେ। ରୋଶନ ବି ଜଣେ କୃଷ୍ଣ ଭକ୍ତ ହୋଇଥିବାରୁ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବଢ଼ିଲା ଓ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଦୁହେଁ ପ୍ରେମ କରି ଏବେ ନିର୍ବନ୍ଧ ବି କରି ସାରିଛନ୍ତି। ସେମାନେ ବୃନ୍ଦାବନର ଯମୁନା ନଦୀ କୂଳରେ ନିର୍ବନ୍ଧ କରିଛନ୍ତି। ସେମାନଙ୍କର କିଛି ବନ୍ଧୁ ବି ତାଙ୍କ ନିର୍ବନ୍ଧରେ ଉପସ୍ଥିତ ରହିଥିଲେ।

Comments are closed.