ଖ୍ୟାତି ହରାଇଛି ୪୦ ବର୍ଷର ହୋମିଓପାଥିକ୍ ସ୍ବାସ୍ଥ୍ୟକେନ୍ଦ୍ର

ବାଲିପାଟଣା: ସମୟ ଥିଲା, ସ୍ଥାନୀୟ ଆଳିସି ପଞ୍ଚାୟତ ଭୈରିପୁର ହୋମିଓପ୍ୟାଥିକ ସ୍ବାସ୍ଥ୍ୟକେନ୍ଦ୍ରର ଖ୍ୟାତି ଏକପ୍ରକାର ଶିଖର ଛୁଇଁଥିଲା। ବାଲିପାଟଣା ଓ ବାଲିଅନ୍ତା ବ୍ଲକ୍‌ର ବହୁ ରୋଗୀଙ୍କ ପାଇଁ ଏହା ଭରସାଯୋଗ୍ୟ ଡାକ୍ତରଖାନା ଥିଲା। ଦୈନିକ ଶହଶହ ରୋଗୀ ଲମ୍ବା ଧାଡ଼ି‌ରେ ଅପେକ୍ଷା କରି ଭଲ ଚିକିତ୍ସା ସେବା ପାଉଥିଲେ। କମ୍‌ ଖର୍ଚ୍ଚରେ ବିଭିନ୍ନ ପ୍ରକାର ରୋଗ ଆରୋଗ୍ୟ ହେଉଥିବାରୁ ଲୋକେ ଏଠାକୁ ଧାଇଁ ଆସୁଥିଲେ। ବିନା ମୂଲ୍ୟରେ ବି ବହୁ ପ୍ରକାର ଔଷଧ ମିଳୁଥିଲା। ଅଭିଜ୍ଞ ଡାକ୍ତରମାନଙ୍କ ରୋଗୀସେବା ଓ ଭଲ ଔଷଧ ଯୋଗାଣ ପାଇଁ ବେଶ୍‌ ନାଁ କମାଇଥିଲା ଭୈରିପୁରର ଏହି ସ୍ବାସ୍ଥ୍ୟକେନ୍ଦ୍ର। କିନ୍ତୁ ୪୦ ବର୍ଷ ପରେ ଆଜି ସେ ଅବସ୍ଥା ନାହିଁ। କର୍ପୂର ଉଡ଼ିଯାଇଛି, କନା ପଡ଼ିଛି ନ୍ୟାୟରେ ଏହି ଡାକ୍ତରଖାନା ଏବେ କେବଳ ନିଜର ସ୍ଥିତି ବଜାୟ ରଖିଛି ସିନା, ରୋଗୀମାନଙ୍କ ଭରସାର କେନ୍ଦ୍ର ହୋଇ ରହିନାହିଁ। ଦିନେ ଯେଉଁଠି ରୋଗୀମାନଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଥିଲା, ଆଜି ସେଠି ମାଛି ଉଡ଼ିବା ଅବସ୍ଥା। ଲୋକେ ମୁହଁ ଫେରାଇ ନେଇଛନ୍ତି ଏହି ଡାକ୍ତରଖାନାରୁ।

ସୂଚନାନୁସାରେ, ୧୯୮୦ ମସିହାରେ ଏହି ସରକାରୀ ହୋମିଓପ୍ୟାଥିକ୍‌ ଚିକିତ୍ସା କେନ୍ଦ୍ର ଖୋଲା ଯାଇଥିଲା। ସେତେବେଳେ ରାସ୍ତାଘାଟ ସମସ୍ୟା ସାଙ୍ଗକୁ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଲୋକେ ଏହି ଡାକ୍ତରଖାନା ଉପରେ ବେଶି ନିର୍ଭରଶୀଳ ଥିଲେ। ବାର୍ଷିକ ୨୫ରୁ ୩୦ହଜାର ରୋଗୀ ଏଠାକୁ ଆସୁଥିବା ରେକର୍ଡ କରାଯାଉଥିଲା। ଏମିତିକି ନିମାପଡ଼ା ଅଞ୍ଚଳର ରୋଗୀମାନେ ଏଠାକୁ ଆସୁଥିଲେ। ରାଜସ, ଆଳିସି, ମୁକୁନ୍ଦଦାସପୁର, ସୋମଣାଶାସନ, ପିପିଲି, ଜଗନ୍ନାଥପୁର, ଭାଣପୁର, ଖେଲାର, ହରିପୁର, ଉତ୍ତରା, ଧଉଳି, ଶିଶିଲୋ, ବୁଦ୍ଧିପଡ଼ା, ବାଲିପାଟଣା, ମଧୁବନ, ପୁରୋହିତପୁର ଆଦି ଅଞ୍ଚଳରୁ ରୋଗୀମାନେ ଏଠାକୁ ଆସୁଥିଲେ। ପୁରୁଣା ଲୋକଙ୍କ କହିବ କଥା, ସେତେବେଳେ ଏଠାରେ ପକ୍ଷାଘାତ, ଅର୍ଶ, ମଳକଣ୍ଟକ, ବିଭିନ୍ନ ଚର୍ମରୋଗ, ସ୍ନାୟୁ ବାତ, ପିତ୍ତରୋଗ ଭଳି ଅନେକ ରୋଗର ଭଲ ଚିକିତ୍ସା ହେଉଥିଲା।

ଲୋକେ ଆଜି ବି ତତ୍କାଳୀନ ଡାକ୍ତରମାନଙ୍କୁ ମନେ ରଖିଛନ୍ତି। ଡାକ୍ତର କାଶୀନାଥ ରଥ, ହରେକୃଷ୍ଣ ଦାଶ, ଗିରିଜା ମହାପାତ୍ର, ସତ୍ୟପୀର ପଟ୍ଟନାୟକଙ୍କ ଭଳି ସେତେବେଳର ଖ୍ୟାତିସମ୍ପନ୍ନ ଡାକ୍ତରମାନଙ୍କ କଥା ଆଜି ବି ଲୋକେ ଆଲୋଚନା କରୁଛନ୍ତି। ମାତ୍ର ଏବେ ଚିତ୍ର ପୂରା ଭିନ୍ନ।

ଦୀର୍ଘ ୨୦ବର୍ଷ ହେଲା ଆସିଷ୍ଟାଣ୍ଟ ପଦଟି ଖାଲି ପଡ଼ିଛି। ଜଣେ ଏଲ୍‌ଆର୍‌ ଡାକ୍ତର ସସ୍ମିତା ବେହେରା ଗତ କିଛି ଦିନ ହେଲା ଏଠାରେ ନିଯୁକ୍ତି ପାଇଛନ୍ତି। ପ୍ରତି ସପ୍ତାହର ଗୁରୁବାର ଦିନ ଡାକ୍ତରଖାନା ବନ୍ଦ ରହୁଥିବା ବେଳେ ଅନ୍ୟ ଦିନରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ନିୟମାନୁସାରେ ଦୈନିକ ଦୁଇବେଳା ଏହି ଡାକ୍ତରଖାନା ଖୋଲା ହେବା କଥା, କିନ୍ତୁ ସବୁଦିନ ଅପରାହ୍‌ଣରେ ବନ୍ଦ ରହୁଛି। ତେଣୁ ସ୍ବାଭାବିକ ଭାବେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି ବୋଲି ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ କହିବା କଥା, ସେତେବେଳେ ଦୁର୍ବଳ ଭିତ୍ତିଭୂମିରେ ରୋଗୀଙ୍କ ଭିଡ଼ ହେଉଥିଲା। ଏବେ ଭିତ୍ତିଭୂମି ଭଲ ଥାଇ ବି ଲୋକଙ୍କ ହିତରେ ଆସୁନାହିଁ।

Comments are closed.