ନିଆଁ ଲଗାଇବା ପରେ ହାଣି ଦେଲେ

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅଧୀନ ହୁଣ୍ଡୁଳା ଗ୍ରାମରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଯୁବକଙ୍କ ଘରେ ପେଟ୍ରୋଲ ଢାଳି ନିଅଁା ଲଗାଇଦେବା ସହ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ପ୍ରଣବ ମହାନ୍ତ (୨୫)। ଘଟଣା ଶନିବାର ରାତିରେ ଘଟିଥିବା ବେଳେ ରବିବାର ସକାଳେ ଘର ଆଗରେ ମୃତଦେହକୁ ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ବାପା ପ୍ରକାଶ ମହାନ୍ତଙ୍କ ଅଭିଯୋଗକୁ ଭିତ୍ତି କରି ଏକ ହତ୍ୟା ମାମଲା(ନଂ.୩୮୭/୨୨) ରୁଜୁ କରି ପୋଲିସ ସେହି ଗ୍ରାମର ଭୁବନ ଦାସ ଓ ଶକ୍ତି ପ୍ରସାଦ ଦାସଙ୍କୁ ଅଟକ ରଖିଛି। ଉଭୟ ସମ୍ପର୍କରେ ବାପ ଓ ପୁଅ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ହୁଣ୍ଡୁଳା ଛକରେ ଦୋକାନ ଦେଇଥିବା ଭୁବନଙ୍କ ସାନ ପୁଅଙ୍କୁ ପ୍ରଣବ ଶନିବାର ମାଡ଼ ମାରିଥିଲେ। ଏ ନେଇ ଭୁବନଙ୍କ ପରିବାର ପକ୍ଷରୁ ସଦର ଥାନାରେ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳକୁ ଆସିଥିଲେ ସୁଦ୍ଧା ପ୍ରଣବଙ୍କୁ ଥାନାକୁ ନ ନେବାରୁ ଭୁବନଙ୍କ ପରିବାର ସଦସ୍ୟଙ୍କ ଆକ୍ରୋଶ ବଢ଼ିଥିଲା। ଶନିବାର ବିଳମ୍ବିତ ରାତିରେ ଭୁବନ ପରିବାର ସଦସ୍ୟଙ୍କ ସହ ଗ୍ରାମର କିଛି ଯୁବକଙ୍କୁ ନେଇ ପ୍ରଣବଙ୍କ ଘରକୁ ଯାଇଥିଲେ। ପ୍ରଣବ ଜାଣି ଭୟଭୀତ ହୋଇ ଘର କବାଟ ବନ୍ଦ କରି ଦେଇଥିଲେ। ପରେ ସେମାନେ ଘରେ ପେଟ୍ରୋଲ ଢାଲି ନିଆଁ ଲଗାଇ ଲଙ୍କା ଗୁଣ୍ଡ ଧୂଅଁା ଦେଇଥିଲେ। ପ୍ରଣବ ଅଣନିଃଶ୍ୱାସୀ ହୋଇ ଘରୁ ବାହାରିବା ପରେ ଭୁବନଙ୍କ ସହଯୋଗୀମାନେ ସଂଘବଦ୍ଧ ହୋଇ ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରିଥିଲେ ବୋଲି ମୃତକଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ ସଦର ଥାନା ଅଧିକାରୀ ସୁନୀଲ କର କହିଛନ୍ତି, ଶବ ବ୍ୟବଚ୍ଛେଦ କରାଯାଇଛି। ଘଟଣାରେ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ତଦନ୍ତ ପରେ ହତ୍ୟାର କାରଣ ଜଣାପଡ଼ିବ।

Comments are closed.