ଭରଦ୍ୱାଜଙ୍କ ଶୁଭ ଦର୍ଶନ

ଅର୍ଜୁନୀ ଚରଣ ବେହେରା

ଭାରତରେ ଅନେକ ପକ୍ଷୀଙ୍କୁ ଭଗବାନଙ୍କ ସ୍ୱରୂପ ଭାବେ ଗ୍ରହଣ କରାଯାଇଛି l ସେହି ପକ୍ଷୀମାନଙ୍କ ମଧ୍ୟରେ ଭଦଭଦଳିଆ ଅନ୍ୟତମ l ଭଦଭଦଳିଆ ପକ୍ଷୀକୁ ହିନ୍ଦୀଭାଷାରେ ନୀଳକଣ୍ଠ ଓ ସଂସ୍କୃତରେ ଭରଦ୍ୱାଜ ବୋଲି କୁହାଯାଇଥାଏ l ଆମେ ସଭିଏଁ ଜାଣୁ ସାଗର ମନ୍ଥନ ସମୟରେ ଭଗବାନ ଶଙ୍କର କାଳକୂଟ ହଳାହଳ ପାନକରି ଏ ସଂସାରକୁ ରକ୍ଷା କରିଥିଲେ l ହଳାହଳ ଶିବଙ୍କ କଣ୍ଠଦେଶରେ ରହି ଯିବାରୁ ତାହା ନୀଳବର୍ଣ୍ଣ ଧାରଣ କଲା l ଭଗବାନ ଶଙ୍କରଙ୍କର ତେଣୁ ନାମହେଲା ନୀଳକଣ୍ଠ l ସେହି ନୀଳକଣ୍ଠ ନାମରୁ ଭଦ ଭଦଳିଆ ପକ୍ଷୀ ଭଗବାନ ଶଙ୍କରଙ୍କ ଅବତାରଭାବେ ଅଭିହିତ ହୋଇଥାଏ l କେହିକେହି ଏହାକୁ ମହାମୁନି ଭରଦ୍ୱାଜଙ୍କ ସ୍ୱରୂପ ବୋଲି କହିଥାନ୍ତି l
ହିନ୍ଦୀ ଭାଷା ଭାଷୀ ଅଞ୍ଚଳରେ ଲୋକ କଥାଟିଏ ଅଛି,”ନୀଲକଣ୍ଠ ତୁମ ନିଲେ ରହିୟୋ, ଦୁଧଭାତ କା ଭୋଜନ କରିୟୋ, ହମାରୀ ବାତ ପ୍ରଭୁ ରାମ ସେ କହିୟୋ”l ଏହା ମଧ୍ୟରେ ରାମାୟଣର କଥା ଲୁଚି ରହିଛି l ରାମାୟଣ କାହାଣୀରୁ ଜଣା ଯାଏ, ପ୍ରଭୁ ଶ୍ରୀରାମ ଦଶାନନ ନିଧନ ପୂର୍ବରୁ ଶୁଭ ପକ୍ଷୀ ଭଦ ଭଦଳିଆଙ୍କ ଦର୍ଶନ କରିଥିଲେ l ଶ୍ରୀରାମଙ୍କ ଆଶୀର୍ବାଦରୁ ଭଦ ଭଦଳିଆ ପକ୍ଷୀଙ୍କ ଦର୍ଶନ ଶୁଭ ଦାୟକ ବୋଲି ଗ୍ରହଣ କରାଯାଏ l ବିଶେଷ କରି
ଦଶହରାଦିନ ଏହି ପକ୍ଷୀକୁ ଦେଖିବା ବହୁତ ଶୁଭ ଦାୟକ l ଦଶହରା ଦିନ ଏହାଙ୍କ ଦର୍ଶନରେ ସର୍ବ ବିଘ୍ନ ଦୂରହୋଇ ମନୁଷ୍ୟ ସୌଭାଗ୍ୟ ପ୍ରାପ୍ତ ହୋଇ ଥାଏ l ଧନଧାନ୍ୟ ଲାଭ ସହିତ ମନୁଷ୍ୟର ଭାଗ୍ୟ ଖୋଲିଯାଏ ବୋଲି ବିଶ୍ୱାସ ରହିଛି l
ସମଗ୍ର ଏସିଆ ମହାଦେଶ ଭଦ ଭଦଳିଆର ବାସ ସ୍ଥାନ l ପରିବେଶ ନଷ୍ଟ ହେବା ଫଳରେ ଏମାନଙ୍କ ବଂଶ ଲୋପ ପାଇବାରେ ଲାଗିଛି l ଭଦଭଦଳିଆ ଆମ ଓଡ଼ିଶାର ରାଜ୍ୟପକ୍ଷୀ,ଏହା ମଧ୍ୟ କର୍ଣ୍ଣାଟକ ତେଲେଙ୍ଗାନା ତଥା ଆନ୍ଧ୍ରପ୍ରଦେଶର ରାଜ୍ୟପକ୍ଷୀ l
ଜୀବବିଜ୍ଞାନରେ ନୀଳକଣ୍ଠ ପକ୍ଷୀକୁ chordata aves ଶ୍ରେଣୀଭୁକ୍ତ କରାଯାଇଛି,ଜୀବ ବିଜ୍ଞାନରେ ଏହାର ନାମ Coracias benghalensis l
ଏହାର ଶାରୀରିକ ଗଠନ ମାଛରଙ୍କା ପକ୍ଷୀ କିମ୍ବା ପାରାର ଶାରୀରିକ ଗଠନ ସଦୃଶ l ଏହାର ମୁଣ୍ଡ ପାରା ଠାରୁ ବଡ଼ ଏବଂ ଶକ୍ତ, ଥଣ୍ଟଟି ଓଜନିଆ ଓ ମୁନିଆ l ପେଟପାଖର ରଙ୍ଗ ଧୂସର,ଲାଞ୍ଜ ଇଷତ ନୀଳ,ଡେଣାଦୁଇଟି ନିଳ ଓ ଏଥିରେ କଳା ରଙ୍ଗର ପଟାପଟା ଦାଗ ଥାଏ l ଦେହ ତୁଳନାରେ ଏହାର ଲାଞ୍ଜଟି ଦେଖିବାକୁ ଛୋଟ ଏବଂ ଆୟତାକାର l ପିଠି ପାଖଟି ଚଉଡ଼ା l ଆମୋଦ ଦାୟକ ଉଡ଼ିବା ଶୈଳୀ ପାଇଁ ଏମାନେ ଲୋକ ପ୍ରୀୟ l ଘିରି ଘିରି ହୋଇ ବୁଲିବା,ତଳୁ ଉପରକୁ ରକେଟ ପରି ଉଡ଼ି ଯିବା,ଉପରୁ ତଳକୁ ଖସିବା ସମୟରେ ମୁଣ୍ଡଟିକୁ ଲମ୍ବାଇ ଉଡ଼ିବା,ଚିତ୍ପଟମାରିବା,ଡାହାଣରୁ ବାମକୁ ଏବଂ ବାମରୁ ଡାହାଣକୁ କଡ଼େଇକଡ଼େଇ ଉଡ଼ିବା ଆଦି ନାନା ପ୍ରକାରର ଉଡ଼ିବା ଶୈଳୀ ଏହି ପକ୍ଷୀ ଆପଣାଇ ଥାଏ l
ଶାନ୍ତ କୋଳାହଳଶୂନ୍ୟ ପଡ଼ିଆ ଏମାନଙ୍କର ପ୍ରିୟ ବାସ ସ୍ଥାନ l ଏମାନେ ଏକା ଏକା ରହିବାକୁ ଭଲ ପାଆନ୍ତି l ଚୁପ୍ ଚାପ୍ ବସିଥାନ୍ତି l ଶିକାର ପାଇଲେ ଝାମ୍ପିପଡ଼ନ୍ତି l ବିଭିନ୍ନ ପ୍ରକାର ପୋକଜୋକ,କୀଟ, ପ୍ରଜାପତି,ଏଣ୍ଡୁଅ,ବେଙ୍ଗ,ଝିଟିପିଟି,ମୂଷା ଏମାନଙ୍କପ୍ରିୟ ଖାଦ୍ୟ l
ଦୁର୍ଗାପୂଜା ସମୟରେ ଆଗରୁ ଚଢ଼େଇଆ ମାନେ ପଲ୍ଲୀ ଅଞ୍ଚଳରେ ଏହି ପକ୍ଷୀକୁ ଦେଖାଇ ପଇସା ରୋଜଗାର କରୁଥିଲେ l ଲୋକେ ବିଶ୍ୱାସ କରନ୍ତି, ଭରଦ୍ୱାଜ ପକ୍ଷୀକୁ ଦେବୀପୂଜା ସମୟରେ ଦର୍ଶନ କଲେ ଶୁଭହୁଏ l ନାନା ଅମଙ୍ଗଳ ଓ ଅଶୁଭ ଦୂର ହୋଇଥାଏ l ଭଦଭଦଳିଆ ପକ୍ଷୀ ପରକୁ ପୂର୍ବେ ପୂଜାକରି ପୁରାଣପୃଷ୍ଠା ଭିତରେ ଦାଗ ହିସାବରେ ବ୍ୟବହାର କରା ଯାଉଥିଲା l ଗାଁ ଗହଳିରେ ପିଲା ମାନେ ଆଗ କାଳରେ ଭଦଭଦଳିଆକୁ ଦେଖିଲେ କହୁଥିଲେ,’ଶୁଭ ଭଦଭଦଳିଆ ଭାଇ ନମସ୍କାର’l
ଏହି ଭଦଭଦଳିଆ ପକ୍ଷୀ ହିଁ ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ ଯାହା ଭକ୍ତ କବି ଦୀନକୃଷ୍ଣ ଦାସ ଲେଖିଛନ୍ତି :-
କୁରୁ ସଭା ତଳେ ଦ୍ରୌପଦୀ ଚିନ୍ତିଲା
କୋଟି ବସ୍ତ୍ର ଦିଆଇଲେ ତ l
ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ
ଘଣ୍ଟ ଘୋଡ଼ାଇ ରଖିଲେ ତ,
ନାହିଁ ନାହିଁତ ଜଗବନ୍ଧୁ ପରି ଜଣେ ସାମନ୍ତ ll
ଆଦିକବି ଶାରଳାଦାସ ମହାଭାରତ ଭିଷ୍ମପର୍ବରେ ଭଦଭଦଳିଆ ପକ୍ଷୀ ବିଷୟରେ ଲେଖିଛନ୍ତି :-
ଶୂନ୍ୟେ ଉଡୁଥିଲା ଭଦଭଦଳିଆ ପକ୍ଷୀ l
ଉତ୍ତରଦିଗେ ଦେଖିଲା ଦେବୀ ଯେ କାମାକ୍ଷୀ ll
କବି ଭରତୀଆ ପକ୍ଷୀ ଉପାଖ୍ୟାନରେ କହିଛନ୍ତି, ଏ ପକ୍ଷୀ ପୂର୍ବ ଜନ୍ମରେ ସତ୍ୟ ଯୁଗରେ ଶ୍ୱେତକଳ୍ପ ବୋଲି ଜଣେ ରାଜା ଥିଲା l ସେ ଇନ୍ଦ୍ର,କୁବେରଙ୍କ ଅଭିଶାପରୁ,ଏହି ପକ୍ଷୀ ଜନ୍ମ ପାଇଥିଲା ଓ କଥା ଥିଲା ସେ ଦ୍ୱାପରଯୁଗରେ କୁରୁକ୍ଷେତ୍ର ଯୁଦ୍ଧବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ମୁକ୍ତି ଲାଭ କରିବ l ତାହା ହିଁ ହୋଇ ଥିଲା l ପିତୃ ବାକ୍ୟ ଲଙ୍ଘନ କରି ଏହା ପକ୍ଷୀ ଜନ୍ମ ପାଇଥିଲା ବୋଲି ଶାରଳା ଦାସ ମହାଭାରତରେ ଉଲ୍ଲେଖ କରିଛନ୍ତି l
ପିତାରବାକ୍ୟ ଲଙ୍ଘିଲେ ଯହୁଁ ଚାରିପୁତ୍ରେ l
ଭରତିଆ ନାମ ବହି ରହିଲେ ଯୁଗାନ୍ତେ ll

!!! ଜୟ ମାଆ ଦୁର୍ଗେ ଦୁର୍ଗତିନାଶିନୀ !!!
🙏🙏🙏
ଅର୍ଜୁନୀ
———-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.