ନଡ୍ଡାଙ୍କ ଅଭିଭାଷଣରେ ଓଡ଼ିଶା ସଂପର୍କରେ ମାତ୍ର ୨ ମିନିଟ୍‌; ସେଥିରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ନାଆଁ ନାହିଁ।

ଭୁବନେଶ୍ୱର : କେନ୍ଦ୍ରରେ ଶାସନାଧୀନ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇଦିନିଆ ଓଡିଶା ଗସ୍ତରେ ଆସି ଦଳୀୟକର୍ମୀ ଓ ସଭ୍ୟମାନଙ୍କୁ ୨୦୨୪ ନିର୍ବାଚନରେ ରାଜ୍ୟରେ କମଳ ପ୍ରସ୍ଫୁଟିତ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି। ଭୁବନେଶ୍ୱର ଜନତା ମୈଦାନରେ ଏଥିପାଇଁ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା। ସେପ୍ଟେମ୍ବର ୨୯ରେ ଶକ୍ତିକେନ୍ଦ୍ର ସମ୍ମିଳନୀ ଏବଂ ୩୦ରେ ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ସେ ଉଦ୍‌ବୋଧନ ଦେଇଥିଲେ।

ବୁଥ୍‌ସ୍ତରୀୟ ସମ୍ମିଳନୀରେ ଶ୍ରୀ ନଡ୍ଡା ପ୍ରଥମ ଦିନରେ ସାଢେ ୩୧ ମିନିଟ୍‌ ଧରି ନିଜ ଅଭିଭାଷଣ ରଖିଥିଲେ। ତାଙ୍କର ସମ୍ପୂର୍ଣ୍ଣ ଭାଷଣ ମଧ୍ୟରେ ଓଡିଶାର ଶାସନ ବ୍ୟବସ୍ଥା ବିରୋଧରେ କଡା ମନ୍ତବ୍ୟ ଥିଲା ମାତ୍ର ୨ ମିନିଟ୍। ଯାହାକୁ ନେଇ ଦଳୀୟ ନେତା/କର୍ମୀ ବେଶ ଉତ୍ସାହିତ ଲାଗୁଥିଲେ। ତେବେ ଏହା ଅନେକ ରାଜନୈତିକ ସମାଲୋଚକ ଓ ସମୀକ୍ଷକଙ୍କୁ କିନ୍ତୁ ସନ୍ତୁଷ୍ଟ କରିପାରି ନାହିଁ।

ଓଡିଶାରେ ମୁଖ୍ୟ ବିରୋଧୀଦଳ ଭୂମିକା ନିର୍ବାହ କରୁଥିବା ବିଜେପିର ଜାତୀୟ ନେତୃତ୍ୱ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଓଡିଶା ସମ୍ପର୍କରେ କହିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ନଥିଲେ; କିନ୍ତୁ ଅନ୍ୟ ରାଜ୍ୟର ଅଣବିଜେପି ବିଷୟରେ ସମାଲୋଚନା କଲାବେଳେ ସେମାନଙ୍କ ପରିବାର ସହିତ ନାଆ ଧରି ଟାର୍ଗେଟ୍‌ କରିଥିଲେ।

ଅତିଥି ପରିଚୟ ୫ ମିନିଟ୍‌ ସମୟ ନେଇଥିବାବେଳେ ବିଜେପିର ଶକ୍ତି ଓ ବିଚାରଧାରା ବିଷୟରେ ୬ ମିନିଟ୍‌, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଫଳ ଯୋଜନା ଓ ବିଭିନ୍ନ ପ୍ରକଳ୍ପ ବିଷୟରେ ୧୫ ମିନିଟ୍‌ ଧରି ଭାଷଣ ଦେଇଥିଲେ। ତେବେ ଓଡିଶା ସମ୍ପର୍କରେ ୨ ମିନିଟ୍‌ କହିବାବେଳେ ନଡ୍ଡା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ନଥିଲେ କି ସେଭଳି ଶାଣିତ ଆକ୍ରମଣ କରି ନଥିବା ନେଇ ଚର୍ଚ୍ଚା ହୋଇଛି।

ଏହାକୁ ନେଇ ପ୍ରଶ୍ନ ଉଠିଛି ଯେ, ୨୦୨୪ରେ ନଡ୍ଡାଙ୍କ ବିଜେପି ବିଜେଡି ସହିତ କଡା ଟକ୍କର ଦବ ତ? ଶ୍ରୀ ନଡ୍ଡା ନିଜ ଭାଷଣରେ କଂଗ୍ରେସ ଏବଂ ଅନ୍ୟ ଅଣବିଜେପି ଦଳଗୁଡିକୁ ଯେଉଁଭଳି ତୀବ୍ର ସମାଲୋଚନା କରି “ଭାଇ-ଭଉଣୀ’ଙ୍କ ଦଳ, ବାପା-ପୁଅଙ୍କ ରାଜନୀତି ବୋଲି ଆକ୍ଷେପ କରିଛନ୍ତି ବିଜେଜେଡି ବିରୋଧରେ ସେଭଳି କହିବା ଦେଖାଯାଇ ନାହିଁ।

ପରିବାରବାଦ ରାଜନୀତି ସମ୍ପର୍କର ବିବରଣୀ ବ୍ୟକ୍ତକରି ବିଭିନ୍ନ ରାଜ୍ୟରେ କ୍ଷମତା ଓ ବିପକ୍ଷରେ ଥିବା ଦଳଗୁଡିକର ନେତୃତ୍ୱଙ୍କ ନାଆ ଧରି ଟାର୍ଗେଟ୍‌ କରିଥିଲେ । ଏହି ତାଲିକାରେ ଓଡିଶାରେ ନେତୃତ୍ୱାଧୀନ ବିଜେଡିକୁ ମଧ୍ୟ ତାଲିକାଭୁକ୍ତ କରିଥିଲେ। ଓଡିଶାରେ ଦୁର୍ନୀତିଗ୍ରସ୍ତ କୁଶାସନ ଚାଲିଛି, ସରକାରକୁ ଉପାଡି ଫୋପାଡିବା ଆବଶ୍ୟକ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶା ବହୁ ପଛରେ, ପିଏମ୍‌ ଆବାସ ଯୋଜନାରେ ବିଜୁ ପକ୍କାଘରର “ମୋହର’, ଓଡିଶାର ୩ ଜଣ ମନ୍ତ୍ରୀ ହତ୍ୟା ଅପରାଧରେ ଲିପ୍ତ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ସରକାର ନକଲି ତେଣୁ ଚାବି ମଧ୍ୟ ନକଲି ବୋଲି କହି ଶ୍ରୀ ନଡ୍ଡା ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି।

Comments are closed.