ଆଗୁଆ ଜାମିନ ଆବେଦନ କଲେ ପ୍ରଯୋଜକ ଅକ୍ଷୟ ପରିଜା

କଟକ: କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହୋଇଥିବା ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ପ୍ରଯୋଜକ ଅକ୍ଷୟ ପରିଜା ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବାର ଖବର ମିଳିଛି। ସେ ଗିରଫ ଭୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାଯାଇଛି।

କାଷ୍ଟିଂ କାଉଚ୍‌ ମାମଲାରେ ବିଶିଷ୍ଟ ଓଲିଉଡ୍‌ ପ୍ରଯୋଜକ ଅକ୍ଷୟ କୁମାର ପରିଜା ଛନ୍ଦି ହୋଇଛନ୍ତି। ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ଜଣେ ଦଳିତ ଯୁବତୀଙ୍କୁ ସେ ଦୀର୍ଘ ଦିନ ଧରି ଯୌନ ଶୋଷଣ କରି ଆସୁଥିଲେ ବୋଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ଅପରପକ୍ଷେ ଗତକାଲିଠାରୁ ବିଭିନ୍ନ ସୋସିଆଲ ମିଡିଆରେ ଏକ ନଗ୍ନ ଭିଡିଓ ଭାଇରାଲ ହେଉଛି। ତାହା ଅକ୍ଷୟଙ୍କର ବୋଲି କୁହାଯାଉଛି। ଏହି ଘଟଣା ଏବେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଥିବା ବେଳେ ଏନେଇ ଅକ୍ଷୟ ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଭିଡିଓରେ ଥିବା ଯୁବତୀ ଓ ଜଣେ ମହିଳା ଆଇନଜୀବୀଙ୍କ ବିରୋଧରେ ସେ ଏତଲା ଦେଇଛନ୍ତି।

ଏତଲା କପିରେ ଦର୍ଶାଯାଇଛି ଯେ ଜଣେ ଯୁବତୀ କାଷ୍ଟିଂ କାଉଚ୍‌ର ଶିକାର ହୋଇଛନ୍ତି। ତାଙ୍କୁ ଅଭି‌ନେତ୍ରୀ କରାଇବାର ସ୍ବପ୍ନ ଦେଖାଇ ପ୍ରଯୋଜକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ବିଭିନ୍ନ ସମୟରେ ତାରକା ହୋଟେଲକୁ ଡାକି ଆପ୍ୟାୟିତ କରିବା ସହ ସମ୍ପର୍କ ରଖିଥିଲେ। ଫିଲ୍ମରେ ଅଭିନୟ କରିବା ଆଳରେ ଏଭଳି ସେ ବାରମ୍ବାର କରି ଚାଲିଥିଲେ। ଏପରିକି ଅକ୍ଷୟ ତାଙ୍କର କିଛି ଅନ୍ତରଙ୍ଗ ମୁହୂର୍ତର ଭିଡିଓକୁ ଉତ୍ତୋଳନ କରି ଯୁବତୀଙ୍କୁ ବ୍ଲାକମେଲ୍‌ କରୁଥିଲେ। ଯୁବତୀଙ୍କ ବାହାଘର ସ୍ଥିର ହୋଇଯିବା ପରେ ଅକ୍ଷୟ ଉକ୍ତ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବେ ବୋଲି ଧମକ ଦେଇଥିଲେ। କିନ୍ତୁ ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଓମ୍ ପ୍ରକାଶ ମହାନ୍ତି କହିଛନ୍ତି, ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

Comments are closed.